
- ଆମ ସରକାରୀ ବିଦ୍ୟାଳୟ ପ୍ରତି ସରକାରଙ୍କ ଏତେ ବିତୃଷ୍ଣା ଭାବ କ’ଣ ପାଇଁ : ସିଲିଙ୍ଗପଡା ଗ୍ରାମବାସୀ
ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଛମୂଳରେ ପାଠ ପଢୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ଦିନେ ନୁହେଁ ବର୍ଷେ ନୁହେଁ ଦୀର୍ଘ ୫ ବର୍ଷ ଧରି ଖୋଲା ଆକାଶ ତଳେ ବସି କୋମଳମତି ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ବେଲପଡା ବ୍ଲକ ଅନ୍ତର୍ଗତ ମଣ୍ଡଳ ପଞ୍ଚାୟତ ସିଲିଙ୍ଗପଡା ଗାଁରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଆମ ସରକାରୀ ବିଦ୍ୟାଳୟ ପ୍ରତି ସରକାରଙ୍କ ଏତେ ବିତୃଷ୍ଣା ଭାବ କ’ଣ ପାଇଁ ବୋଲି ଗ୍ରାମବାସୀ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ସ୍କୁଲରେ ଥିବା ଶିକ୍ଷୟିତ୍ରୀମାନେ ମଧ୍ୟ ଠିକ୍ ଭାବରେ ସ୍କୁଲକୁ ଆସୁନଥିବା ଅଭିଯୋଗ ହେଉଛି । ସିଲିଙ୍ଗପଡାରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । ପଡ଼ାଠାରୁ ୧୫ କିମି ଦୂରରେ ଗାଁ ଓ ଗାଁ ସ୍କୁଲ । ପିଲାମାନେ ସ୍କୁଲକୁ ପାଠପଢି ଯିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବା ଫଳରେ ସିଲିଙ୍ଗପଡାଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ନୂତନ ପ୍ରାଥମିକ ସ୍କୁଲ ଖୋଲା ହେଲା । ଏଥିପାଇଁ ଦୁଇ ଶିକ୍ଷୟିତ୍ରୀ ମଧ୍ୟ ନିୟୋଜିତ ହେଲେ କିନ୍ତୁ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସ୍କୁଲ ଘରଟିଏ ହୋଇପାରି ନାହିଁ । ଫଳରେ ଗଛମୂଳ ହିଁ ପିଲାଙ୍କ ବିଦ୍ୟାଳୟ ପାଲଟିଛି । ଲୋକମାନଙ୍କ ଜନଗହଳି ଓ ଖୋଲା ଆକାଶ ତଳେ ପାଠପଢ଼ା ଚାଳୁଥିବାରୁ ବହୁ ପିଲା ପାଠ ପଢିବାକୁ ଆସୁନଥିବା ଅଭିଭାବକ ମାନେ କହିଛନ୍ତି । ଅନ୍ୟ ପଟେ ରାଜ୍ୟ ସରକାର ୫ଟି ଅଧିନରେ ସ୍କୁଲ୍ ଗୁଡିକୁ ରୁପାନ୍ତର କରିଛନ୍ତି । ଗ୍ରାମାଞ୍ଚଳ ପିଲାମାନେ ଚାକଚକ୍ୟ ପରିବେଶ ଭିତରେ ରହି ଗୁଣାତ୍ମକ ଏବଂ ଉନ୍ନତମାନର ଶିକ୍ଷା ଗ୍ରହଣ କରିବେ ସେ ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ମଣ୍ଡଳର ଏହି ସିଲିଙ୍ଗପଡାର ଛାତ୍ରଛାତ୍ରୀମାନଙ୍କୁ ଦେଖିଲେ ଯୋଜନାର ଲାଭ କୁଆଡେ ଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାଖରେ ବିଦ୍ୟୁତ ଖୁଣ୍ଟ, ବର୍ଷା, ଶୀତ, କାକର ସବୁବେଳେ ଗଛ ପାଲଟିଛି ପିଲାଙ୍କ ସାହାରା । ଏନେଇ ବେଲପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚତୁର୍ଭୁଜ ମିର୍ଦ୍ଧଙ୍କୁ ପଚରାଯିବାରୁ ସେ କିଛି କହିବାକୁ ମନା କରିଦେଇଥିଲେ । ଅନ୍ୟ ପଟେ ତୁରନ୍ତ ସ୍କୁଲ ନିର୍ମାଣର ପାଇଁ ପଡାର ନବିନ ଜାଲ, ରମଣି କୁଅଁର, ଜମା ମାହାର, ସୁବାସିନୀ ଠେଲା, ଗର୍ଜ ମଲ୍ଲିକ, ପରମେଶ୍ଵର ଖର୍ସେଲ, ରାମଦାସ ଚିର୍ଗୁନ୍ଙ୍କ ସମେତ ଅନ୍ୟମାନେ ଦାବୀ କରିଛନ୍ତି । ଏହାର ସମାଧାନ କରାନଗଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।