jayashree

ହନୁମାନ ମନ୍ଦିର ପ୍ରତିଷ୍ଠା ଓ ନବାହ ପାରାୟଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ୯ ଦିନ ବ୍ୟାପୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବାରପୁଡୁଗିଆ ଗ୍ରାମ ଗସ୍ତ କରି ନବାହ ପରାୟଣ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଅଂଚଳର ଶୁଭ ମନାସି ଥିଲେ । ସମ୍ମାନିତ ଅତିଥି ଭାବେ ଲୋକନାଥ କୁମୁରା, ଗଗନ ନାଥ ଏବଂ ସୁଶିଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସନ୍ତୋଷ ମିଶ୍ର ଏବଂ ଭାରତୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ପାରାୟଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ପଣ୍ଡିତ ନବୀନ କିଶୋର ମିଶ୍ର ପୂଜା କାର୍ଯ୍ୟ ତୁଳାଇଥିବା ବେଳେ ଗାୟକ ଇପ୍‌ସିତ ମିଶ୍ର ପାରାୟଣ ଗାନ କରିଥିଲେ । ଏହି ଅବସରରେ ଗାୟକ ଇପ୍‌ସିତ ମିଶ୍ରଙ୍କୁ ଗାୟକ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ ପରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗରିବ, ନିଃସହାୟ ଲୋକଙ୍କୁ ଶ୍ରୀ ମିଶ୍ରଙ୍କ କରକମଳରେ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ନବାହ ପାରାୟଣ କାର୍ଯ୍ୟକ୍ରମ ପରେ ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିର ସହର ସୁଦ୍‌ପଡାରେ ଅନୁଷ୍ଠିତ ସଙ୍କଟମୋଚନ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସେଠାରେ ଆୟୋଜିତ ସୁନ୍ଦରାକାଣ୍ଡ ପାରାୟଣକୁ ଶ୍ରବଣ ପୂର୍ବକ ଶ୍ରୀ ମିଶ୍ର ବଲାଙ୍ଗିରବାସୀଙ୍କ ପାଇଁ ସୁଖ ସମୃଦ୍ଧି ମନାସି ଥିଲେ । ଆଜିର କାର୍ଯ୍ୟକ୍ରମରେ ସତ୍ୟନାରାୟଣ ଭୋଇ, ଦଇତାରି ପୂଝାରୀ, ଅନନ୍ତ ମଚଖଣ୍ଡ, କୈଳାସ ମିଶ୍ରଙ୍କ ସହ ହନୁମାନ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.