- ଫେବୃୟାରୀ ୧୯ରେ ବଛର୍କିଆ ଉଛବ୍
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଅଧ୍ୟାପକ ଡ. ଚିନ୍ମୟ ସାହୁ, କଣ୍ଠଶିଳ୍ପୀ ସୁଷମା ଭୋଇ, ଯୁବକବି ଦେବାଶିଷ ମେହେର, ଦିଲେଶ ମେହେର, ଦିଲ୍ଲୀପ କୁମାର ଦେବତା ପ୍ରମୁଖ ଯୋଗ ଦେଇଥିଲେ । ସଂପାଦକ ରାଜେଶ୍ଵର ବେହେରା ସ୍ଵାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ବଛର୍କିଆ ଉଛବ୍ ଓ ପାର୍ବତୀ ଗିରି ଜୟନ୍ତୀ ପାଇଁ ଆଲୋଚନା ହୋଇଥିଲା । ଆଗାମୀ ଫେବୃଆରୀ ୧୯ରେ ପରିଷଦର ବଛର୍କିଆ ଉଛବ୍ ଆୟୋଜନ କରିବାକୁ ନିଷ୍ପତ୍ତି ହେଇଥିଲା । ଏଥିରେ ବିଶିଷ୍ଟ କଳାକାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୟନ୍ତୀ ସହ ସାହିତ୍ୟପ୍ରାଣ କବି ଖଗେଶ୍ୱର ସେଠଙ୍କ ପୂଣ୍ୟ ତିଥି ପାଳନ କରାଯିବକୁ ସ୍ଥିର ହୋଇଛି । ଚଳିତବର୍ଷ ପ୍ରଥମ ଭାବେ କଳାକାର ତୁଳସୀ ପ୍ରସାଦ ଗଡତୀୟା କଳା ସମ୍ମାନ ଚିତ୍ରଶିଳ୍ପୀ ଅଭିମନ୍ୟୁ ମେହେରଙ୍କୁ ଓ ପ୍ରତିବର୍ଷ ପରି ଖଗେଶ୍ୱର ସାହିତ୍ୟ ସମ୍ମାନ ସାହିତ୍ୟିକ ଅମୃତ ଲାଲ ସାହୁଙ୍କୁ ପ୍ରଦାନ କରିବାକୁ ପ୍ରସ୍ତାବ ରଖାଯାଇଛି । ଅପରପକ୍ଷରେ ପରିଷଦର ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲର ତୃତୀୟ ସଂଖ୍ୟା ପ୍ରକାଶ କରିବାକୁ ନିର୍ଦ୍ଧାରିତ ହୋଇଛି । ଏହା ସହିତ କବିତା ଆସର ସହ ଲୋକନୃତ୍ୟ ପରିବେଷଣ କରାଯିବାକୁ ସ୍ଥିର ହୋଇଛି । ସେହିପରି ଆଗାମୀ ଜାନୁୟାରୀ ୨୦ରେ ଟି.ଗଣ୍ଡପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବଡମା’ ପାର୍ବତୀ ଗିରି ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଶେଷରେ ଗୀତିକାର ମକରଧ୍ୱଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।