ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଉପକଣ୍ଠର ପଥରଚେପାଠାରେ ରହିଛି ସମାଜସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀଗିରିଙ୍କ ଦ୍ୱାରା ସ୍ଥାପିତ ପାର୍ବତୀଗିରି ବାଳ ନିକେତନ । ୧୯୯୫ ମସିହାରୁ ଏହି ବାଳ ନିକେତନରେ ଅନାଥ ଶିଶୁମାନଙ୍କୁ ସେବାଯତ୍ନ କରାଯାଇ ଆସୁଛି । ଏହି ବାଳ ନିକେତନ ସ୍ଥାପିତ ହେବାର ଦୀର୍ଘ ୨୮ ବର୍ଷ ପରେ ଆଜି ଜଣେ ସାବାଳିକା ଅନ୍ତେବାସିନୀ ଶିବାନୀ ଦାସଙ୍କର ବିବାହ ସମ୍ପନ୍ନ ହୋଇଛି । ଗତକାଲି ହଳଦୀ ରସମ ଓ ସଂଗୀତ କାର୍ଯ୍ୟକ୍ରମ ପରେ ଆଜି ଧୁମ୍ଧାମ୍ରେ ଶିବାନୀଙ୍କର ବିବାହ ସମ୍ପନ୍ନ ହୋଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଶିକ୍ଷାବିତ୍ ପ୍ରଫେସର ମଧୁସୂଦନ ପତି, ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଶାନ୍ତିଲତା ବହିଦାର, ପ୍ରୋବେସନ ଆପିଏସ କୁଳଦୀପ, ଉପଜିଲ୍ଲାପାଳ କୁମାର ନାଗଭୂଷଣ, ସଦର ଏସ୍ଡିପିଓ ତୋଫାନ ବାଗ, ସଦର ଆଇଆଇସି ଶ୍ରୀକାନ୍ତ ସାହୁ, ମାରୱାଡି ସମାଜର ସଭାପତି ମନୋଜ ଜୈନ, ରୋଟାରିଆନ ଇଂ.ସତ୍ୟନାରାୟଣ ଅଗ୍ରୱାଲ, ବବିତା ଅଗ୍ରୱାଲ, ଧର୍ମେନ୍ଦ୍ର ନନ୍ଦ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ଅନୁଷ୍ଠାନର ସଂପାଦିକା ସଂସ୍କୃତି ପଟ୍ଟନାୟକ ଓ ତାଙ୍କ ସ୍ୱାମୀ ବାବୁଲା ବହିଦାର ଶିବାନୀଙ୍କ କନ୍ୟାଦାନ କରିଛନ୍ତି । ବାଳ ନିକେତନରେ ପୂର୍ବରୁ କେବଳ ଅନାଥ ଶିଶୁମାନଙ୍କୁ ରଖାଯାଇ ପାଠ ପଢା ଯାଉଥିଲା । ୧୨ ବର୍ଷ ବୟସର ହେଲେ ସେମାନଙ୍କୁ ବରଗଡ଼ ଜିଲ୍ଲା ପାଇକମାଲ କସ୍ତୁରବା ଆଶ୍ରମକୁ ନିଆଯାଇ ରଖାଯାଉଥିଲା । କିନ୍ତୁ ଏବେ ସରକାର ନିଜେ ଏହାର ପରିଚାଳନା କରିବା ପରେ ସବୁ ବୟସର ପୁଅ ଝିଅ ଏଠାରେ ରହୁଛନ୍ତି । ସେମାନଙ୍କୁ ଉଚ୍ଚତର ଶିକ୍ଷା ସହିତ ନିଯୁକ୍ତି ସୁଯୋଗ ଦିଆଯାଉଛି । ଅନାଥ ହୋଇ ନିଜର ପରିଚୟ ଖୋଜୁଥିବା ଶିବାନୀ ଆଜି ନୂତନ ପରିଚୟ ପାଇଛନ୍ତି । ବେଲପଡା ବ୍ଲକର ମଣ୍ଡଳ ଗାଁର ସ୍ୱର୍ଗତ ବିମ୍ବାଧର ଖମାରୀଙ୍କ ଏକମାତ୍ର ପୁଅ ଦେବାଶିଷ ଖମାରୀ ଶିବାନୀଙ୍କ ହାତଧରି ପାଣିଗ୍ରହଣ କରିଛନ୍ତି । ଜନ୍ମଜନ୍ମାନ୍ତର ପାଇଁ ଦୁହେଁ ଦୁହିଁଙ୍କୁ ପତିପତ୍ନୀ ରୂପେ ସ୍ୱୀକାର କରି ନୂତନ ପରିବାର ଗଠନ କରିଛନ୍ତି । ଆଶ୍ରମରେ ରହୁଥିବା ପ୍ରାୟ ୬୦ଜଣ ଶିଶୁଙ୍କ ଅଳିଅଳ ଶିବାନୀ ନାନୀ ଆଜି ବାହା ହୋଇଛନ୍ତି । ସେଥିପାଇଁ ସମସ୍ତଙ୍କ ମନରେ ଖୁବ୍ ଖୁସି । ପ୍ରଥମ କରି