ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଉ ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କର ବଡଦିନ ପର୍ବ, ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ସମଗ୍ର ବାଲିଗୁଡା ଟାଉନ ସମେତ ଏହାର ଆଖପାଖ ଅଞ୍ଚଳରେ ବଡଦିନ ଉତ୍ସବ ଓ ନୂଆବର୍ଷ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପ୍ରଶାସନ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରିବା ସହ ମଙ୍ଗଳବାର ଠାରୁ ସକ୍ରିୟ ମୋବାଇଲ୍ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି ଭାବେ ଆରମ୍ଭ କରାଯାଇଛି । ଏତଦ୍ ବ୍ୟତୀତ ଖୋଲା ମଦ ସେବନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମଗ୍ର ଟାଉନକୁ ଛୋଟ ଛୋଟ ସେକ୍ଟର ଓ କ୍ଲଷ୍ଟରରେ ବିଭକ୍ତ କରାଯାଇ ପ୍ରତ୍ୟେକ ସେକ୍ଟରର ଦାୟିତ୍ୱ ଜଣେ ଅଧିକାରୀଙ୍କୁ ଦିଆଯାଇଛି । ସେ ପାଟ୍ରୋଲିଂ ବ୍ୟବସ୍ଥା ସମେତ ସେହି ସେକ୍ଟରର ସମସ୍ତ ସମସ୍ୟା ଉପରେ କଡା ନଜର ରଖିବା ପାଇଁ ଏସ ଡି ପି ଓ ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି । ଆବଶ୍ୟକ ସ୍ଥଳେ ରଣନୈତିକ ସ୍ଥାନରେ ନାକା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଏସଡିପିଓ କହିଛନ୍ତି । ବଡଦିନ ଯେତିକି ପାଖେଇ ଆସୁଛି ବଜାର, ହାଟ, ଦୋକାନ ସେତିକି ଭିଡ ଦେଖିବାରେ ମିଳୁଛି । ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ନିଜ ନିଜ ଘର ସହିତ ଗୀର୍ଜା ଘର ଗୁଡିକ ସାଜସଜା କରି ରଙ୍ଗୀନ କରିବା ସହ ଆଲୋକ ମାଳାରେ ସୁନ୍ଦର କରିବା ଯୋଜନାରେ ଲାଗି ପଡିଛନ୍ତି । ଏହି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବରେ ଯେପରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇଭଉଣୀମାନେ ପାଳନ କରିପାରିବେ ସେଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ସୁରକ୍ଷା ଉପରେ କଡାକଡ଼ି ଦୃଷ୍ଟି ରଖିଥିବା ବିଷୟ ବାଲିଗୁଡା ଏସଡିପିଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
Next Post