ବମକ ପଞ୍ଚାୟତର ପୂର୍ବତନ ତଥା ପ୍ରଥମ ସରପଞ୍ଚ କିଆ ସାହୁଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ବମକ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଆ ସାହୁ (୭୨)ଙ୍କ ଗତକାଲି ରାତି ୮ ଘଣ୍ଟା ୩୩ ମିନିଟ ସମୟରେ ପରଲୋକ ହୋଇଯାଇଛି । ସେ ଉକ୍ତ ପଞ୍ଚାୟତରେ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ଵ ଗ୍ରହଣ କରି ପଞ୍ଚାୟତର ବିକାଶରେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିଲେ । କେବଳ ସେତିକି ନୁହେଁ ପଞ୍ଚାୟତର ବିକାଶ ଦିଗରେ ଏହି ପରିବାରର ଗୁରୁତ୍ଵପୂର୍ଣ୍ଣ ଭୂମିକା ସବୁବେଳେ ରହି ଆସିଥିବା ବେଳେ ସମ୍ପ୍ରତି ତାଙ୍କର ସାନ ପୁଅ ରୋମାଞ୍ଚ ସାହୁ(ରାଷ୍ଟ୍ର) ଉକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ରାଜ୍ୟ ସରପଞ୍ଚ ସଂଘ ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରି ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏଥି ପୂର୍ବରୁ ତାଙ୍କ ସାନ ବୋହୁ ପ୍ରତିମା ସାହୁ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜୟଦେବ ସାହୁଙ୍କ ଧର୍ମପତ୍ନୀ ଥିଲେ ସ୍ବର୍ଗତ କିଆ ସାହୁ । ମୃତ୍ୟୁ ଖବର ପ୍ରଚାର ହେବା ପରେ ଆଜି ସକାଳୁ ତାଙ୍କ ଶେଷ ଦର୍ଶନ ପାଇଁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୀର୍ତ୍ତନ ସାହୁ, ଗଙ୍ଗାଧର ମହାନ୍ତି, ସମାଜ ସେବୀ ବିକାଶ ରଞ୍ଜନ ସିଂହ ଦେଓ, ବିଡ଼ିଓ ବିନୟ କୁମାର ଭୋଇ, ମ.ରାମପୁର ବ୍ଲକ୍ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ସାହୁ, ବିଭୂତି ଭୂଷଣ ମହାଖୁଡ, ନବୀନ କୁମାର ସାହୁ, ବିଭୁ ପ୍ରସାଦ ସାହୁ, ପ୍ରଶାନ୍ତ ସାମନ୍ତରା, ରାକେଶ କୁମାର ଶତପଥୀ, କନିଷ୍ଠ ଯନ୍ତ୍ରୀ ପ୍ରବୀଣ କୁମାର ପାଣି ପ୍ରମୁଖ ଶେଷ ଦର୍ଶନ ପାଇଁ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଗାଆଁରେ ଆଜି ସକାଳେ ଶେଷକୃତ୍ୟ ସଂପନ୍ନ କରାଯାଇଛି । ବଡ଼ ପୁଅ ଝସକେତନ ସାହୁ ଓ ସାନ ପୁଅ ରୋମାଞ୍ଚ ସାହୁ ମୁଖାଗ୍ନୀ ଦେଇଥିଲେ । ଶତାଧିକ ଗ୍ରାମବାସୀ ତଥା ନିଜ ସମ୍ପର୍କୀୟ ଶବ ଶୋଭାଯାତ୍ରାରେ ସାମିଲ ଥିଲେ । ତେବେ ଗତକାଲି ରାତିରେ ଖାଇବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ଶେଷ ନିଃଶ୍ୱାସ ତ୍ୟାଗ କଲେ । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ବୋହୂ, ନାତି ନାତୁଣୀ, ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ନର୍ଲା ବିଧାୟକ ଭୂପିନ୍ଦ୍ର ସିଂହ, ମ.ରାମପୁର ସରପଞ୍ଚ ତଥା ବ୍ଲକ୍ ସରପଞ୍ଚ ସଂଘ ସମ୍ପାଦିକା ବୀଣାପାଣି ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.