ଆଶ୍ରମର ଏକ ଝିଅକୁ ବାହାଦେଇ ବହିଦାର ପରିବାର ମଧ୍ୟ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କର ବଡ ଝିଅକୁ ବାହା କରାଇଛନ୍ତି ବୋଲି ବାବୁଲା ବହିଦାର କହିଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣା ଶିବାନୀଙ୍କୁ ସରକାରୀ ନିୟମ ଅନୁଯାୟୀ ୫୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ସମାଜରେ ଅନେକ ଅବହେଳିତ ଶିଶୁ ରହିଛନ୍ତି । ସେମାନଙ୍କୁ ସାମାଜିକ ନ୍ୟାୟ ଦେବା ଆମ ସମସ୍ତଙ୍କର ଦାୟିତ୍ୱ । ଆଜି ଦେବାଶିଷ ଭଳି ଜଣେ ଯୁବକ ଶିବାନୀଙ୍କୁ ବାହା ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି । ଠିକ୍ ସେହିପରି ଏଭଳି ଆଦର୍ଶ ବିବାହ ସମାଜରେ ନୂତନ ପ୍ରେରଣା ଜାଗ୍ରତ କରିବ ବୋଲି ପ୍ରଫେସର ମଧୁସୂଦନ ପତି ମତ ଦେଇଛନ୍ତି । ଏହି ଆଶ୍ରମରୁ ପ୍ରଥମ କରି ଜଣେ ଝିଅ ବିବାହ ହେଉଥିବାରୁ ସମସ୍ତ ଅନ୍ତେବାସୀ ଖୁବ୍ ଉତ୍ସାହିତ ବୋଲି କହିଛନ୍ତି । ଦୀର୍ଘ ୧୩ ବର୍ଷ ତଳେ ୨୦୧୦ ମସିହାରେ ପାଟଣାଗଡ଼ ନିକଟସ୍ଥ ଧୁବଳପଡା ରାସ୍ତାରେ ୮ ବର୍ଷ ବୟସର ଶିବାନୀ ଏକାକି ବୁଲୁଥିଲେ । ତାଙ୍କ ଜନ୍ମ କଲା ମାଆ ବାପା ତାଙ୍କୁ ଛାଡି କୁଆଡେ ଚାଲିଯାଇଥିଲେ । ସକାଳୁ କାନ୍ଦୁଥିବା ଅବସ୍ଥାରେ ପାଟଣାଗଡ଼ ପୋଲିସ ତାଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନ ଜରିଆରେ ଆଣି ପାର୍ବତୀଗିରି ବାଳ ନିକେତନରେ ଥଇଥାନ କରିଥିଲେ । ଏଠାରେ ସେ ରହି ପାଠ ପଢିଲେ । ଶିବାନୀ ଜଣେ ଉଚ୍ଚଶିକ୍ଷିତା ଯୁବତୀ । ମାଟ୍ରିକ୍ ପାଠ ପରେ ସେ ଗନ୍ଧମାର୍ଦ୍ଦନ ଆଇଟିଆଇରେ ପାଠ ପଢିଥିଲେ । ଜଣେ ସଫଳ ଆଇଟିଆଇ ଫିଟର୍ ହୋଇପାରିଛନ୍ତି । ତାଙ୍କୁ ପତ୍ନୀ ରୂପେ ଦେବାଶିଷ ପାଇଛନ୍ତି । ତାଙ୍କର ସଫଳ ଜୀବନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଶୀର୍ବାଦ କରିଛନ୍ତି । ଏହି ବିବାହ କରାଇବାରେ ଡିସିପିୟୁ ଲକ୍ଷ୍ମୀ ସିଂ, ପାର୍ବତୀଗିରି ବାଳ ନିକେତନର ଅଧିକ୍ଷକ ଆଶିଷ ଖମାରୀ, ସ୍ୱେଚ୍ଛାସେବୀ ଅରୁଣ ଖୁଆସ, ନନ୍ଦକିଶୋର ସାମଲ, ପ୍ରଦ୍ୟୁମ୍ନ ସାହୁ, ଅଲି ପଧାନ, ସର୍ଜନ ସାହୁ, ଦଶରଥ ଦାସ, କୌଶଲ୍ୟା ପଶାୟତ, ହେମାଙ୍ଗିନୀ ପୁଟା ପ୍ରମୁଖ ଭୂମିକା ନେଇଥିଲେ । ସେହିପରି ବିବାହରେ ଯୋଗଦେବାକୁ ପାଇକମାଲ ଆଶ୍ରମ ଓ ଫୁଲଝରନ ଆଶ୍ରମରୁ ମଧ୍ୟ ପରିଚାଳିକାଗଣ ଆସିଥିଲେ । ଠିକ୍ ସେହିପରି ଅନେକ ସ୍ୱେଚ୍ଛାସେବୀ, ସାମ୍ବାଦିକ ଓ ସଂଗଠକଗଣ ଯୋଗ ଦେଇଥିଲେ ।