ଦେଓଗାଁ ରେଳ ଷ୍ଟେସନରେ ନାହିଁ ଅନଲାଇନ୍ ପେମେଣ୍ଟ ସୁବିଧା

ଦେଓଗାଁ, (ମନୀଷ କୁମାର ସାହୁ) : ଗତ କିଛି ବର୍ଷ ମଧ୍ୟରେ ଦେଓଗାଁ ରେଳ ଷ୍ଟେସନର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ହୋଇ ସାରିଥିବା ବେଳେ ଷ୍ଟେସନର ନବୀକରଣ ହେବା ପରେ ଏବେ କେମିତି ଅଧିକ ମାତ୍ରାରେ ଏକ୍ସପ୍ରେସ ରେଳ ରହିବ ସେ ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରୟାସ ଚଳାଉଛନ୍ତି । ହେଲେ ଦେଓଗାଁ ରେଳ ଷ୍ଟେସନରେ ଅନ୍‌ଲାଇନ ପେମେଣ୍ଟ ଭଳି ଏକ ସାମାନ୍ୟ ସୁବିଧା ଉପଲବ୍ଧ ନଥିବାରୁ ଟିକଟ କାଟିବା ବେଳେ ରେଳ ଯାତ୍ରୀ ହଇରାଣ ହେବା ଭଳି ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳର ରେଳ ବ୍ୟବହାରକାରୀ ଲୋକଙ୍କୁ ଚକିତ କରୁଛି ।

ସରକାର ପକ୍ଷରୁ ସବୁଆଡେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ଵ ଦେଇ କେସ୍‌ ଲେସ୍‌ ପାଇଁ ପ୍ରୟାସ କରାଯାଉଛି । ଛୋଟ ଛୋଟ କିରାନା ଦୋକାନରୁ ଆରମ୍ଭ କରି ବଡ଼ ବଡ଼ ସପିଂ ମଲ୍‌ଗୁଡ଼ିକରେ କେସ୍‌ ଲେସ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ସହ ଲୋକେ ଅନ୍‌ଲାଇନ୍‌ ପେମେଣ୍ଟ ଆଡ଼କୁ ମୁହାଁଇବା ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଅନ୍‌ଲାଇନ୍‌ କାରବାର ପାଇଁ ରିୱାଡ଼ର ସୁବିଧା ମଧ୍ୟ ପ୍ରଦାନ କରୁଛନ୍ତି । ଫଳରେ ଏବେ ଅଧିକାଂଶ ଲୋକ କେସ୍ ଲେସ୍‌ ଉପରେ ଅଧିକ ବିଶ୍ୱାସ କରିଲେଣି । ଏହାସହ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ପକ୍ଷରୁ ଦେଶରେ କେସ୍‌ ଲେସ୍‌ର ଡ଼ିମିଡ଼ିମି ପିଟୁଥିବା ବେଳେ ଦେଓଗାଁ ରେଳ ଷ୍ଟେସନରେ ଅନ୍‌ଲାଇନ୍‌ ପେମେଣ୍ଟର ସୁବିଧା ଉପଲବ୍ଧ ନଥିବା ଘଟଣା ଲୋକଙ୍କୁ ଚକିତ କରୁଛି । ଏବେ ପ୍ରାୟତଃ ସମସ୍ତ ଦୋକାନ ବଜାରରେ ଫୋନ୍‌ ପେ, ପେଟିଏମ୍‌ ଭଳି ବିଭିନ୍ନ ଅନ୍‌ଲାଇନ ପେମେଣ୍ଟର ସୁବିଧା ରହିଛି । ହେଲେ ରେଳ ଟିକଟ ପାଇଁ ଷ୍ଟେସନ୍‌କୁ ଯାଇଥିବା ଲୋକେ ହଇରାଣ ହୋଇ ପଇସା ପାଇଁ ପୁଣି ଏଟିଏମ୍‌ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଶନିବାର ଦିନ ଏଭଳି ଏକ ଘଟଣା ଘଟିଥିବା ଦେଖିବାକୁ ମିଳିଥିଲା । କିଛି ଯୁବକ ଟ୍ରେନ ଟିକଟ କାଟିବାକୁ ଦେଓଗାଁ ଟ୍ରେନ୍‌ ଷ୍ଟେସନକୁ ଯାଇ ‌ଟିକଟ କାଟି ସାରିବା ପରେ ଜାଣିବାକୁ ପାଇଲେ ଯେ, ଷ୍ଟେସନରେ ଅନ୍‌ଲାଇନ ପେମେଣ୍ଟର ସୁବିଧା ଉପଲବ୍ଧ ନାହିଁ । ଫଳରେ ଦେଓଗାଁ ଆସି ଏଟିଏମ୍‌ରୁ ପଇସା କାଢ଼ି ପୁଣି ରେଳ ଷ୍ଟେସନକୁ ଯାଇ ଟିକଟ ଆଣିଥିବା ଜଣାପଡ଼ିଛି । କେନ୍ଦ୍ର ସରକାର ଅନ୍‌ଲାଇନ୍‌ ପେମେଣ୍ଟ ବିଷୟକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ମୁଖ୍ୟ ବିଭାଗ ଭାବେ ଥିବା ରେଳ ବିଭାଗରେ ଏଭଳି ଖାମ୍‌ଖିଆଳି କାର୍ଯ୍ୟକଳାପ ଯୋଗୁଁ ରେଳ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଯଥା ଶୀଘ୍ର ଦେଓଗାଁ ରେଳ ଷ୍ଟେସନରେ ଡ଼ିଜିଟାଲ ପେମେଣ୍ଟର ସୁବିଧା କରାଯିବାକୁ ଦାବୀ ହେଉଛି ।

Leave A Reply

Your email address will not be published.