ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଚତୁର୍ଥ ସ୍ଥାପନା ଦିବସ ସେକ୍ଟର ୧୯ ସ୍ଥିତ ସରୋବରଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ଗଣେଶ୍ୱର ପଟ୍ଟନାୟକ ଓ ରୋଟାରିଆନ ଡ଼ଃ ସଞ୍ଜୁକ୍ତା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୩୬୨୧ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଅମିତ ଜୟସ୍ୱାଲ, ସମ୍ମାନିତ ଅତିଥି ଭାବେ ରୋଟାରିଆନ ଆଲାମ ସିଂ ରୂପ୍ରା ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ବ୍ରଜେଶ ଗୁପ୍ତା ଯୋଗଦେଇ ଭାଇବ୍ରାଣ୍ଟର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରାକ୍ତନ ସଭାପତି ରୋଟାରିଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଓ ସମ୍ପାଦକ ରୋଟାରିଆନ ବସନ୍ତ କୁମାର ତନ୍ତୀ ନବନିର୍ବାଚିତ ସଭାପତି ରୋଟାରିଆନ ଡ଼ଃ ମୀନତି ପଣ୍ଡା ଓ ସମ୍ପାଦକ ରୋଟାରିଆନ ଡ଼ଃ କ୍ରୀଷ୍ଣା ପ୍ରମାଣିକଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ପ୍ରାକ୍ତନ ସଭାପତି ଶ୍ରୀ ପାତ୍ର ଓ ସମ୍ପାଦକ ଶ୍ରୀ ତନ୍ତୀ ବିଗତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ନୂତନ ସଭାପତି ଡ଼ଃ ପଣ୍ଡା ଓ ସମ୍ପାଦକ ଡଃ ପ୍ରମାଣିକ ଶପଥ ପାଠ ସହ ୨୦୨୫-୨୬ ପାଇଁ ସମସ୍ତଙ୍କ ସହଯୋଗ କାମନା କରି ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ଵକୁ ସଠିକ୍ ଭାବେ ତୁଲାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଇବ୍ରାଣ୍ଟର ନୂତନ ଟିମ୍ ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ର ପାଇଁ କୁଞ୍ଜବିହାରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ମଳୟ ରଞ୍ଜନ ରାଉତଙ୍କୁ ଦୁଇବର୍ଷ ଉନ୍ନତ ବୈଷୟିକ ଶିକ୍ଷା ପାଇଁ ଦେଢ଼ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ସେହିପରି ଭାଇବ୍ରାଣ୍ଟ ତରଫରୁ କେନ୍ଦ୍ରୀୟ ଅନୁଷ୍ଠାନକୁ ୫୦ ଡଲାର ଦାନ କରାଯାଇଥିଲା । ମୁଖ୍ୟ ଅତିଥି ଜୟସ୍ୱାଲ ତାଙ୍କ ବକ୍ତବ୍ୟରେ ଭାଇବ୍ରାଣ୍ଟର କାର୍ଯ୍ୟକ୍ରମ ଆଗାମୀ ଦିନରେ ବଜାୟ ରଖି ସମସ୍ତଙ୍କ ପାଇଁ ଉଦାହରଣ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ରୋଟାରୀ କ୍ଲବ ନେତୃତ୍ଵ ନେବା, ସହନଶୀଳତା, ସହଭାଗିତା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ସହ ସମାଜରେ ସଚେତନତା କାର୍ଯ୍ୟକ୍ରମ କରି ବେଶ ପ୍ରଶଂସା ସାଉଁଟିବା ସହ ଏହା ବିଶ୍ୱରେ ୨୨୦ ଟି ଦେଶରେ କାର୍ଯ୍ୟ କରୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲାର ସମସ୍ତ ରୋଟାରୀ କ୍ଲବର ସଭାପତି, ସମ୍ପାଦକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ରୋଟାରୀଆନ ସର୍ବଶ୍ରୀ ଅଜିତ ମୋହନ ପୁଜାରୀ, ଅର୍ଚ୍ଚନା ଦେବତା, ବିଜୟଲକ୍ଷ୍ମୀ ତ୍ରିପାଠୀ, ଅନିତା ନାୟକ, କାଜଲ ପାଢ଼ୀ, ସବିତା ମହାନ୍ତି, ଅଶୋକ କୁମାର ମିଶ୍ର, ପ୍ରଦ୍ୟୁମ୍ନ ବିଶ୍ୱାଳ, ବିଶ୍ୱନାଥ ମହାନ୍ତି, ପିତାମ୍ବର ମହାନ୍ତି ଓ ନୂତନ ସଦସ୍ୟ ଭାବେ ଡ଼ଃ ନିବେଦିତା ପଟ୍ଟନାୟକ ରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ରୋଟାରିଆନ ଶ୍ରୀ ପୁଜାରୀ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନୋରଞ୍ଜନ କରିଥିବା ବେଳେ ଏହି ଅବସରରେ କ୍ଲବର ଇସ୍ତାହାର ଉନ୍ମୋଚନ କରାଯାଇଥିଲା । ଶେଷରେ ସମ୍ପାଦକ ଡଃ ପ୍ରମାଣିକ ଧନ୍ୟବାଦ ଅର୍ପଣ କରିଥିଲେ ।