centurian jitm

୨୦୨୫-୨୬ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଏକ ଉପ-ଯୋଜନା ଭାବେ କମାଣ୍ଡ କ୍ଷେତ୍ର ବିକାଶ ଏବଂ ଜଳ ପରିଚାଳନାର ଆଧୁନିକୀକରଣକୁ କ୍ୟାବିନେଟ ମଞ୍ଜୁରି

nschool

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର ଉପ-ଯୋଜନା ଭାବେ କମାଣ୍ଡ କ୍ଷେତ୍ର ବିକାଶ ଏବଂ ଜଳ ପରିଚାଳନା (ଏମ-ସିଏଡିଡବ୍ଲ୍ୟୁଏମ)ର ଆଧୁନିକୀକରଣକୁ ଅନୁମୋଦନ କରିଛି । ଏହି ଯୋଜନାର ମୋଟ ପ୍ରାରମ୍ଭିକ ବ୍ୟୟ ଅଟକଳ ୧୬୦୦ କୋଟି ଟଙ୍କା ରଖାଯାଇଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ କାର୍ଯ୍ୟକ୍ଷମ କେନାଲ କିମ୍ବା ଅନ୍ୟାନ୍ୟ ଉତ୍ସରୁ ନିର୍ଦ୍ଦିଷ୍ଟ କ୍ଲଷ୍ଟରକୁ ଜଳସେଚନ ଉଦ୍ଦେଶ୍ୟରେ ଜଳ ଯୋଗାଣ ନେଟୱର୍କର ଆଧୁନିକୀକରଣ କରିବା । ଏଥିରେ ଚାପଯୁକ୍ତ ଭୂତଳ ପାଇପ ଜଳସେଚନ ଜରିଆରେ ଏକ ହେକ୍ଟର ପର୍ଯ୍ୟନ୍ତ ସ୍ଥାପିତ ଉତ୍ସରୁ ଜମି ପର୍ଯ୍ୟନ୍ତ ଚାଷୀଙ୍କ ଦ୍ୱାରା କ୍ଷୁଦ୍ର ଜଳସେଚନ ନିମନ୍ତେ ମଜବୁତ ବ୍ୟାକଏଣ୍ଡ ମୌଳିକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । ଜଳ ଆକାଉଣ୍ଟିଂ ଏବଂ ଜଳ ପରିଚାଳନା ପାଇଁ ଏସ୍.ସି.ଏ.ଡି.ଏ., ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଟେକ୍ନୋଲୋଜି ବ୍ୟବହାର କରାଯିବ । ଏହା ଜଳ ବ୍ୟବହାର ଦକ୍ଷତା ଏବଂ କୃଷି ଉତ୍ପାଦନ ସହିତ କୃଷି ସ୍ତରରେ ଉତ୍ପାଦକତା ବୃଦ୍ଧି କରିବ, ଯାହାଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇବ । ଜଳସେଚନ ସମ୍ପତ୍ତିର ପରିଚାଳନା ପାଇଁ ଜଳ ବ୍ୟବହାରକାରୀ କମିଟିକୁ ଜଳସେଚନ ପରିଚାଳନା ହସ୍ତାନ୍ତର କରି ଏହି ପ୍ରକଳ୍ପଗୁଡ଼ିକୁ ସ୍ଥାୟୀ କରାଯିବ । ଜଳ ବ୍ୟବହାରକାରୀ ସଂସ୍ଥାଗୁଡ଼ିକୁ ପାଞ୍ଚ ବର୍ଷ ପାଇଁ ଏଫ.ପି.ଓ. କିମ୍ବା ପି.ଏ.ସି.ଏସ. ଭଳି ବର୍ତ୍ତମାନର ଆର୍ଥିକ ସଂସ୍ଥା ସହିତ ଯୋଡ଼ିବା ପାଇଁ ସହାୟତା ପ୍ରଦାନ କରାଯିବ । ଆଧୁନିକ ଜଳସେଚନ ପଦ୍ଧତି ଅବଲମ୍ବନ କରି ଯୁବବର୍ଗଙ୍କ ମଧ୍ୟରେ କୃଷି କ୍ଷେତ୍ରକୁ ଆସିବାର ଆଗ୍ରହ ମଧ୍ୟ ବଢ଼ିବ । ରାଜ୍ୟଗୁଡ଼ିକୁ ଚାଲେଞ୍ଜ ପାଣ୍ଠି ଯୋଗାଣ ଜରିଆରେ ଦେଶର ବିଭିନ୍ନ କୃଷି ଜଳବାୟୁ ଜୋନରେ ପରୀକ୍ଷାମୂଳକ ପ୍ରକଳ୍ପ ହାତକୁ ନେବା ଲାଗି ପ୍ରାରମ୍ଭିକ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପଗୁଡ଼ିକର ପରିକଳ୍ପନା ଏବଂ ଢାଞ୍ଚାକୁ ଆଧାର କରି ଷୋଡ଼ଶ ଅର୍ଥ ଆୟୋଗଙ୍କ ଅବଧି ପାଇଁ ୨୦୨୬ ମସିହା ଏପ୍ରିଲ ମାସରୁ କମାଣ୍ଡ କ୍ଷେତ୍ର ବିକାଶ ଏବଂ ଜଳ ପରିଚାଳନା ପାଇଁ ଜାତୀୟ ଯୋଜନାର ଶୁଭାରମ୍ଭ କରାଯିବ ।

Leave A Reply

Your email address will not be published.