centurian jitm

ଓଡ଼ିଆ ଆନ୍ଦୋଳନର ଆଦିପୀଠ ବ୍ରହ୍ମପୁର ଠାରେ ଜିଲ୍ଲାସ୍ତରୀୟ ୯୦ତମ ଉତ୍କଳ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଆନ୍ଦୋଳନର ଆଦିପୀଠ ବ୍ରହ୍ମପୁର ଠାରେ ମହାସମାରୋହର ସହିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ୯୦ ତମ ଓଡିଶା ଦିବସ ପାଳିତ ହୋଇଯାଇଛି । ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଏକ ଅଭିନବ ଭାଷା ଆନ୍ଦୋଳନରୁ ପ୍ରସୂତ । ମହାନ ଐତିହ୍ୟ ଓ ସଂସ୍କୃତିର ଅଧିକାରୀ ଓଡ଼ିଶା ଏକଦା ସମଗ୍ର ପ୍ରାଚ୍ୟ ଭୂଖଣ୍ଡରେ ମହା ଭାରତୀୟ ସଂସ୍କୃତିର ଭାବଧାରାର ପ୍ରଚାର ଓ ପ୍ରସାର କରିଥିଲା । ସେହି ଓଡ଼ିଶାର ଦାୟାଦ ଆଜି ୯୦ତମ ଓଡ଼ିଶା ଦିବସ ହସଉଲ୍ଲାସର ସହିତ ପାଳନ କରି ପୂର୍ବସୁରୀ ମାନଙ୍କ ଅକ୍ଲାନ୍ତ ଶ୍ରମ ଓ ତ୍ୟାଗପୂତ କାହାଣୀକୁ ମନେ ପକାଇ ସେମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ନତମସ୍ତକ ହୋଇଥିଲେ । ମଙ୍ଗଳବାର ଏପ୍ରିଲ ପହିଲାର ପୂର୍ବାହ୍ନ ସମୟରେ ବ୍ରହ୍ମପୁର ନଗରର ମାନ୍ୟଗଣ୍ୟ ବ୍ୟକ୍ତି, ଅତିଥି ଗିରି ବଜାର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥଳରେ ଏକତ୍ର ହୋଇଥିଲେ । ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ସ୍ଥଳେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ମହାନଗର କମିଶନର ଭବାନୀ ଶଙ୍କର ମିଶ୍ର ସମେତ ପୂର୍ବତନ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପରେ ପରେ ବିଜୁପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କରି ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ର ପ୍ରଦର୍ଶନୀକୁ ଭୂୟସୀ ପ୍ରଶଂସା କରିଥିଲେ । ସେହିଠାରେ ଆୟୋଜିତ ସାଧାରଣ ସ୍ମୃତି ଚାରଣ ସଭାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ମୁଖ୍ୟ ଅତିଥି ବିଭୂତି ଭୂଷଣ ଜେନା ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ ଆଜି ପ୍ରତିଟି ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ଦିନ । କାହିଁ କେଉଁ କାଳରୁ ଉତ୍କଳ, କଳିଙ୍ଗ, କଙ୍ଗୋଦ, କୋଶଳ ଆଦି ନାମରେ ପରିଚିତଥିବା ଭୂଖଣ୍ଡ ଆଜି ଓଡ଼ିଶା ଭାବେ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଛି । ଦିନେ ଖଣ୍ଡବିଖଣ୍ଡିତ ହୋଇ ନିଜର ପରିଚୟ ଖୋଜୁଥିବା ଓଡ଼ିଶା ଆଜିର ଦିନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଲାଭ କଲା । ଓଡ଼ିଶାର ଇତିହାସକୁ ଅବ ଲୋକନ୍ କରି ଜଣାଇଥିଲେ ଯେ ୧୫୬୮ ମସିହା ଠାରୁ ୧୮୦୩ ମସିହା ପର୍ଯ୍ୟନ୍ତ ଆଫଗାନ୍‌ ଓ ମୋଗଲ ଶାସନ କାଳରେ ଓଡିଶାର କଳେବର ଅକ୍ଷୁଣ୍ଣ ଥିଲା । ନିଜର ସ୍ୱାତନ୍ତ୍ର୍ୟ ହରାଇ ନଥିଲା । କିନ୍ତୁ ୧୮୦୩ ମସିହାରେ ଯେତେବେଳେ ଓଡିଶା ଇଂରେଜ ଶାସନାଧୀନ ହେଲା ସେତେବେଳେ ଓଡିଶାକୁ ବିଭାଜିତ କରାଇ ଦିଆଗଲା । ଓଡ଼ିଆ ଜାତି, ଓଡ଼ିଆ ଭାଷା, ଓଡ଼ିଆ ଅସ୍ମିତାର ଆକାଶରେ ଘୋଟି ଆସିଲା କଳାବାଦଲ । ଗଞ୍ଜାମ ପ୍ରଭୃତି ଦକ୍ଷିଣ ଓଡିଶାର ବହୁ ଅଞ୍ଚଳ ମାଡ୍ରାସ ପ୍ରେସିଡେନ୍ସୀରେ ସମ୍ବଲପୁର ଇତ୍ୟାଦି ପଶ୍ଚିମାଞ୍ଚଳ ସେଣ୍ଟ୍ରାଲ ପ୍ରେସିଡେନ୍ସୀ ଅଞ୍ଚଳରେ ଏବଂ ଉତ୍ତର ଓଡିଶାର ଅନେକ ଅଞ୍ଚଳ ବେଙ୍ଗଲ ପ୍ରେସିଡେନ୍ସୀରେ ଅନ୍ତର୍ଭୁକ୍ତ ହୋଇଥିଲା । ଓଡିଶାରେ ଇଂରେଜ ଶାସନର ଦୀର୍ଘ ୫୦ ବର୍ଷ ପରେ କେତେକ ନେତୃବୃନ୍ଦ ସ୍ୱତନ୍ତ୍ର ପ୍ରଦେଶ ଗଠନର ସ୍ୱପ୍ନ ଦେଖିଥିଲେ । ସେହି ଉତ୍କଳର ମହାନ ବରପୁତ୍ରମାନଙ୍କ ମଧ୍ୟରେ କୁଳବୃଦ୍ଧ ମଧୁସୂଦନ ଦାସ, ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, କବିବର ରାଧାନାଥ ରାୟ, ଗୌରୀ ଶଙ୍କର ରାୟ, ଓଡିଆପ୍ରେମୀ ରାଜା ହରିହର ମର୍ଦ୍ଦରାଜ, ସ୍ୱଭାବ କବି ଗଙ୍ଗାଧର ମେହେର, ଦୈନିକ ଆଶାର ଜନକ ଶଶୀ ଭୂଷଣ ରଥଙ୍କ ଭଳି ସହିତ୍ୱିକ, ସାଧକ ଓ ସମାଜସେବୀ ସାମିଲ ଥିଲେ । ସେମାନଙ୍କ ଏକନିଷ୍ଠ ଦେଶପ୍ରେମ, ଭାଷାପ୍ରେମ, ମାତୃଭାଷା-ମାତୃଭୂମି ପ୍ରତି ଅଦମ୍ୟ ଭକ୍ତି, ଶ୍ରଦ୍ଧା ଓ ସ୍ୱାଭିମାନ ସହ ଉତ୍କଳ ମାତାଙ୍କ ଶ୍ରୀ ବୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ ତଥା ହୃଦୟର ବ୍ୟାକୁଳତା ୧୯୩୬ ମସିହା ଅପ୍ରେଲ ପହିଲା ଦିନ ପରାଧୀନ ଭାରତରେ ଆମପାଇଁ ଆଣିଦେଇଥିଲା ଏକ ସ୍ୱତନ୍ତ୍ର ଭୂଖଣ୍ଡ ସହ ସ୍ୱତନ୍ତ୍ର ପ୍ରଦେଶ । ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସହ ଆମ ମାଟିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ହରିହର ମର୍ଦ୍ଦରାଜ ଦେବ ପ୍ରମୁଖଙ୍କ ପ୍ରମୁଖ ଭୂମିକା ରହିଥିଲା । ୧୮୮୨ ମସିହାରେ ଖଣ୍ଡବିଖଣ୍ଡିତ ଉତ୍କଳର ସୁରକ୍ଷା ଓ ଉନ୍ନତି ପାଇଁ “ଉତ୍କଳ ସଭା’’ ନାମରେ ଏକ ଅନୁଷ୍ଠାନ ଗଠିତ ହୋଇଥିଲା, ଯାହାର ପୃଷ୍ଠପୋଷକ ଥିଲେ କର୍ମବୀର ଗୌରୀଶଙ୍କର