foot

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଜଳ ସେଚନ ଅନୁଭାଗ ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲାପାଳହେମକାନ୍ତ ସୟଙ୍କ ସଭାପତିତ୍ୱରେ ସାଂସଦ ନବଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତ ମାଧ୍ୟମରେ ଜଳ ବଣ୍ଟନର ସୁପରିଚାଳନା କରାଯାଇ ଚାଷ କାର୍ଯ୍ୟରେ କିଭଳି ବିଶେଷ ଉନ୍ନ‌ତି ଆଣିବାକୁ ହେବ ତାହା ଉପସ୍ଥିତ ଚାଷୀ ଭାଇ-ଭଉଣୀଙ୍କୁ ବୁଝାଇଥିଲେ । ଅନ୍ୟପକ୍ଷରେ ପାଣିର ଅପଚୟ ଓ ଅପବ୍ୟବହାର ନକରି ସହଭାଗୀ ଜଳ ସେଚନ ପରିଚାଳନାରେ ଚାଷକାର୍ଯ୍ୟକୁ କିଭଳି ସଫଳତାର ସହ କାର୍ଯ୍ୟକାରୀ କରିବାକୁ ହେବ ତାହା ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ସାରସକଣା ବିଧାୟକ ଭାଦବ ହାଁସଦା, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଏବଂ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଇଂ ରମାକାନ୍ତ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ ଯେ, ଜଳର ସର୍ବୋତ୍କୃଷ୍ଟ ବିନିଯୋଗ କରିବା ସହ ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ସମଗ୍ର ଜିଲ୍ଲାରେ ପାଣିପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପ୍ରମୁଖ ମଞ୍ଚାସୀନ ଅତିଥି ମାନେ ଯୋଗଦେଇ ବିଭାଗୀୟ କାର୍ଯ୍ୟକ୍ରମ ବିଭିନ୍ନ ଯୋଜନା, ସହାୟତା ଓ ରିହାତି ପ୍ରଭୃତି ଉପରେ କହି କୃଷି ଜଳର ସମାବଣ୍ଟନକୁ କିଭଳି ନିଶ୍ଚିତ କରି ଫସଲରେ ଉନ୍ନ‌ତି ଆଣିହେବ ତାହା ବୁଝାଇ ସଚେତନ କରାଇଥିଲେ । ପାଣିପଞ୍ଚାୟତ ପକ୍ଷ ପାଳନରେ ମୁଖ୍ୟଯନ୍ତ୍ରୀ ଇଂ ମହାପାତ୍ର ସଭାକୁ ସମ୍ବୋଧନ କରି ପାଣି ପଞ୍ଚାୟତ କଣ, ଏହାର ଗଠନ ପ୍ରଣାଳୀ ଆବଶ୍ୟକତା କଣ, ଏହା ଦ୍ୱାରା ଜଳ ବଣ୍ଟନ ସମସ୍ୟା ଓ ଏହାର ସମାଧାନ ସହ ସୁପରିଚାଳନା କିଭଳି ହୋଇଥାଏ, କେନାଲ ଗୁଡିକର ରକ୍ଷଣାବେକ୍ଷଣ ଓ ଜଳ ସେଚନ ସମ୍ବନ୍ଦୀୟ କ୍ଷେତ୍ରରେ ପାଣିପଞ୍ଚାୟତର ଅକାର, କର୍ତ୍ତବ୍ୟ ଓ ଭୂମିକା ଉପରେ ବୁଝାଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପାଣି ପଞ୍ଚାୟତ ଉପରେ ଅନୁଷ୍ଠିତ ତର୍କ, ଚିତ୍ରାଙ୍କନ, ସାଧାରଣଜ୍ଞାନ ଆଦି ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଥାଉକି, ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା ବ୍ୟାପୀ ପାଣି ପଞ୍ଚାୟତର ବିଭିନ୍ନ ଦିଗ ଉପରେ ଚାଷୀ ସଚେତନତା ପାଇଁ ପାଣି ପଞ୍ଚାୟତ ରଥ ବାହାରିଥିଲା । ଏହି ରଥକୁ ଜିଲ୍ଲାପାଳ ଶ୍ରୀ ସୟ ସବୁଜ ପତାକା ଦେଖାଇ ୨୨ ଡିସେମ୍ବର ଦିନ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ, ଛାତ୍ରଛାତ୍ରୀଙ୍କ ଦ୍ୱାରା ଜଳସେଚନର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମର ସଂଯୋଜନା ଇଂ ସୁବ୍ରତ କୁମାର ଦାଶ କରିଥିବା ବେଳେ ନିର୍ବାହୀ ଯନ୍ତ୍ରୀ, ପ୍ରସନ୍ନ ଦାସ ଏହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପ୍ରଧାନ ଶିକ୍ଷକ ସୋମନାଥ ସିଂହ କାର୍ଯ୍ୟକ୍ରମର ଆନୁଷ୍ଠାନିକ ମଂଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.