ଘର ଭିତରେ ପଶିଲା ବର୍ଷା ପାଣି : ପିଲାଙ୍କୁ ନେଇ ଅନ୍ୟତ୍ର ଆଶ୍ରୟ ନେଲେ ବିଧବା ମହିଳା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ଗୋଟିଏ ଗରିବ ପରିବାରଙ୍କ ଘର ଭିତରେ ପାଣି ପଶିବାରୁ ରାତି ୧୨ ଟାରୁ ସେମାନେ ଘର ଛାଡି ଅନ୍ୟତ୍ର ଆଶ୍ରୟ ନେବା ପାଇଁ ବାଧ୍ୟ ହୋଇଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ତାର ପ୍ରଭାବ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବୁଧବାର ସନ୍ଧ୍ୟାରୁ ବର୍ଷାର ପ୍ରକୋପ ବୃଦ୍ଧି ହୋଇଥିବା ବେଳେ ଗତ ୧୮ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷାର ପରିମାଣ ୧୦୦ ମିମିରୁ ଅଧିକ ରହିଛି । ଆଜି ମଧ୍ୟ ଏହି ସ୍ଥିତି ଜାରି ରହିବା ସହ ବର୍ଷାର ପ୍ରକୋପ ଅଧିକ ହେବାର ସମ୍ଭାବନା ରହିଛି । ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକଙ୍କ ଘରେ ବର୍ଷାପାଣି ପଶିଯାଇଛି । ସେହିପରି ଜଲପାଙ୍କେଲ ଗ୍ରାମର ପୂର୍ଣ୍ଣମୀ ମେହେରଙ୍କ ପରିବାର ଗତରାତିରେ ଘରେ ଶୋଇଥିବା ସମୟରେ ପ୍ରବଳ ବର୍ଷା ଯୋଗୁଁ ପାଣି ଘର ଭିତରେ ପଶିଯାଇଥିଲା । ପୂର୍ଣ୍ଣମୀ ମେହେର ସାତ ମାସ ତଳେ କ୍ୟାନ୍ସର ରୋଗରେ ନିଜ ସ୍ୱାମୀଙ୍କୁ ହରାଇଥିବା ବେଳେ ୪ଟି ସନ୍ତାନ ସହ ଘରେ ରହୁଛନ୍ତି । ଏପରି ପରିସ୍ଥିତିରେ ସେ ଘର ଛାଡି ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେବା ପାଇଁ ବାଧ୍ୟ ହୋଇଛନ୍ତି । ଏନେଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଅଗ୍ନିଶମ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ତା’ସଙ୍ଗେ ସଙ୍ଗେ ଆର୍‌ଆଇଙ୍କୁ ମଧ୍ୟ ପରିସ୍ଥିତି ଦେଖିବା ପାଇଁ ପଠାଯାଇଛି । ପ୍ରଶାସନ ତରଫରୁ ଯାହା ସୁବିଧା ହେବ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.