ppurohit

ପ୍ରକଳ୍ପ ନିର୍ଦେଶକଙ୍କ ଚିଠିକୁ ଗୁରୁତ୍ୱ ଦେଉନାହାନ୍ତି ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ : ବରଗଡ଼ ଜିଲ୍ଲାରେ ଗ୍ରାମୀଣ ପାର୍କ ନିର୍ମାଣ ସ୍ୱପ୍ନ ପାଲଟିଛି

2nd

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ୨୦୧୮ ମସିହାରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ଲେଖାଏଁ ଗ୍ରାମୀଣ ଉଦ୍ୟାନ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ । ୨୦୧୮ ମସିହାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୧୪ ଟି ବ୍ଲକରେ ୫ଟି ଲେଖାଏଁ ଗ୍ରାମୀଣ ପାର୍କ ନିର୍ମାଣ ନିମନ୍ତେ ଏକ ମାର୍ଗଦର୍ଶିକା ଜାରି କରିଥିଲେ । ୨୦୨୧ ମସିହାରେ ଏହି ସଂଖ୍ୟା ବୃଦ୍ଧି ହୋଇ ପ୍ରତ୍ୟେକ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଅନ୍ୟୁନ୍ନ ଗୋଟିଏ ଲେଖାଏଁ ଗ୍ରାମୀଣ ପାର୍କ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଥିଲା ଯାହାକୁ ନେଇ ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ବରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଗତ ୨୪.୦୯.୨୦୨୧ ତାରିଖରେ ଏକ ଚିଠି କରିଥିଲେ କିନ୍ତୁ କୌଣସି ଗ୍ରାମ ପଞ୍ଚାୟତରୁ ତତ୍ପରତା ପ୍ରକାଶ କଲେ ନାହିଁ । ଏହାଦ୍ୱାରା ପ୍ରତ୍ୟକ୍ଷ ଭାବେ ଜିଲ୍ଲାର ବାତାବରଣ ନଷ୍ଟ ହେବାରେ ଲାଗିଛି । ଗୋଟିଏ ପଟେ ପୁରୀ, ଗଞ୍ଜାମ, ଭଦ୍ରକ ଭଳି ଜିଲ୍ଲାରେ ଅନେକ ଗ୍ରାମୀଣ ପାର୍କ ନିର୍ମାଣ କରାଯାଇଥିବା ବେଳେ ବରଗଡ଼ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ବରଗଡ଼ ଜିଲ୍ଲା ସବୁଜ ସୁନ୍ଦର ହେବାରୁ ବଞ୍ଚିତ ହେଉଛି ବୋଲି ମତପ୍ରକାଶ ପାଉଛି । ଏଥିପ୍ରତି ବରଗଡ଼ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.