
ରାଷ୍ଟ୍ରପତି ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର ସମାରୋହରେ ଓଡ଼ିଶାର ଅଦ୍ୱେତ ଚରଣ ଗଡ଼ନାୟକ (କଳା), ପ୍ରଫେସର (ଡ. ଅଶୋକ କୁମାର ମହାପାତ୍ର (ଚିକିତ୍ସା) ଏବଂ ଶ୍ରୀ ଦୁର୍ଗା ଚରଣ ରଣବୀର (କଳା)ଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଛନ୍ତି

ପୁରସ୍କୃତ ବ୍ୟକ୍ତିମାନଙ୍କ ସଂକ୍ଷିପ୍ତ ଜୀବନୀ ଓ କାର୍ଯ୍ୟାବଳୀ ସଂପର୍କିତ ବିବରଣୀ ନିମ୍ନରେ ଦିଆଗଲା :
ଅଦ୍ୱୈତ ଚରଣ ଗଡ଼ନାୟକ
ଅଦ୍ୱୈତ ଚରଣ ଗଡ଼ନାୟକ ଜଣେ ପ୍ରସିଦ୍ଧ ଭାରତୀୟ ମୂର୍ତ୍ତିଶିଳ୍ପୀ, ଯିଏ କି କଳା ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜଣାଶୁଣା । ଅନେକ ଦଶନ୍ଧି ଧରି ଚାଲିଥିବା ତାଙ୍କ କଳାକୃତି ତାଙ୍କୁ ଉଭୟ ଭାରତ ଓ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଛି । ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଐତିହ୍ୟର ଗଭୀରତାକୁ ପ୍ରତିଫଳିତ କରୁଥିବା ମୂର୍ତ୍ତି ନିର୍ମାଣରେ ତାଙ୍କର ଦକ୍ଷତା ପାଇଁ ସେ ବହୁତ ପ୍ରଶଂସିତ ।
୧୯୬୩ ମସିହା ଏପ୍ରିଲ ୨୪ ତାରିଖରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଗଡ଼ନାୟକ ଆରମ୍ଭରୁ ହିଁ ଭାରତୀୟ କଳା, ପରମ୍ପରା ଓ ଭାସ୍କର୍ୟ୍ୟ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ସେ ଉଭୟ ଭାରତ ଏବଂ ବିଦେଶର ପ୍ରତିଷ୍ଠିତ ଅନୁଷ୍ଠାନରେ ଫାଇନ ଆର୍ଟ ଏବଂ ମୂର୍ତ୍ତିକଳାର ଆନୁଷ୍ଠାନିକ ତାଲିମ ହାସଲ କରିଥିଲେ । ଧାର୍ମିକ ବିଗ୍ରହ ଓ ସାଂସ୍କୃତିକ ଇତିହାସରେ ଆଧାରିତ ଭାରତର ମୂର୍ତ୍ତି କଳାର ସମୃଦ୍ଧ ପରମ୍ପରାକୁ ଗଭୀର ଭାବରେ ବୁଝିବା ପରେ ତାଙ୍କ କଳା ପ୍ରତି ତାଙ୍କର ସମର୍ପଣ ଆହୁରି ଦୃଢ଼ ହୋଇଥିଲା । ଶାସ୍ତ୍ରୀୟ ଭାରତୀୟ ମୂର୍ତ୍ତି ପରମ୍ପରାରେ ତାଙ୍କର କାର୍ଯ୍ୟ ଗଭୀର ଭାବରେ ଜଡ଼ିତ, କିନ୍ତୁ ତାଙ୍କର ଆଧୁନିକ ଆଭିମୁଖ୍ୟ ତାଙ୍କ ସୃଷ୍ଟିକୁ ଏକ ସାର୍ବଜନୀନ ଆକର୍ଷଣ ପ୍ରଦାନ କରେ । ସେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଭିଜୁଆଲ ଆର୍ଟ ବିଭାଗର ମୁଖ୍ୟ ଅଛନ୍ତି । ପାରମ୍ପରିକ ବିଷୟବସ୍ତୁକୁ ସମସାମୟିକ ସୌନ୍ଦର୍ଯ୍ୟ ସହିତ ମିଶ୍ରଣ କରିବାର ତାଙ୍କର ଦକ୍ଷତା ତାଙ୍କୁ ତାଙ୍କ ସମକାଳୀନ ଅନେକଙ୍କଠାରୁ ଅଲଗା କରିଛି । ହିନ୍ଦୁ ପୁରାଣ ଏବଂ ଭାରତର ବିବିଧ ସାଂସ୍କୃତିକ ଐତିହ୍ୟରୁ ପ୍ରେରଣା ନେଇ ସେ ଅମୂର୍ତ ମୂର୍ତ୍ତି ନିର୍ମାଣ କରି, କନସେପଚୁଆଲ ଆର୍ଟ ବା ଧାରଣାତ୍ମକ କଳାରେ ତାଙ୍କର ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଜଣାଶୁଣା ।
ନୂଆଦିଲ୍ଲୀର ପୋଲିସ ସ୍ମାରକୀ ତାଙ୍କର ସବୁଠାରୁ ପ୍ରସିଦ୍ଧ କୃତି ମଧ୍ୟରୁ ଅନ୍ୟତମ, ଯାହା ମୂର୍ତ୍ତି ପ୍ରତି ତାଙ୍କର ଧାରଣାତ୍ମକ ଆଭିମୁଖ୍ୟର ଉଦାହରଣ । ଆଧ୍ୟାତ୍ମିକ ଦର୍ଶନର ଏକ ଝଲକ ପ୍ରଦାନ କରୁଥିବା ଏହି କଳାକୃତି ଦିବ୍ୟ, ଅନନ୍ତ ଓ ମହାଜାଗତିକର ଅନୁସନ୍ଧାନ କରିଥାଏ । ଶ୍ରୀ ଗଡ଼ନାୟକ ମୁମ୍ବାଇର ପିରାମଲ ଗ୍ରୁପ୍ ପାଇଁ ସ୍କଲଚର ପାର୍କ ଏବଂ ଜାପାନର ସକାଇ ସିଟିର ଡାଇସେନ୍ ପାର୍କରେ ଏକ ମୂର୍ତ୍ତି ନିର୍ମାଣ କରିଛନ୍ତି ।
ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ (ଏନ୍ଜିଏମ୍ଏ)ର ମହାନିର୍ଦ୍ଦେଶକ ଭାବେ ଶ୍ରୀ ଗଡ଼ନାୟକ ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଏକ ଦୂରଦର୍ଶୀ ଆଭିମୁଖ୍ୟ ସହ ଏହାର ନେତୃତ୍ୱ ନେଇଥିଲେ । ତାଙ୍କ ତତ୍ତ୍ୱାବଧାନରେ ଏନ୍ଜିଏମ୍ଏ ଅନେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରକଳ୍ପ ହାତକୁ ନେଇଥିଲା । ତାଙ୍କ ନେତୃତ୍ୱ ଭାରତର କଳା କ୍ଷେତ୍ରକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ମେମେଣ୍ଟୋଗୁଡ଼ିକର ଇ-ନିଲାମ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭେନିସ୍ ୨୦୧୯ସ୍ଥିତ ଭାରତୀୟ ପ୍ୟାଭିଲିୟନର ନିର୍ମାତା, ଚୀନରେ ବ୍ରିକ୍ସ ମେଣ୍ଟ ଅଧୀନରେ ପ୍ରଦର୍ଶନୀ ଏବଂ ଜାପାନ, ଅଷ୍ଟ୍ରେଲିଆ, ଇସ୍ରାଏଲ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଜର୍ମାନୀ, ସ୍ଲୋଭେନିଆ, ଶ୍ରୀଲଙ୍କା, ଇଟାଲୀ, ଦକ୍ଷିଣ ଆଫ୍ରିକା, ପର୍ତ୍ତୁଗାଲ ଆଦି ଦେଶର କଳା ଅନୁଷ୍ଠାନ ଓ ମ୍ୟୁଜିୟମ ସହଯୋଗରେ ପ୍ରଦର୍ଶନୀ ଆୟୋଜନ ।
