ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ନିଜ କାର୍ଯ୍ୟାଳୟ ପରିସରରେ ଅବସରପ୍ରାପ୍ତ ତିନି ଜଣ କର୍ମଚାରୀଙ୍କୁ ଅବସର ଦିନ ହିଁ ଫାଇନାଲ ପେନସନ କାଗଜପତ୍ର ଓ ଗ୍ରାଚୁଇଟି ପ୍ରଦାନ କରି ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି । ଜାନୁଆରୀ ଶେଷ ଦିନରେ ସହଲା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁବୋଧ ନାରାୟଣ ସା, ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଧର୍ମଶାଳାର କନିଷ୍ଠ ସହାୟକ ତାରାଚାନ୍ଦ ମେହେର, ଶ୍ରୀ ଗଣେଶ୍ୱର ଉଚ୍ଚ ବିଦ୍ୟାଳୟ ପଞ୍ଚମହଲାର ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର କୁମାର ପୂଜାରୀ ଅବସର ଗ୍ରହଣ କରିଛନ୍ତି । ପେନସନ ସମ୍ବନ୍ଧୀୟ ସମସ୍ତ ପ୍ରାପ୍ୟର ନିର୍ଦ୍ଦେଶ କାଗଜାତ ସହ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଣ୍ଟ୍ରୋଲର ଅଫ ଆକାଉଣ୍ଟସ ଅଶୋକ କୁମାର ମହାନ୍ତି ଓ ସହକାରୀ କଣ୍ଟ୍ରୋଲର ଅଫ ଆକାଉଣ୍ଟସ ପଦାରବିନ୍ଦ ମହାପାତ୍ରଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଛି ।
 
			