ନୂଆପଡ଼ାରେ ଶୋକର ଛାୟା : ବିଜେଡି ଯୁବ ନେତା ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପତ୍ନୀଙ୍କ ପରଲୋକ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାର ଜଣାଶୁଣା ଯୁବ ସମାଜସେବୀ ତଥା ବିଜେଡି ଯୁବନେତା ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ)ଙ୍କ ପତ୍ନୀ ପୂଜା ପଣ୍ଡାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତିରେ ପୂଜା ପଣ୍ଡାଙ୍କ ମୃତଦେହ ଏକ ଗଛରୁ ଉଦ୍ଧାର କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆଜି ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହକୁ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ନୂଆପଡ଼ା ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ପୂଜା ପଣ୍ଡା ଜଣେ ଅମାୟିକ ଓ ପରୋପକାରୀ ମହିଳା ଭାବେ ବେଶ୍ ପରିଚିତ ଥିଲେ । ତାଙ୍କୁ ଶେଷ ବିଦାୟ ଦେବା ପାଇଁ ଅଞ୍ଚଳର ଶତାଧିକ ଶୁଭେଚ୍ଛୁ, ବୁଦ୍ଧିଜୀବୀ, ସମାଜସେବୀ ଓ ବିଭିନ୍ନ ଦଳର ରାଜନେତାମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶୋକାକୁଳ ପରିବେଶରେ ଉପସ୍ଥିତ ବ୍ୟକ୍ତିବିଶେଷ ମତ ପ୍ରକାଶ କରିଛନ୍ତି ଯେ, “ଏହା ପରିବାର ତଥା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦାରୁଣ ଦୁଃଖ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।”

Leave A Reply

Your email address will not be published.