ଏନ୍ଜିଏମ୍ଏର ମହାନିର୍ଦ୍ଦେଶକ ଭାବେ ଶ୍ରୀ ଗଡ଼ନାୟକଙ୍କ କାର୍ଯ୍ୟକାଳ ସମୟରେ ଅନ୍ୟତମ ଉଲ୍ଲେଖନୀୟ ସଫଳତା ଥିଲା ନୂଆଦିଲ୍ଲୀସ୍ଥିତ ଗ୍ୟାଲେରିର ଐତିହାସିକ ମୁଖ୍ୟାଳୟ ଜୟପୁର ହାଉସର ସଫଳ ନବୀକରଣ । ଶ୍ରୀ ଗଡ଼ନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ଏହି ଐତିହାସିକ କୋଠାର ନବୀକରଣ ପ୍ରକଳ୍ପ ଏହାର ସମୃଦ୍ଧ ଐତିହ୍ୟକୁ ଆଧୁନିକ ସୌନ୍ଦର୍ଯ୍ୟ ସହିତ ମିଶାଇ ଏହାକୁ ଭାରତର କଳାତ୍ମକ ଭବିଷ୍ୟତର ଆଲୋକବର୍ତ୍ତିକାରେ ପରିଣତ କରିଥିଲା । ଜୟପୁର ହାଉସର ଏହି ପୁନରୁଦ୍ଧାର କେବଳ ବିଶ୍ୱସ୍ତରୀୟ ପ୍ରଦର୍ଶନୀ ପ୍ରଦର୍ଶନ କରିବାପାଇଁ ଏନ୍ଜିଏମ୍ଏର କ୍ଷମତାକୁ ବଢ଼ାଇନଥିଲା ବରଂ ଏକବିଂଶ ଶତାବ୍ଦୀରେ ଭାରତୀୟ ଏବଂ ବିଶ୍ୱ କଳା ବିଷୟରେ ଆଲୋଚନାକୁ ଆକାର ଦେବାରେ ଗ୍ୟାଲେରୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ପ୍ରଫେସର (ଡ.) ଅଶୋକ କୁମାର ମହାପାତ୍ର
ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଦେଶର ଜଣେ ବିଶିଷ୍ଟ ନ୍ୟୁରୋ ସର୍ଜନ ଯିଏ କି ସୋଆ (ଡିମଡ୍) ବିଶ୍ୱବିଦ୍ୟାଳୟର ଚିକିତ୍ସା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି ।
୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିବା ପ୍ରଫେସର (ଡାକ୍ତର) ମହାପାତ୍ର ୧୯୭୦ ମସିହାରେ ଏମ୍କେସିଜି ମେଡିକାଲ କଲେଜରେ ଯୋଗ ଦେଇ ୧୯୭୫ମସିହାରେ ଏମ୍ବିବିଏସ୍ ପାସ୍ କରିଥିଲେ । ସେ ଦିଲ୍ଲୀ ଏମ୍ସରୁ ନ୍ୟୁରୋ ସର୍ଜରୀରେ ଏମ୍ଏସ୍ ଏବଂ ଏମ୍ସିଏଚ୍ କରିଥିଲେ । ୧୯୮୩ରୁ ୨୦୧୭ ପର୍ଯ୍ୟନ୍ତ ସେ ଦିଲ୍ଲୀ ଏମ୍ସରେ ନ୍ୟୁରୋ ସର୍ଜରୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୯୬ ମସିହାରେ ପ୍ରଫେସର ଏବଂ ୨୦୦୪ ମସିହାରେ ଏମ୍ସରେ ବରିଷ୍ଠ ପ୍ରଫେସର ଭାବରେ ଯୋଗ ଦେଇଥିଲେ । ୨୦୦୬ରେ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏସ୍ଜିପିଜିଆଇ)ର ନିର୍ଦ୍ଦେଶକ ଏବଂ ୨୦୧୨ମସିହାରେ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ । ଏମ୍ସ (ଦିଲ୍ଲୀ)ରେ ପ୍ରାୟ ୪୨ ବର୍ଷ ରହିବା ପରେ ସେ ନୂଆଦିଲ୍ଲୀ ଏମ୍ସର ଡିନ୍ ରିସର୍ଚ୍ଚ ଭାବେ ଅବସର ନେଇଥିଲେ । ସେ ଭୁବନେଶ୍ୱରସ୍ଥିତ ଏସ୍ଓଏ ବିଶ୍ୱବିଦ୍ୟାଳୟ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ କୁଳପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ଡିସେମ୍ବର ୨୦୨୨ରେ ଅବସର ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଏସ୍ଓଏଡିୟୁର ଡାକ୍ତରୀ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି । ଏମ୍ସରେ କାର୍ଯ୍ୟ କାଳରେ ପ୍ରଫେସର (ଡ.) ମହାପାତ୍ର ୮୭୦ଟି ନିବନ୍ଧ ପ୍ରକାଶ କରିଥିଲେ, ୧୬ଟି ପୁସ୍ତକ ଓ ୧୪୦ରୁ ଅଧିକ ଅଧ୍ୟାୟ ରଚନା କରିଥିଲେ । ଗତ ୩୦ ବର୍ଷ ମଧ୍ୟରେ ସେ ୨୦ରୁ ଅଧିକ ଗବେଷଣା ପ୍ରକଳ୍ପ କରିଛନ୍ତି । ଏମ୍ସରେ ଥିବା ସମୟରେ ସେ ୧୨ ଜଣ ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ୧୯୯୮-୨୦୦୮ ମଧ୍ୟରେ ତାଙ୍କ ନାଁରେ ଭାରତରେ ତୃତୀୟ ସର୍ବାଧିକ ଓ ଏମ୍ସରେ ସର୍ବାଧିକ ସଂଖ୍ୟକ ମେଡିକାଲ ପବ୍ଲିକେସନ୍ ଥିଲା । ତାଙ୍କର ୨୬,୮୦୦ରୁ ଅଧିକ ସାଇଟେସନ ସହିତ ୮୭୦ ପ୍ରକାଶନ ଏବଂ ଏଚ୍ ଇଣ୍ଡେକ୍ସ ୬୪ ଏବଂ ଆଇ ୧୦ ଇଣ୍ଡେକ୍ସ ୫୬୯ ରହିଛି । ୨୦୧୯ରୁ ୨୦୨୩ ମଧ୍ୟରେ ସେ ବିଶ୍ୱର ୨% ପ୍ରମୁଖ ନ୍ୟୁରୋ ବୈଜ୍ଞାନିକ, ବିଶ୍ୱର ପ୍ରମୁଖ ୫% ନ୍ୟୁରୋସର୍ଜନ ଏବଂ ପ୍ରମୁଖ ୧% ପେଡିଆଟ୍ରିକ ନ୍ୟୁରୋ ସର୍ଜନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।
ପ୍ରଫେସର (ଡ.) ମହାପାତ୍ର ୩ ବର୍ଷ (୨୦୦୬-୨୦୦୯) ପାଇଁ ଏସ୍ଜିପିଜିଆଇର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏହି ୩ ବର୍ଷ ମଧ୍ୟରେ ସେ ସ୍କୁଲ ଅଫ୍ ଟେଲିମେଡିସିନ୍, ଲିଭର ଟ୍ରାନ୍ସପ୍ଲାଣ୍ଟ ସେଣ୍ଟର, ବିଏମ୍ଟି ସେଣ୍ଟର, ଆଡଭାନ୍ସଡ୍ ପେଡିଆଟ୍ରିକ ସେଣ୍ଟର, ଟ୍ରମା ସେଣ୍ଟର ଇତ୍ୟାଦି ୧୦-୧୨ରୁ ଅଧିକ ପ୍ରକଳ୍ପକୁ ସଫଳତାର ସହ ଶେଷ କରି ଏସ୍ଜିପିଜିଆଇର ଦ୍ୱିତୀୟ ପର୍ଯ୍ୟାୟ (୨୦୦୬-୨୦୦୯) ଶେଷ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏସ୍ ଜିପିଜିଆଇରେ ୬ଟି ବିଭାଗ ଆରମ୍ଭ ହୋଇଥିଲା । ୧) ହସ୍ପିଟାଲ ପ୍ରଶାସନ, ୨) ପେଡିଆଟ୍ରିକ ସର୍ଜରୀ, ୩) ପଲମୋନାରି ମେଡିସିନ, ୪) ମାତୃତ୍ୱ ଓ ପ୍ରଜନନ ସ୍ୱାସ୍ଥ୍ୟ, ୫) ନିଓନାଟୋଲୋଜି ଏବଂ ୬) ମଲିକ୍ୟୁଲାର ମେଡିସିନ ।
