ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ପରାମର୍ଶ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନୀ ଭାଷଣ

ନୂଆଦିଲ୍ଲୀ, (ପିଆଇବି) : ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ପରାମର୍ଶ ବୈଠକରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ସ୍ୱାଗତ ।
ମହାମହିମ,
ଏହା ଆପଣଙ୍କର ତୃତୀୟ ଭାରତ ଗସ୍ତ । ସୌଭାଗ୍ୟବଶତଃ ଏହା ମୋର ତୃତୀୟ କାର୍ଯ୍ୟକାଳର ପ୍ରଥମ ଆଇଜିସି ବୈଠକ। ଏକ ପ୍ରକାରରେ ଏହା ଆମ ବନ୍ଧୁତାର ଏକ ଉତ୍ସବ ।
ମହାମହିମ,
୨୦୨୨ରେ ବର୍ଲିନରେ ଅନୁଷ୍ଠିତ ଶେଷ ଆନ୍ତଃ-ସରକାରୀ ପରାମର୍ଶ ସମୟରେ ଆମେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲୁ ।
ଗତ ଦୁଇ ବର୍ଷ ମଧ୍ୟରେ ଆମର ରଣନୈତିକ ଭାଗିଦାରୀର ବିଭିନ୍ନ କ୍ଷେତ୍ରରେ ଉତ୍ସାହଜନକ ଅଗ୍ରଗତି ହୋଇଛି । ପ୍ରତିରକ୍ଷା, ବୈଷୟିକ ଜ୍ଞାନକୌଶଳ, ଶକ୍ତି ଏବଂ ସବୁଜ ଓ ନିରନ୍ତର ବିକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାରସ୍ପରିକ ବିଶ୍ୱାସର ପ୍ରତୀକ ପାଲଟିଛି ।
ମହାମହିମ,
ବିଶ୍ୱ ଏବେ ଉତ୍ତେଜନା, ସଂଘର୍ଷ ଓ ଅନିଶ୍ଚିତତାର ସମୟ ଦେଇ ଗତି କରୁଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାସନ ଏବଂ ନାଭିଗେସନ୍‌ର ସ୍ୱାଧୀନତାକୁ ନେଇ ମଧ୍ୟ ଗମ୍ଭୀର ଉଦ୍ୱେଗ ପ୍ରକାଶ ପାଇଛି । ଏଭଳି ସମୟରେ ଭାରତ ଓ ଜର୍ମାନୀ ମଧ୍ୟରେ ରଣନୈତିକ ଭାଗିଦାରୀ ଏକ ମଜଭୁତ ଆଙ୍କର ଭାବେ ଉଭା ହୋଇଛି । ଏହା ଏକ କାରବାର ସମ୍ପର୍କ ନୁହେଁ; ଏହା ହେଉଛି ଦୁଇ ଦକ୍ଷ ଏବଂ ଶକ୍ତିଶାଳୀ ଗଣତନ୍ତ୍ର ମଧ୍ୟରେ ଏକ ପରିବର୍ତ୍ତନଶୀଳ ଭାଗିଦାରୀ – ଏକ ଭାଗିଦାରୀ ଯାହା ବିଶ୍ୱ ସମୁଦାୟ ଏବଂ ମାନବତା ପାଇଁ ଏକ ସ୍ଥିର, ସୁରକ୍ଷିତ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣରେ ଯୋଗଦାନ କରୁଛି । ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ ଆପଣ ଜାରି କରିଥିବା ‘ଫୋକସ୍ ଅନ୍ ଇଣ୍ଡିଆ’ ରଣନୀତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ।
ମହାମହିମ,
ମୁଁ ଖୁସି ଯେ, ଆମେ ଆମର ଭାଗିଦାରୀକୁ ବିସ୍ତାର ଏବଂ ଉନ୍ନତ କରିବା ପାଇଁ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛୁ । ଆମେ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟରୁ ଏକ ସମଗ୍ର ରାଷ୍ଟ୍ର ଆଭିମୁଖ୍ୟ ଆଡକୁ ଅଗ୍ରସର ହେଉଛୁ । ଉଭୟ ଦେଶର ଶିଳ୍ପ ଉଦ୍ଭାବକ ଏବଂ ଯୁବ ପ୍ରତିଭାଙ୍କୁ ସଂଯୋଗ କରୁଛନ୍ତି । ବୈଷୟିକ ଜ୍ଞାନକୌଶଳର ଗଣତାନ୍ତ୍ରିକୀକରଣ ହେଉଛି ଆମର ମିଳିତ ପ୍ରତିବଦ୍ଧତା । ଆଜି ଇନୋଭେସନ୍ ଏବଂ ଟେକ୍ନୋଲୋଜି ଉପରେ ରୋଡ୍ ମ୍ୟାପ୍ ପ୍ରକାଶ ପାଉଛି, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମିକଣ୍ଡକ୍ଟରଏବଂ ସ୍ୱଚ୍ଛ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବ । ଆମେ ବର୍ତ୍ତମାନ ଜର୍ମାନ ବ୍ୟବସାୟର ଏସିଆ-ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଛୁ, ଏବଂ ଖୁବ୍ ଶୀଘ୍ର, ଆମେ ସିଇଓ ଫୋରମରେ ମଧ୍ୟ ଅଂଶଗ୍ରହଣ କରିବୁ । ଏହା ଆମ ସହଯୋଗକୁ ଆହୁରି ସୁଦୃଢ଼ କରିବ । ଆମର ଅର୍ଥନୀତିରେ ବିବିଧତା ଏବଂ ବିପଦମୁକ୍ତ କରିବା ପାଇଁ ଆମର ପ୍ରୟାସ ତ୍ୱରାନ୍ୱିତ ହେବ, ଯାହା ସୁରକ୍ଷିତ, ବିଶ୍ୱସନୀୟ ଏବଂ ଉପଯୁକ୍ତ ଯୋଗାଣ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବାରେ ସାହାଯ୍ୟ କରିବ । ଜଳବାୟୁ କାର୍ଯ୍ୟ ପ୍ରତି ଆମର ପ୍ରତିବଦ୍ଧତା ଅନୁଯାୟୀ, ଆମେ ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିଛୁ । ଆଜି ଗ୍ରୀନ୍ ହାଇଡ୍ରୋଜେନ୍ ରୋଡ୍ ମ୍ୟାପ୍ ମଧ୍ୟ ପ୍ରକାଶ ପାଇଛି । ଆମେ ଆନନ୍ଦିତ ଯେ, ଭାରତ ଏବଂ ଜର୍ମାନୀ ମଧ୍ୟରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଗତିଶୀଳତା ଅଗ୍ରଗତି କରୁଛି । ଜର୍ମାନୀ ଦ୍ୱାରା ପ୍ରକାଶିତ କୁଶଳୀ ଶ୍ରମ ଗତିଶୀଳତା ରଣନୀତିକୁ ଆମେ ସ୍ୱାଗତ କରୁଛୁ । ମୁଁ ବିଶ୍ୱାସ କରେ ଯେ, ଆଜିର ବୈଠକ ଆମର ଭାଗିଦାରୀକୁ ନୂତନ ଶିଖରରେ ପହଞ୍ଚାଇବ । ଏହାପରେ ମୋର ସହକର୍ମୀମାନେ ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଆମକୁ ଅବଗତ କରାଇବେ । ପୁଣି ଥରେ ଭାରତରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ହାର୍ଦ୍ଦିକ ସ୍ୱାଗତ । ପ୍ରତ୍ୟାଖ୍ୟାନ – ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆନୁମାନିକ ଅନୁବାଦ । ମୂଳ ଅଭିଭାଷଣ ହିନ୍ଦୀରେ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.