ଓ ଉତ୍କଳ ଗୌରବ ମଧୁସୂଦନ ଦାସ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ନବଜାଗରଣ ସୃଷ୍ଟି କରିବା ଏହାର ମୂଳଲକ୍ଷ୍ୟ ଥିଲା । ପରେ ୧୯୦୩ ମସିହାରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାରେ କଟକଠାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରାଯାଇଥିଲା । ଏହାର ପରିସର ଉତ୍କଳ ସଭା ଠାରୁ ମଧ୍ୟ ଅଧିକ ବ୍ୟାପକ ଥିଲା । ପରବର୍ତ୍ତୀ ସମୟରେ ଏଥିରେ ସାମିଲ ହୋଇଥିଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ସେ ୧୯୧୯ ମସିହାରେ ‘ମଣ୍ଟେଗୁ ଚେମ୍‌ସଫର୍ଡ’ କମିଟିକୁ ସାକ୍ଷାତ କରି ମାନ୍ଦ୍ରାଜ ପ୍ରଦେଶରେ ଥିବା ଓଡ଼ିଆମାନଙ୍କର ସ୍ୱତନ୍ତ୍ର ମତଦାନ ସୁବିଧା ନିମନ୍ତେ ଦାବି କରିଥିଲେ । ଏହା ଫଳରେ ମାନ୍ଦ୍ରାଜ ପ୍ରଦେଶର ୧୦ ଜଣ ଲୋକ ପ୍ରତିନିଧିଙ୍କୁ ନିର୍ବାଚିତ କରିବାରେ ଓଡ଼ିଆମାନେ ସକ୍ଷମ ହେଲେ । ମଧୁବାବୁ ବିହାର-ଓଡ଼ିଶା ପ୍ରଦେଶର ମନ୍ତ୍ରୀ ଥିବାବେଳେ ବିହାର-ଓଡ଼ିଶା ପ୍ରଦେଶିକ କାଉନ୍‌ସିଲରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ପ୍ରଦେଶାଧୀନ କରାଯିବା ସପକ୍ଷରେ ୧୯୨୨ ମସିହାରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଅନ୍ୟପକ୍ଷରେ କୃଷ୍ଣଚନ୍ଦ୍ର ଗଜପତି ସେମାନଙ୍କୁ ‘ମଣ୍ଟେଗୁ ଚେମ୍‌ସଫୋର୍ଡ’ କମିଟିର ସୁପାରିଶ କ୍ରମେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ପ୍ରଦେଶରେ ମିଶ୍ରଣ କରିବା ସପକ୍ଷରେ ପ୍ରଭାବିତ କରିଥିଲେ । ଜୟପୁର, ମଞ୍ଜୁଷା, ଟେକେଲି ଓ ଜଳନ୍ତରାର ରାଜାମାନେ ଗଜପତିଙ୍କ ସହିତ ଏକମତ ହୋଇ କମିଟିଙ୍କ ନିକଟରେ ଦାବି ଉପସ୍ଥାପନ କଲେ । ଏହାର ଯଥାର୍ଥତା ହୃଦୟଙ୍ଗମ କରି କମିଟି ମାନ୍ଦ୍ରାଜ ପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିବା ପାଇଁ ମତ ଦେଇଥିଲେ । ଏହା ଏ ଦିଗରେ ପ୍ରଥମ ସରକାରୀ ସୁପାରିଶ ଥିଲା । ୧୯୨୮ ମସିହା ଫେବୃଆରୀ ମାସରେ ବିଲାତର ସାଇମନ କମିଶନ ଭାରତ ପରିଦର୍ଶନ କଲେ । ମଧୁବାବୁ ପାଟଣାଠାରେ କମିଶନଙ୍କୁ ସାକ୍ଷାତ କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାକୁ ଦାବି ଉପସ୍ଥାପନ କଲେ ଏବଂ ସେହିବର୍ଷ ପାରଳା ମହାରାଜା ମାନ୍ଦ୍ରାଜଠାରେ କମିଶନଙ୍କ ନିକଟରେ ମଧ୍ୟ ଅନୁରୂପ ଦାବି ଉପସ୍ଥାପନ କରି କମିଶନଙ୍କ ସହିତ ସହଯୋଗ କରିବା ପାଇଁ ଓଡ଼ିଆ ଜାତିକୁ ଆହ୍ୱାନ ଦେଇଥିଲେ । ପାରଳା ମହାରାଜଙ୍କ ପରାମର୍ଶକ୍ରମେ ଶଶୀଭୂଷଣ ରଥ ଏବଂ ବ୍ରଜସୁନ୍ଦର ଦାସ ମଧ୍ୟ କମିଶନଙ୍କ ନିକଟରେ ଅନୁରୂପ ସ୍ମାରକ ପତ୍ର ଦାଖଲ କରିଥିଲେ । କମିଶନ ଓଡ଼ିଆମାନଙ୍କ ଦାବିର ଯଥାର୍ଥତା ପରୀକ୍ଷାନିରୀକ୍ଷା କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦାବି ଯଥାର୍ଥ ଏବଂ ଓଡ଼ିଆ ଭାଷାଭାଷୀ ସମସ୍ତ ଜମିଦାର ଓ ଗଡ଼ଜାତ ରାଜାମାନଙ୍କୁ ମଧ୍ୟ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ କରାଯାଉ ବୋଲି କମିଶନ ତାଙ୍କ ମତାମତରେ ଉଲ୍ଲେଖ କରିଥିଲେ । ୧୯୩୦ ମସିହାରେ ଲଣ୍ଡନଠାରେ ଅନୁଷ୍ଠିତ ପ୍ରଥମ ଗୋଲଟେବୁଲ ବୈଠକରେ ଓଡ଼ିଆମାନଙ୍କ ପ୍ରତିନିଧିତ୍ୱ କରିବା ପାଇଁ ବିହାର-ଓଡ଼ିଶା ସରକାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମନୋନୀତ କରିଥିଲେ । ଉକ୍ତ ବୈଠକରେ ସେ ଓଡ଼ିଆମାନଙ୍କୁ ନ୍ୟାର୍ଯ୍ୟ ଦାବିକୁ ଦୃଢ଼ ଭାବରେ ଉପସ୍ଥାପନ କରିଥିଲେ । ଫଳରେ ୧୯୩୧ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରିବା ପ୍ରସ୍ତାବ ଗୃହୀତ ହୋଇଥିଲା । ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରିବା ପାଇଁ ଭାରତ ସରକାର ଓଡ଼ନେଲ ଗଠନ କଲେ । କଟକ, ପୁରୀ, ସମ୍ବଲପୁର, ଅନୁଗୁଳ, ଖଡ଼ିଆଳ, ଗଞ୍ଜାମ ଓ ବିଶାଖାପାଟଣା ଜିଲ୍ଲାର ସମ୍ମିଶ୍ରଣରେ ଓଡ଼ିଶା ପ୍ରଦେଶ ଗଠନ ସପକ୍ଷରେ କମିଟି ମତପୋଷଣ କରିଥିଲେ । କିନ୍ତୁ ଜୟପୁର ଓ ପାରଳାଖେମୁଣ୍ଡି ଜମିଦାରୀକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରୁ ବାଦ୍‌ ଦିଆଯାଇଥିଲା । ଏଥିପାଇଁ ଇଣ୍ଡିଆ ଅଫିସ୍‌ ତରଫରୁ ଶେ୍ୱତପତ୍ର ପ୍ରକାଶ ପାଇଥିଲା । ମାତ୍ର ପାରଳା ମହାରାଜାଙ୍କ ଅନବରତ ନିଷ୍ଠାପର ଉଦ୍ୟମ ଫଳରେ ବିଲାତର ଗୃହମନ୍ତ୍ରୀ ସାମୁଏଲ ହୋରେ ଓଡ଼ିଆମାନଙ୍କ ଆନ୍ଦୋଳନର ଯଥାର୍ଥତାକୁ ହୃଦୟଙ୍ଗମ କରି ଜଏଣ୍ଟ ପାର୍ଲ୍ୟାମେଣ୍ଟ କମିଟି ଗଠନ କରିଥିଲେ ଏବଂ ପରିକଳ୍ପିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁନଃବିଚାର କରାଇଥିଲେ । ଜୟପୁର, ପାରଳାଖେମୁଣ୍ଡି ଓ ଜଳନ୍ତରା ଜମିଦାରୀ ଅଞ୍ଚଳ ଏବଂ ପାରଳାଖେମୁଣ୍ଡି ସହର ସମେତ କିଛି ଅଂଶର ମିଶ୍ରଣରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବ ବୋଲି କମିଟି ମତପୋଷଣ କଲେ । ଫଳରେ ନୂତନ ଭାବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରିକଳ୍ପନା