ପ୍ରଫେସର (ଡାକ୍ତର) ମହାପାତ୍ର ୨୦୧୨ ମସିହାରେ ଆରମ୍ଭ ହୋଇଥିବା ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ । ୨୦୧୨ରୁ ୨୦୧୬ ମଧ୍ୟରେ ୪ ବର୍ଷ ମଧ୍ୟରେ ଏମ୍ବିବିଏସ୍, ବିଏସ୍ସି (ନର୍ସିଂ ଅନର୍ସ), ପିଜି ଓ ଡିଏମ୍, ଏମ୍ସିଏଚ୍ ଆରମ୍ଭ ହୋଇଥିଲା । ସେ ୨୦୧୫ରେ ଭୁବନେଶ୍ୱର ଏମ୍ସ ବିଏସ୍ସି (ଅନର୍ସ) ମେଡିକାଲ ଟେକ୍ନୋଲୋଜିର ଶୁଭାରମ୍ଭ କରିଥିଲେ ।
ପ୍ରଫେସର (ଡାକ୍ତର) ମହାପାତ୍ର ୨୦୧୧ମସିହାରେ ନ୍ୟୁରୋଲୋଜିକାଲ ସର୍ଜନ ସୋସାଇଟି ଅଫ୍ ଇଣ୍ଡିଆ (ଏନ୍ଏସ୍ଏସ୍ଆଇ)ର ପ୍ରତିଷ୍ଠାତା ସଭାପତି ହୋଇଥିଲେ । ସେ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ନର୍ଭ ସର୍ଜରୀ (ଆଇଏସ୍ପିଏନ୍ଏସ୍), ୨୦୧୧ ଆରମ୍ଭ କରିଥିଲେ ଏବଂ ଏହାର ପ୍ରତିଷ୍ଠାତା ସଭାପତି ଥିଲେ । ପେଡିଆଟ୍ରିକ୍ ନ୍ୟୁରୋ ସର୍ଜରୀ (୧୯୮୯-୨୦୧୨), ନ୍ୟୁରୋ ଟ୍ରମା (୧୯୯୧-୨୦୨୦) ଏବଂ ସ୍କଲ୍ ବେସ୍ ସର୍ଜନ ସୋସାଇଟି ଇନ୍ ଇଣ୍ଡିଆ (୧୯୯୮-୨୦୨୦) ଏବଂ ପେରିଫେରାଲ୍ ନର୍ଭ ସର୍ଜରୀ (୨୦୨୦-୨୦୨୦)ର ବିକାଶରେ ତାଙ୍କର ବ୍ୟାପକ ଅବଦାନ ରହିଛି । ଏସ୍ଜିପିଜିଆଇରେ ୨୦୦୭-୨୦୦୮ ମଧ୍ୟରେ ଏକ ସେଣ୍ଟର ଅଫ୍ ମେଡିକାଲ ଟେକ୍ନୋଲୋଜି ଗଠନ କରାଯାଇଥିଲା । ଯେତେବେଳେ ଏମ୍ସ ଆରମ୍ଭ ହେଲା, ସେ ଭାରତ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଏମ୍ସରେ ମେଡିକାଲ ଟେକ୍ନୋଲୋଜି କଲେଜ ଖୋଲିବାକୁ ସୁନିଶ୍ଚିତ କରିଥିଲେ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା ଏବଂ ସମସ୍ତ ୬ଟି ଏମ୍ସ ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା । ଗତ ୪୦ ବର୍ଷ ମଧ୍ୟରେ ପ୍ରଫେସର (ଡ.) ମହାପାତ୍ର ଅନେକ ପୁରସ୍କାର ପାଇଛନ୍ତି । ସେ ୭୫ଟି ପୁରସ୍କାର ପାଇଥିଲେ ଏବଂ ୧୭ଟି ଓରେସନ ପାଇଥିଲେ ଏବଂ ଅନେକ ଜୀବନବ୍ୟାପୀ ଉପଲବ୍ଧି ପୁରସ୍କାର ପାଇଥିଲେ । ସେ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସର ଫେଲୋ ଏବଂ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସର ସଦସ୍ୟ ଥିଲେ ।
ଶ୍ରୀ ଦୁର୍ଗା ଚରଣ ରଣବୀର
