ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡ) : ଜାତୀୟ ରାଜପଥ ପାର୍ଶ୍ଵ ପୁଇଁତୋଳାଠାରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଜଣାପଡିଛି । ଗ୍ରାମବାସୀଙ୍କ ଉଦ୍ୟମରେ ୧୯୯୪ରେ ସ୍ଥାପିତ ହୋଇଥିବା ଏହି ସ୍କୁଲଟି ନିଉ ଏଡେଡ଼୍ ସ୍କୁଲ ହୋଇଥିବା ହେତୁ ପ୍ରଶାସନର ଆଢୁଆଳ ଥିବା ବେଳେ କୌଣସି ସରକାରୀ ଅନୁଦାନ ଏହି ସ୍କୁଲକୁ ଆସୁନି । ଏହିଭଳି ସମୟରେ ସହଯୋଗର ହାତ ବଢ଼ାଇଛି ସ୍ଥାନୀୟ ଗ୍ରାସୀମ କମ୍ପାନୀ । ଶନିବାର କମ୍ପାନୀ ପକ୍ଷରୁ ସ୍କୁଲ ପିଲାଙ୍କୁ ପରିଚୟ ପତ୍ର ଓ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା । କମ୍ପାନୀ ସିଏସ୍ଆର ମୁଖ୍ୟ ସୁସ୍ମିତା ବେହେରା ଓ ଇଲେକ୍ଟ୍ରିକାଲ ହେଡ଼ ନିଖିଳ ମାହେଶ୍ୱରୀ ପ୍ରମୁଖ ବଣ୍ଟନ କରିଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଭଗବାନ ପ୍ରଧାନ, ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ପଟ୍ଟନାୟକ, ସହକାରୀ ଶିକ୍ଷକ ସୁରେନ୍ଦ୍ର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ, ଦୁଇଟି ଶ୍ରେଣୀଗୃହ ଷଷ୍ଠ ଓ ସପ୍ତମରେ ମୋଟ ୫୧ ଜଣ ଛାତ୍ରୀଛାତ୍ର ଅଧୟନ କରୁଛନ୍ତି । ସରକାରଙ୍କ ପକ୍ଷରୁ କେବଳ ମାଗଣା ଡ୍ରେସ, ବହି ଓ ମଧ୍ୟାହ୍ନ ଭୋଜନକୁ ଛାଡିଦେଲେ ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ମୁଖ୍ୟ ସମସ୍ୟା ପାନୀୟ ଜଳ ବ୍ୟବସ୍ଥା ନାହିଁ ଉକ୍ତ ସ୍କୁଲରେ । ନା ପିଲାଙ୍କୁ ଦିଆଯାଉଛି ଖେଳ ଉପକରଣ । ଏମିତିକି ସ୍କୁଲରେ ରଙ୍ଗ ଦେବା, ଚକ୍ଖଡ଼ି, ଡଷ୍ଟର ଆଦି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉ ନଥିବା ନେଇ ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।