ବିଶିଷ୍ଟ ଲୋକନାଟ୍ୟ କଳାକାର ତ୍ରିଲୋଚନ ପାଣ୍ଡେଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଶପୁର ପଂଚାୟତ ଅନ୍ତର୍ଗତ ମେଣ୍ଢିପାଲି ଗ୍ରାମର ବିଶିଷ୍ଟ ଲୋକନାଟ୍ୟ କଳାକାର ତ୍ରିଲୋଚନ ପାଣ୍ଡେଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହେଉଥିଲା । ଶ୍ରୀ ପାଣ୍ଡେ ମଙ୍ଗଳବାର ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ନଳକୂପ ନିକଟରେ ଖସି ପଡ଼ିଥିଲେ, ଗୁରୁତର ଅବସ୍ଥାରେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ନେବା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ଅନ୍ତେ ତାଙ୍କର ତିନି ପୁଅ ଲୋକେଶ୍ୱର ପାଣ୍ଡେ, ତରଣୀ ପାଣ୍ଡେ, ,ତପନ ପାଣ୍ଡେ, ଦୁଇ ଝିଅ ଯାଜ୍ଞସେନୀ, ସ୍ୱର୍ଗନନ୍ଦିନୀ, ଅନ୍ୟ ମାନଙ୍କ ମଧ୍ୟରେ ରାଜେନ୍ଦ୍ର ପାଣ୍ଡେ, ଶାନ୍ତନୁ ପାଣ୍ଡେ, ଜ୍ୱାଇଁ ସଂପତ୍ତି ବାଗ, ପୁତ୍ରବଧୂମାନେ, ନାତି ନାତୁଣୀ ତଥା ବନ୍ଧୁବର୍ଗ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଏକାଧାରରେ ଜଣେ ଲୋକନାଟ୍ୟ କଳାକାର, ମୃଦଙ୍ଗ ବାଦକ ଏବଂ ଗାୟକ ଥିଲେ । ଆଜି ପର୍ଯ୍ୟନ୍ତ ରାମଲୀଳା ଲୋକନାଟ୍ୟକୁ ତାଙ୍କ ଅଂଚଳରେ ବଞ୍ଚେଇ ରଖିଥିଲେ । ଏହା ବ୍ୟତୀତ ସେ ମେଣ୍ଢିପାଲି ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର, ୟୁ.ପି ସ୍କୁଲର ପୂର୍ବତନ ସଭାପତି, ଦଶପୁର ହାଇସ୍କୁଲର ପୂର୍ବତନ ସଂପାଦକ ତଥା ସଭାପତି, ସମବାୟ ସମିତିର ପୂର୍ବତନ ସଭାପତି, ଦଶପୁର ପଞ୍ଚାୟତ ଯାଦବ ସମାଜର ସଭାପତି ଭାବରେ ସଫଳତାର ସହ କାର୍ଯ୍ୟ କରି ଅଂଚଳର ଅନେକ ଅନୁଷ୍ଠାନ ସହିତ ଜଡିତ ହୋଇ ଜଣେ ଚର୍ଚ୍ଚିତ ବ୍ୟକ୍ତି ରୂପେ ଖ୍ୟାତି ଅର୍ଜନ କରିଥିଲେ । ସେ ସମାଜସେବୀ ଭାବରେ ମଧ୍ୟ ଅଂଚଳରେ ଅନେକ ଜନ ହିତକର କାର୍ଯ୍ୟ କରିଛନ୍ତି । ଭୂମିକା ନାଟ୍ୟ ଅନୁଷ୍ଠାନ ବଲାଙ୍ଗିର ଦ୍ଵାରା ନାଟ୍ୟ ଆଚାର୍ଯ୍ୟ ସମ୍ମାନରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି । ତାଙ୍କର ଶେଷ ଦର୍ଶନରେ ଅଂଚଳର ବିଶିଷ୍ଟ ରାଜନେତା, ଜନ ପ୍ରତିନିଧି, ବ୍ଲକ ଚେୟାରମେନ, ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, କଳାକାର ତଥା ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.