ls

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

sb
  • ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ଦୁଇଦିନିଆ ଆନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମ୍ପ୍ରତିକ ସମୟରେ ଆମ ଦେଶ ଭାରତ ଦ୍ରୁତ ଗତିରେ ବିଭିନ୍ନ କ୍ଷେତ୍ରରେ ଆଗେଇବାରେ ଲାଗିଛି । ଏଥିରୁ ଅନ୍ୟୟନ ଓ ଅଧ୍ୟାପନା ବାଦ ପଡ଼ିନାହିଁ । ସାରା ବିଶ୍ୱରେ ଭାରତର ଇଂରାଜୀ କହୁଥିବା ଏବଂ ଉନ୍ନତ ଜ୍ଞାନକୌଶଳରେ ବଳୀୟାନ ମାନବ ସମ୍ବଳର ଚାହିଦା ସର୍ବାଧିକ । ଏହି ମାନବ ସମ୍ବଳର ବିକାଶ ଦିଗରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନର ଧାରା ଜାରି ରହିଛି । ଏହି ପରିବର୍ତ୍ତନ ପାଇଁ ଉଭୟେ ସରକାରୀ ଓ ଘରୋଇ କ୍ଷେତ୍ରରେ ମିଳିତ ସହଯୋଗର ଆବଶ୍ୟକତା ରହିଛି ବୋଲି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ଦୁଇଦିନିଆ ଆନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟନ କରି କହିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର । ଚାଇନା, ବ୍ରିଟେନ, ଜାପାନ ଏବଂ ୟୁରୋପ ବନାମ ଭାରତର ଶିକ୍ଷା ବ୍ୟବସ୍ଥା ସହିତ ଶିଳ୍ପୋଦ୍ୟୋଗ ବିକାଶର ଏକ ତୁଳନାତ୍ମକ ପରିସଂଖ୍ୟାନ ଦେଇ ପ୍ରଫେସର ମିଶ୍ର ବିଭିନ୍ନ ଉପାଦେୟ ତଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ‘ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା’ ଶୀର୍ଷକ ଏହି ଆଲୋଚନା ଚକ୍ରର ଉଦ୍‌ଘାଟନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରା ଅଧ୍ୟକ୍ଷତା କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ମାୟାଧର ବାରିକ ଅତିଥି ପରିଚୟ ପ୍ରଦାନ ସହିତ ଆଲୋଚନାଚକ୍ର ସମ୍ପର୍କରେ ସୂଚନା ଦେଇଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଡ. ଭବାନୀଶଙ୍କର ରାଉତ ଆଲୋଚନା ଚକ୍ର ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ଆଲୋଚ୍ୟ ବିଷୟ ସମ୍ପର୍କରେ ଭିତ୍ତି ନିବନ୍ଧ ଉପସ୍ଥାପନ କରିଥିଲେ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ବାଣିଜ୍ୟ ଓ ପରିଚାଳନା ବିଭାଗର ମୁଖ୍ୟ ଓ ଡିନ୍‌ ପ୍ରଫେସର କିଶୋର କୁମାର ଦାସ । ପ୍ରଫେସର ଦାସ ତାଙ୍କ ଆଲୋଚନାରେ ପରିବର୍ତ୍ତନ ଓ ପ୍ରଗତି ପରସ୍ପର ନିର୍ଭରଶୀଳ ବୋଲି କହିବା