
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଁ ତାରାତାରିଣୀଙ୍କ ଚୈତ୍ର ମେଳା ୨୦୨୫ ପ୍ରଥମ ପାଳି ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି ।ମାଁଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଜନସମାଗମ ହୋଇଥିଲା । ରାତ୍ର ୩ଟା ଠାରୁ ସିଂହ ଦ୍ଵାର ଦେଇ ପାହାଚ ଚଢି ମନ୍ଦିର ନିକଟକୁ ଯାଇଥିଲେ । ପ୍ରାତଃ ୫ଟା ସମୟରେ ମହାକାଳୀ ବେଶରେ ମାଁଙ୍କୁ ସାଜସଜା କରାଇ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା । ମାଁ ଅବକାଶ, ମଙ୍ଗଳ ଆଳତି ପରେ ମହାକାଳୀ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମଙ୍ଗଳ ଆଳତି ପରେ ସର୍ବ ସାଧାରଣଙ୍କ ଦର୍ଶନ ନିମନ୍ତେ ମାଁଙ୍କ ସାହାଣ ମେଲା ଅନୁଷ୍ଠିତ ହୋଇଥିଲା । ଭକ୍ତଗଣ ମାଁଙ୍କର ଦର୍ଶନ ନିମନ୍ତେ ଧାଡି ବାନ୍ଧି ଆନନ୍ଦ ଉଲ୍ଲାସର ସହିତ ମନ୍ଦିରକୁ ପ୍ରବେଶ କରିଥିଲେ । ଭକ୍ତଗଣ ୯୯୯ ପାହାଚ ରାସ୍ତା, ପାହାଡ ରାସ୍ତା ଏବଂ ରୋକ ୱେ ଦେଇ ମାଙ୍କ ଦର୍ଶନ ନିମନ୍ତେ ଯାଇଥିଲେ । ପ୍ରଥମ ପାଳିରେ ୧୨ ଗୋଟି ବସ ପାହାଡ ରାସ୍ତା ଦେଇ ମନ୍ଦିର ବେଢା ନିକଟକୁ ଯାଇଥିଲେ । ଯାତ୍ରୀ ମାନଙ୍କର ଯିବା ଆସିବା ନିମନ୍ତେ ୩୦ ଟଙ୍କା ବସ ଟିକଟ ରଖାଯାଇଥିଲା । ଚଳିତ ଥର ଚାରିଗୋଟି ସ୍ଥାନରେ ମାନସିକ ମୁଣ୍ଡନ ନିମନ୍ତେ ବ୍ୟବସ୍ଥା କରଯାଇଥିଲା । ଖରା ତାତିରୁ ରକ୍ଷା ନିମନ୍ତେ ଭକ୍ତ ମାନଙ୍କ ସକାଶେ ଛାଉଣି କରଯାଇଥିଲା । ଚଳିତ ଥର ଚୈତ୍ର ପର୍ବରେ ପ୍ରଥମ କରି ଭକ୍ତ ମାନଙ୍କ ନିମନ୍ତେ ଅନ୍ନ ଯଜ୍ଞ ଏବଂ ସପ୍ତଶତୀ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯାତ୍ରାର ଧାରା ବିବରଣୀ ସିଧା ପ୍ରସାରଣ ୟୁ ଟ୍ୟବ ମାଧ୍ୟମରେ ଆୟୋଜନ କରଯାଇଥିଲା । ଏଲ ସି ଡି ର ବ୍ୟବସ୍ଥା ହୋଇଥିଲା, ପ୍ରଥମ ପାଳିରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତିଗଣ ମାଁଙ୍କ ପ୍ରାତଃ ଦର୍ଶନ କରି ଯଜ୍ଞରେ ବସିଥିଲେ । ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ବାଣିଜ୍ୟ ପରିବହନ, ଖଣି ଓ ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୁତୀ ଭୂଷଣ ଜେନାଙ୍କ ମାର୍ଗ ଦର୍ଶନରେ ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା । ଚୈତ୍ର ପର୍ବର ପୂର୍ବ ରାତି ତଥା ସୋମବାର ଦିନ ଉପସ୍ଥିତ ଥିବା ଭକ୍ତ ମାନଙ୍କ ମନୋରଞ୍ଜନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ଓ ଲୋକନୃତ୍ୟ, ଭାରତ ଲୀଳା ପ୍ରଦର୍ଶନ ହୋଇଥିଲା । ପ୍ରଥମ ମଙ୍ଗଳବାର ଯୋଗୁଁ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଦ୍ଵାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସ୍ଥାନରେ ସ୍ଵେଚ୍ଛାସେବୀ ନିଯୋଜିତ ହୋଇଥିଲେ । ପ୍ରଶାସନ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା ଶୃଙ୍ଖଳିତ ଦର୍ଶନ ନିମନ୍ତେ ବେରିକଟ ବ୍ୟବସ୍ଥା ସମେତ ୨୦ ରୁ ଅଧିକ ସିସି ଟିଭି ବ୍ୟବସ୍ଥା କରଯାଇଥିଲା । ଚଳିତ ବର୍ଷ ଚୈତ୍ର ମାସରେ ଚାରିଗୋଟି ମଙ୍ଗଳବାର ପଡିଥିବା ହେତୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଲକ୍ଷାଧିକ ଭିଡ ହେବ ସମ୍ଭାବନା ରହିଛି । ସେହି ହେତୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।