ଓଡ଼ିଶୀ ନୃତ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଦୁର୍ଗା ଚରଣ ରଣବୀର ତାଙ୍କର ଅସାଧାରଣ ନୃତ୍ୟକଳା ପାଇଁ ଜଣାଶୁଣା ଏବଂ ଜଣେ ଗୁରୁ ଭାବରେ ସମ୍ମାନିତ । ଏହି କ୍ଷେତ୍ରର ଅନ୍ୟତମ ବରିଷ୍ଠ ଗୁରୁ ଭାବରେ ତାଙ୍କର ଅନ୍ତର୍ଜାତୀୟ ସ୍ୱୀକୃତି ତାଙ୍କ ଯୋଗ୍ୟତାର ପ୍ରମାଣ । ତାଙ୍କର ଚାରି ଦଶନ୍ଧିର କ୍ୟାରିୟରରେ ସେ ଏହି ନୃତ୍ୟର ପ୍ରଚାର ପ୍ରସାର ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ଜଣେ ନୃତ୍ୟଶିଳ୍ପୀ, ପ୍ରଦର୍ଶକ, ଗୁରୁ ଏବଂ କୋରିଓଗ୍ରାଫର ଭାବରେ କାର୍ଯ୍ୟ କରିଥିଲେ ।
୧୯୫୧ ମସିହା ମାର୍ଚ୍ଚ ପହିଲାରେ ଓଡ଼ିଶାର କାମଗୁରୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରଣବୀର ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଗୁରୁ ଦେବ ପ୍ରସାଦ ଦାସଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଗ୍ରହଣ କରିଥିଲେ । ସେ ମଧ୍ୟ ଡ. ମିନତି ମିଶ୍ର ଓ ଗୁରୁ ପଙ୍କଜ ଚରଣ ଦାସଙ୍କଠାରୁ ଅତିରିକ୍ତ ତାଲିମ ପ୍ରାପ୍ତ କରିଥିଲେ । ସେ ସମ୍ମାନଜନକ “ନୃତ୍ୟଚାର୍ଯ୍ୟ” ଡିଗ୍ରୀ ହାସଲ କରିଥିଲେ, ଯାହା ତାଙ୍କ ପେସାଦାର ଯାତ୍ରାକୁ ସୁଗମ କରିଥିଲା ।
ତାଙ୍କ ଶିକ୍ଷା ବ୍ୟତୀତ ଶ୍ରୀ ରଣବୀର ଏକ ନୃତ୍ୟଶିକ୍ଷା ମନ୍ଦିର (ନୃତ୍ୟାୟନ) ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନ ପାରମ୍ପରିକ ଗୁରୁକୁଳ ପଦ୍ଧତି ଅନୁସରଣ କରେ ଏବଂ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରଭାବ ବିସ୍ତାର କରିଛି । ଏହାର ଯୁକ୍ତରାଷ୍ଟ୍ର ଆମେରିକାରେ “ପଦ୍ମ”, କାନାଡାରେ “ତରାନା” ଏବଂ ମାଲେସିଆରେ “କଳ୍ପନା” ପରି କେନ୍ଦ୍ର ରହିଛି । ତାଙ୍କ ଛାତ୍ରଛାତ୍ରୀମାନେ ରାଜ୍ୟ ଏବଂ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର, ମାହାରୀ ସମ୍ମାନ ଭଳି ସମ୍ମାନଜନକ ସମ୍ମାନ ହାସଲ କରି ଉଲ୍ଲେଖନୀୟ ସ୍ୱୀକୃତି ହାସଲ କରିଛନ୍ତି । ତାଙ୍କର ୧୨୦ରୁ ଅଧିକ ଛାତ୍ରଛାତ୍ରୀ ଜାତୀୟ ବୃତ୍ତି ପାଇଛନ୍ତି । ସେହିପରି ୪୦ରୁ ଅଧିକଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଥିବା ବେଳେ ୩୦ରୁ ଅଧିକଙ୍କୁ ଆଇସିସିଆରର ତାଲିକାଭୁକ୍ତ କଳାକାର ଏବଂ ଦୂରଦର୍ଶନର ୧୦ ଜଣ ଟପ୍ ଗ୍ରେଡ୍ କଳାକାର ଭାବେ ସ୍ୱୀକୃତି ମିଳିଛି ।
