ପରିବେଶ ସଚେତନତା ଅଭିଯାନ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତର ଖୁଣ୍ଟପାଲି ଓ ମୁର୍ହାପାଲି ଗ୍ରାମରେ ପରିବେଶ ତଥା ସାମାଜିକ କର୍ମୀ ଲିଙ୍ଗରାଜ ପ୍ରଧାନଙ୍କ ସହଯୋଗରେ ପରିବେଶ ସଚେତନତା ଅଭିଯାନ ଆରମ୍ଭ ହୋଇଅଛି । ଖୁଣ୍ଟପାଲି ଗ୍ରାମରେ ଶରତ ବଡଗୁଛିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡ ସଂପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗ ଦେଇ ବିଶ୍ୱ ଉତ୍ତାପନ ଓ ଜୀବଜଗତ ଉପରେ ଏହାର ପ୍ରଭାବ, ଜଳବାୟୁ ପରିବର୍ତ୍ତନ, ବୃକ୍ଷରୋପଣ ଓ ଜଂଗଲ ସଂରକ୍ଷଣ ସଂପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ । ସାମାଜିକ ଓ ପରିବେଶ କର୍ମୀ ଲିଙ୍ଗରାଜ ପ୍ରଧାନ ଅଂଶଗ୍ରହଣ କରି ଜୀବ ଜଗତ ଓ ଆଗାମୀ ପିଢ଼ିର ସୁରକ୍ଷା ନିମିତ୍ତ ବୃକ୍ଷରୁ ନିର୍ଗତ ଅମ୍ଳଜାନର ଉପାଦେୟତା ଓ ଏଥି ସକାଶେ ବୃକ୍ଷରୋପଣ ଓ ଜଂଗଲ ସଂରକ୍ଷଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରି ପରିବେଶ ସଚେତନତା କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନର ରୂପ ଦେବାକୁ ଅନୁରୋଧ କରିଥିଲେ । ଉପସ୍ଥିତ ଇଚ୍ଛୁକ ଗ୍ରାମବାସୀଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇ ନିଜ ନିଜର ଘର ବାଡିରେ ରୋପଣ କରି ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଥିଲା । ଠିକ ସେହିପରି ମୁର୍ହାପାଲି ଗ୍ରାମରେ ପରିବେଶ ସଚେତନତା ଅଭିଯାନ ମାଧ୍ୟମରେ ଇଚ୍ଛୁକ ଗ୍ରାମବାସୀଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.