ବାସ୍ତବ ରୂପ ନେବା ସମ୍ଭବ ହୋଇପାରିଲା । ଏଥି ସହ ଦକ୍ଷିଣ ଓଡିଶାର ବିଶ୍ୱନାଥ ଦାଶ, ଆସିକାର ନିରଞ୍ଜନ ପଟ୍ଟନାୟକ, ବ୍ରହ୍ମପୁରର ବ୍ୟବସ୍ଥାପକ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ, ବ୍ରହ୍ମପୁରର ଦୀନ ବନ୍ଧୁ ଦାଶ, ଲିଙ୍ଗରାଜ ପାଣିଗ୍ରାହୀ, ମଧୁସୂଦନ ପାଣିଗ୍ରାହୀ, ଉମା ଚରଣ ପଟ୍ଟନାୟକ, ମାନ୍ଧାତା ନିତ୍ୟାନନ୍ଦ ପଟ୍ଟନାୟକ, ପାରଳା ମହାବିଦ୍ୟାଳୟର ଯୁଗଳ କିଶୋର ପାଣିଗ୍ରାହୀ ପ୍ରଭୃତି ବିଶିଷ୍ଟ ସହିତ୍ୱିକ, ସାଧକ ଓ ସମାଜସେବୀ ଅନେକ ଉଦ୍ୟମ କରିଥିଲେ । ସେମାନଙ୍କର ଅହୋରାତ୍ର ଉଦ୍ୟମ ଫଳରେ ପରିଶେଷରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା । ଏହା ସହ ପ୍ରତିଟି ଓଡିଆ ଏକ ସ୍ୱତନ୍ତ୍ର ପରିଚୟ ପାଇଲେ । ଏହା ଭାରତର ପ୍ରଥମ ରାଜ୍ୟ ଯାହାକି ସମ୍ପୂର୍ଣ୍ଣ ଭାଷା ଭିତ୍ତିରେ ଗଠିତ ହୋଇଥିଲା । ଯେଉଁ ମହାପୁରୁଷମାନେ ବିଖଣ୍ଡିତ ଓଡିଶାକୁ ଏକତ୍ରିକରଣ କରିଥିଲେ ସେମାନଙ୍କୁ ଆଜିର ଦିନରେ ଭକ୍ତିଭରା ହୃଦୟରେ ପ୍ରଣତି ଜଣାଇବା ଓ ସେମାନଙ୍କୁ ସ୍ମରଣ କରିବା । ଆସନ୍ତା ୨୦୩୬ ମସିହାରେ ରାଜ୍ୟ ସରକାର ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛନ୍ତି । ଆମେ ସମସ୍ତେ ହାତକୁ ହାତ ମିଳାଇ ରାଜ୍ୟର ବିକାଶ ରଥକୁ ଆଗେଇ ନେବାରେ ସହଯୋଗ କରିବା । ଗଞ୍ଜାମ ମାଟି ହେଉଛି ବୀରଙ୍କର ମାଟି । ତେଣୁ ପ୍ରଗତିର ରଥ ଆଗକୁ ନେବାରେ ଏହି ମାଟିର ସନ୍ତାନମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା ରଖିଥିଲେ । ଉକ୍ତ ସଭାରେ ଅନ୍ୟ ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଗଞ୍ଜାମ ଦିବ୍ୟ ଜ୍ୟୋତି ପରିଡ଼ା, ଗବେଷକ ଡ଼. ଅନନ୍ତ ରାମ କୌଣ୍ଡିନ୍ୟ, ଉତ୍କଳ ପରିଷଦ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା , ମୁଖ୍ୟ ବକ୍ତା ଭାବେ ଡ଼. ସୁରେନ୍ଦ୍ରନାଥ ପାଣିଗ୍ରାହୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ପରେ ପରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଉପ ନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟଞାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମର ସହଯୋଗ କରିଥିଲେ ।

Leave A Reply

Your email address will not be published.