- ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି ସିକର୍ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମକେ-ଆଇ ଯୁଦ୍ଧ ବିମାନରୁ କରାଗଲା ପରୀକ୍ଷଣ
ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁସେନା (ଆଇଏଏଫ)ର ମିଳିତ ଉଦ୍ୟମରେ ଆଜି ଦୃଶ୍ୟମାନ ପରିଧିଠାରୁ ବାହାରେ ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା (ବିଭିଆରଏଏଏମ) ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରରେ ସ୍ୱଦେଶୀ ଭାବେ ନିର୍ମିତ ରେଡିଓ ଫ୍ରିକ୍ୱେନ୍ସି ସିକର୍ ଲାଗିଛି । ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁ-୩୦ ଏମକେ-ଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସମୟରେ ଭିନ୍ନ ଭିନ୍ନ ସ୍ତର, ଦିଗ, ଉତକ୍ଷେପଣ ପରିସ୍ଥିତିରେ ଥିବା ଦୁଇଟି ମାନବବିହୀନ ଆକାଶମାର୍ଗ ଲକ୍ଷ୍ୟକୁ ଭେଦ କରିବା ଲାଗି ଦୁଇଟି କ୍ଷେପଣାସ୍ତ୍ରକୁ ପ୍ରୟୋଗ କରାଯାଇଥିଲା । କ୍ଷେତ୍ରରେ, କ୍ଷେପଣାସ୍ତ୍ରଗୁଡ଼ିକ ସମ୍ପୂର୍ଣ୍ଣ ସଠିକ ଭାବେ ଲକ୍ଷ୍ୟଗୁଡ଼ିକୁ ଧ୍ୱଂସ କରିଥିଲା । ପରୀକ୍ଷଣ ସମୟରେ, ସମସ୍ତ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା । ଏଥିରେ ଡିଆରଡିଓ ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ବିକଶିତ କରାଯାଇଥିବା ରେଡିଓ ଫ୍ରିକୁଏନ୍ସି ସିକର୍ ମଧ୍ୟ ଅନ୍ତର୍ଭୁକ୍ତ । ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା କଏଦ ହୋଇଥିବା ଉଡ଼ାଣ ତଥ୍ୟ ମାଧ୍ୟମରେ ‘ଅସ୍ତ୍ର’ ଯୁଦ୍ଧାସ୍ତ୍ର ପ୍ରଣାଳୀର ତ୍ରୁଟିହୀନ କାର୍ଯ୍ୟଦକ୍ଷତାକୁ ଯାଞ୍ଚ କରାଯାଇଥିଲା । ଏହି ସଫଳ ଉଡ଼ାଣ ପରୀକ୍ଷଣ ସ୍ୱଦେଶୀ ଭାବେ ନିର୍ମିତ ସିକର୍ ସହିତ ‘ଅସ୍ତ୍ର’ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଠିକ ଲକ୍ଷ୍ୟଭେଦ କ୍ଷମତା ଏବଂ ଭରସାଯୋଗ୍ୟ କାର୍ଯ୍ୟଦକ୍ଷତାକୁ ପୁନଃ ପ୍ରମାଣିତ କରିଥିଲା । ଅସ୍ତ୍ର ବିଭିଆରଏଏଏମ ୧୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ । ଏଥିରେ ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ଦିଗ ନିର୍ଣ୍ଣୟ ପ୍ରଣାଳୀ ସଂଯୁକ୍ତ ହୋଇଛି । ଏହି ଅସ୍ତ୍ର ପ୍ରଣାଳୀକୁ ସଫଳ ଭାବେ ନିର୍ମାଣ କରିବା ଲାଗି ଡିଆରଡିଓର ବିଭିନ୍ନ ପ୍ରୟୋଗଶାଳା ସମେତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ସମେତ ୫୦ରୁ ଅଧିକ ସରକାରୀ ଓ ଘରୋଇ ଶିଳ୍ପସଂସ୍ଥା ଯୋଗଦାନ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରଏଫ ସିକର୍ର ଡିଜାଇନ୍ ଏବଂ ବିକାଶରେ ଜଡିତ ଡିଆରଡିଓ, ଆଇଏଏଫ୍ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ସ୍ୱଦେଶୀ ଆରଏଫ ସିକର୍ ସହିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ହାସଲ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ସଫଳ ଉଡ଼ାଣ ପରୀକ୍ଷଣରେ ସାମିଲ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।