ସଂକୀର୍ତ୍ତନ ଗାୟକ ବସନ୍ତ ବାରିକଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖରିଦପିପଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମର ବିଶିଷ୍ଟ ସଂକୀର୍ତ୍ତନ ଗାୟକ ବସନ୍ତ ବାରିକଙ୍କ ୭୩ ବର୍ଷ ବୟସରେ ଆଜି ସକାଳ ୮ .୨୫ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ଶ୍ରୀ ବାରିକ ଆଜି ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଦହମୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବରୁ ଶ୍ରୀ ବାରିକଙ୍କ ଛାତିରେ ଅସ୍ତ୍ରୋପ୍ରଚାର ହୋଇଥିବାରୁ ଦହମୁଣ୍ଡାସ୍ଥିତ ନିଜ ବାସଭବନରେ ରହି ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସିତ ହେଉଥିଲେ । ଶ୍ରୀ ବାରିକ ଜଣେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ସଂକୀର୍ତ୍ତନ ଏବଂ ଭଜନ ଗାୟକ ଭାବେ ପରିଚିତ ଥିବାସହ ଜଣେ ମେଳାପୀ, ନିଷ୍କପଟକ ଏବଂ ଧର୍ମପ୍ରାଣ ବ୍ୟକ୍ତି ଥିଲେ । ଶ୍ରୀ ବାରିକଙ୍କ ହଠାତ୍ ବିୟୋଗ ହେବା ଖବର ଶୁଣି ଦହମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ , ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର ଗିରି, ଉପାଧ୍ୟକ୍ଷା ମିନାରାଣୀ ସାସମଲ, ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ, ସରପଞ୍ଚ ମଞ୍ଜୁରାଣୀ ବେହେରା, ସମିତି ସଦସ୍ୟା ବିନତୀ ସାହୁ ପ୍ରମୁଖ ଶୋକପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀ ବାରିକଙ୍କ ବିୟୋଗ ଖବର ଶୁଣି ନୟାପାଲି ଗ୍ରାମ ସଭାପତି ତରୁଣକାନ୍ତି ପାତ୍ର, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ବେହେରା, ଉତ୍ତର ଭୋଗରାଇ କଳାକାର ସଂଘର ସଭାପତି ଶିବଶଙ୍କର ସେଠୀ, ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ, ବରିଷ୍ଠ ନାଗରିକ ଗଙ୍ଗାଧର ଜେନା, ମାଆ ମନସା ନାଟ୍ୟ ସଂସ୍ଥାର ସଭାପତି ଲକ୍ଷ୍ମୀକାନ୍ତ ଦାସ, ସମାଜସେବୀ ଦେବବ୍ରତ ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ଜୟନ୍ତ କୁମାର ଦେ, ଅଜୟ ଦାସ , ଚନ୍ଦନ ଦାସ, ରଘୁନାଥ ଦେ ପ୍ରମୁଖ ବାସଭବନରେ ଉପସ୍ଥିତ ହୋଇ ମରଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ବାରିକଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଆରତୀ, ସାନପୁତ୍ର ପ୍ରଦୀପ, ପୁତ୍ର ବଧୂ ବେଦଲତା ଏବଂ ସସ୍ମିତା ଉପସ୍ଥିତ ଥିଲେ । ବଡ଼ ପୁତ୍ର ଅନୀଲ ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବାବେଳେ ଆସନ୍ତାକାଲି ଶ୍ରୀ ବାରିକଙ୍କ ଜନ୍ମିତ ଗ୍ରାମ ନୟାପାଲି ଶ୍ମଶାନ ଘାଟରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ସାନପୁତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.