ସହିତ ନୋକିଆ ଏବଂ ଆମ୍ବାସାଡର ଭଳି ଗୋଟିଏ ସମୟର ପରିଚିତ ଓ ଲୋକପ୍ରିୟ ବ୍ରାଣ୍ଡ୍‌ କିପରି ସମୟ ସହିତ ତାଳ ଦେଇ ପରିବର୍ତ୍ତନ ନହେବାରୁ ବଜାରରୁ ଉଭାନ ହୋଇଯିବା ସମ୍ପର୍କରେ କହିଥିଲେ । ୧୮୬୦ ମସିହାରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିଚାଳନା ବିଷୟରେ ହୋଇଥିବା ବିଭିନ୍ନ ପ୍ରଗତି ଓ ନୂତନ କାର୍ଯ୍ୟ ସମ୍ପର୍କରେ ପିପିଟି ମାଧ୍ୟମରେ ପ୍ରଫେସର ଦାସ ଆଲୋଚନା କରିଥିଲେ । ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଉଦ୍‌ଘାଟନୀ ଶେଷରେ ବିଭାଗୀୟ ଅଧ୍ୟାପକ ଧିରେନ କୁମାର ମହନ୍ତ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ପ୍ରଥମ ଦିନରେ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ଦୁଇଟି ବୈଷୟିକ ସମ୍ପାନ ମାଧ୍ୟମରେ ଓଡ଼ିଶା, ଭାରତ ଏବଂ ଭାରତ ବାହାରୁ ଅନେକ ଅଧ୍ୟାପକ, ଅଧ୍ୟାପିକା ଏବଂ ପ୍ରାଧ୍ୟାପକମାନେ ନିଜ ନିଜର ସ୍ୱରଚିତ ସନ୍ଦର୍ଭ ଉପସ୍ଥାପନ କରି ଆଲୋଚନା କରିଥିଲେ । ଶୁକ୍ରବାର ଏହି ଆଲୋଚନା ଚକ୍ରର ଉଦ୍‌ଯାପିତ ହେବ ବୋଲି ସୂଚନା ଦିଆଯାଇଛି। ଏଥିରେ ବିଶେଷ ଅତିଥି ଓ ପ୍ରସଙ୍ଗଭିତ୍ତିକ ସନ୍ଦର୍ଭ ଉପାସ୍ଥାପକଙ୍କ ମଧ୍ୟରେ ନେପାଳର ତ୍ରୁଭୁବନ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଭାତ ସିଂହ ଥାପ୍ପା ଆଭାଷୀ ମାଧ୍ୟମରେ ଯୋଗ ଦେଇଥିଲେ । ଏହା ସହିତ ମଣିପାଳ ସ୍ଥିତ ମଣିପାଳ ଏକାଡେମୀ ଅଫ୍‌ ହାୟର ଏଜୁକେସନ ସଂସ୍ଥାରୁ ପ୍ରଫେସର ଶେଖର ମିଶ୍ର, ରମାଦେବୀ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ସାବତ କୁମାର ଦିଗଲ ପ୍ରମୁଖଙ୍କ ଉପସ୍ଥିତି ଓ ସନ୍ଦର୍ଭ ଉପସ୍ଥାପନା କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା । ପ୍ରଥମ ଦିନର ଅଧିବେଶନକୁ ପରିଚାଳନା କରିବାରେ ବିଭାଗୀୟ ଅଧ୍ୟାପିକା ଉଶାରାଣୀ ସେଠୀ, ରାଜଲକ୍ଷ୍ମୀ ବାରିକ ପ୍ରମୁଖ ସହାୟତା କରିଥିଲାବେଳେ ବିଭାଗୀୟ ସ୍ନାତକୋତ୍ତର ଛାତ୍ରୀ ସୃଷ୍ଟି ମହାନ୍ତି ସଭାକାର୍ଯ୍ୟର ସଞ୍ଚାଳନ କରିଥିଲେ । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏହିଭଳି ଏକ ଆନ୍ତର୍ଜାତୀୟ ଆଲୋଚନାଚକ୍ର ଆୟୋଜିତ ହେଉଛି ଯେଉଁଥିରେ ନେପାଳ ଓ ବାହାରିନ ଆଦି ଦେଶରୁ ଅଧ୍ୟାପକ ଓ ପ୍ରାଧ୍ୟାପକମାନେ ଯୋଗ ଦେଇଛନ୍ତି ।

pc pk
Leave A Reply

Your email address will not be published.