ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ପରିବାର ଅସହାୟ : ପରିବାର କଲ୍ୟାଣ ଯୋଜନା କାହା ପାଇଁ

ସିନାପାଲି, (ନିରାକାର ମେହେର) : ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ଅବସ୍ଥାରେ ଥିବା ପରିବାର ପାଇଁ ସରକାର ବିଭିନ୍ନ ପରିବାର କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ସିନାପାଲି ବ୍ଲକରେ ତାହା ସାତ ସପନ ପାଲଟିଥିବା ଅଭିଯୋଗ ହେଉଛି । ସ୍ୱାମୀଙ୍କ ମୃତ୍ୟୁ ପରେ ବର୍ଷ ବର୍ଷ ବିତିଯାଉଥିଲେ ବି ଅସହାୟ ବିଧବା ମହିଳାଙ୍କୁ ମିଳିପାରୁନି ସରକାରୀ ସହାୟତା । ଏମିତି କି ଶବ ସତ୍କାର ଅବା ଶୁଦ୍ଧିକ୍ରିୟା ପାଇଁ ଉଦ୍ଧିଷ୍ଟ ସରକାରୀ ହରିଶ୍ଚନ୍ଦ୍ର ଯୋଜନା ସହାୟତା ମଧ୍ୟ ହିତାଧିକାରୀଙ୍କୁ ମିଳିପାରୁନି । ବାରମ୍ବାର ଆବେଦନ ସତ୍ତ୍ୱେ ବିଧବା ଭତ୍ତା କିମ୍ବା ଜାତୀୟ ପରିବାର କଲ୍ୟାଣ ଯୋଜନାରେ ସାମିଲ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ କନ୍ଦାମୁଣ୍ଡା ଗ୍ରାମରେ । ପ୍ରାପ୍ତ ଖବର ଅନୁସାରେ କନ୍ଦାମୁଣ୍ଡା ନିବାସୀ ଦେବସିଙ୍ଗ ରାଉତ ଗତ ବର୍ଷ ଡିସେମ୍ବର ମାସରେ ଅକାଳ ମୃତ୍ୟୁ ବରଣ କରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଭାନୁ ରାଉତ ଅସହାୟ ହୋଇ ଭାଙ୍ଗି ପଡିଛନ୍ତି । ତାଙ୍କ ଦୁଇ ପୁଅ ପିତାମ୍ବର ଓ ସଞ୍ଜୟ ଅଛନ୍ତି । କୁଳିମଜୁରୀ କରି ସେ ପରିବାର ଚଳାନ୍ତି । ତିନି ଜଣଙ୍କ ନାମରେ ଥିବା ଏକ ରାସନ କର୍ଡ଼ରେ ମାସିକ ୧୫ କିଗ୍ରା ଚାଉଳରେ ସେମାନଙ୍କ ପେଟ ପୁରେ । ଜମିବାଡ଼ି ନାମକୁ ମାତ୍ର ଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିକ ଜୁଟି ପାରି ନାହିଁ । ରାସନ କାର୍ଡକୁ ଛାଡିଦେଲେ ସରକାରୀ ସହାୟତା ଏହି ପରିବାର ପାଇଁ ସାତ ସପନ ପାଲଟିଛି । ସ୍ୱାମୀ ଦେବସିଙ୍ଗଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କର ଏଯାଏଁ ବିଧବା ଭତ୍ତା ହୋଇପାରିନାହିଁ । ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୨୦ ହଜାର ଟଙ୍କା ସହାୟତା ମିଳିବ କଥା । କିନ୍ତୁ ବାରମ୍ବାର ଆବେଦନ ସତ୍ୱେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରି ନାହିଁ । ଏହିଭଳି ସରକାରୀ ସହାୟତାକୁ ଆଶା ବାନ୍ଧି ନିରାଶ ହୋଇ ପଡିଲେଣି । ଏହି ସବୁ ଯୋଜନାରେ ସାମିଲ ହୋଇ ସହାୟତା ପାଇ ପାରିଲେ ଉପକୃତ ହୋଇପାରିବେ ବୋଲି ପରିବାର ପ୍ରକାଶ କରିଛନ୍ତି । ବ୍ଲକ ପ୍ରଶାସନ ବିକାଶର ଦ୍ୱାହି ଦେଇ ଡିମଡିମ୍ବ ପିଟୁଥିବା ବେଳେ ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଜିଲ୍ଲା ତଥା ବ୍ଲକ ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ଦେଇ ଅସହାୟ ପରିବାରକୁ ଯୋଜନାରେ ସାମିଲ କରି ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.