ଶ୍ରୀ ରଣବୀରଙ୍କ ପ୍ରଦର୍ଶନ, କର୍ମଶାଳା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଛି, ଯାହା ତାଙ୍କୁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଭେନେଜୁଏଲା, ପାନାମା, କୋଷ୍ଟାରିକା, କଲମ୍ବିଆ, ଫ୍ରାନ୍ସ, ଚାଇନା, କୋରିଆ, ବାଂଲାଦେଶ, ଶ୍ରୀଲଙ୍କା, ହଙ୍ଗେରୀ, ବୁଲଗେରିଆ ଏବଂ ଜର୍ମାନୀ ଭଳି ବିଭିନ୍ନ ଦେଶରେ ପହଞ୍ଚାଇଛି । ଭାରତରେ ସେ ଖଜୁରାହୋ, କୋଣାର୍କ, ଘୁଙ୍ଗରୁ, ନିସାଗନ୍ଧି, ସୂର୍ଯ୍ୟ, ନାଟ୍ୟାଞ୍ଜଳି, ନଟରାଜ ମହୋତ୍ସବ, ହରିଦାସ ସମ୍ମିଳନୀ, ଅନନ୍ୟା ମହୋତ୍ସବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ମହୋତ୍ସବ ସମେତ ପ୍ରମୁଖ ନୃତ୍ୟ ମହୋତ୍ସବ ଏବଂ ସଙ୍ଗୀତ ନାଟକ ଏକାଡେମୀ, ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ବିଭିନ୍ନ ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ନୃତ୍ୟ ମହୋତ୍ସବରେ ଉଭୟ ଏକାକୀ ଏବଂ ଦଳଗତ ଭାବରେ ପରିବେଷଣ କରିଛନ୍ତି ।
ଶ୍ରୀ ରଣବୀରଙ୍କ କୋରିଓଗ୍ରାଫି ପାରମ୍ପରିକ ନୃତ୍ୟ ପ୍ରତି ତାଙ୍କର ଗଭୀର ବୁଝାମଣା ଏବଂ ଗଭୀର ଶ୍ରଦ୍ଧାର ପ୍ରମାଣ, ଯେଉଁଥିରେ ‘ଶବ୍ଦ-ସ୍ୱର-ପଟ୍ଟ’ ଭଳି ଉପାଦାନ ସାମିଲ ଅଛି । ତାଙ୍କର ୨୦ରୁ ଅଧିକ ମଙ୍ଗଳାଚରଣ, ୧୮ଟି ପଲ୍ଲବୀ ଓ ୧୦୦ଟି ଅଭିନୟ ସହିତ ‘ରାମାୟଣରୁ ଭାରତୀୟ ନାରୀ’, ‘ନବଗ୍ରହରୁ ଗୋପୀନାଥ ଜଗନ୍ନାଥ’, ‘କୋଣାର୍କରୁ ଚନ୍ଦ୍ର ଉପାସନା’ ଓ ‘ଆଦିତ୍ୟ ଅର୍ଚ୍ଚନା’ ଭଳି ଉଲ୍ଲେଖନୀୟ ନୃତ୍ୟ ନାଟକ ରହିଛି । ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣୀ ପାଇଁ ଚୟନ ସମିତିର ସଦସ୍ୟ ଏବଂ ଜାତୀୟ ବୃତ୍ତି ପାଇଁ ବିଚାରକ ଭାବରେ ତାଙ୍କର ଦକ୍ଷତା ବ୍ୟାପକ ଭାବରେ ସ୍ୱୀକୃତିପ୍ରାପ୍ତ । ଶ୍ରୀ ରଣବୀର ଓଡ଼ିଶା ରାଜ୍ୟ ଏକାଡେମୀ ପୁରସ୍କାର ଏବଂ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଅନେକ ପୁରସ୍କାର ପାଇଛନ୍ତି । ଦୂରଦର୍ଶନ ଦ୍ୱାରା ସେ ଶୀର୍ଷ ବର୍ଗର କୋରିଓଗ୍ରାଫର ଏବଂ ଆଇସିସିଆର ଦ୍ୱାରା ଜଣେ ଉତ୍କୃଷ୍ଟ ଗୁରୁ ଭାବରେ ପ୍ରଶଂସିତ ହୋଇଛନ୍ତି ।