ଫକୀରମୋହନଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଫକୀରମୋହନଙ୍କ ଶ୍ରାଦ୍ଧବାର୍ଷିକୀ ପାଳନୋତ୍ସବ କାର୍ଯ୍ୟକ୍ରମ ୨୧୭, ବସନ୍ତ ନିବାସ, କେଦାର ଗୌରୀ ରୋଡରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଫକୀରମୋହନ ସେନାପତିଙ୍କ ଅଣନାତୁଣୀ ତଥା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ମ୍ୟାନେଜିଂ ଟ୍ରଷ୍ଟି ଡ.ମନିକା ଦାସ ଫକୀରମୋହନ ଫାଉଣ୍ଡେସନ ସହିତ ଯୁବପିଢି ଏବଂ ଶିଶୁପିଢିର ପ୍ରତ୍ୟକ୍ଷ ସଂପୃକ୍ତିକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରିଥିଲେ । ଏହା ସହ ଫାଉଣ୍ଡେସନ କିଭଳି ବିଭିନ୍ନ ପ୍ରକାର ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନକରି ଫକୀରମୋହନଙ୍କ ବିଶ୍ୱଦୃଷ୍ଟିକୁ ସମ୍ମୁଖିକୃତ କରାଇବାରେ ସର୍ବଦା ତତ୍ପରତା ପ୍ରଦର୍ଶନ କରିଆସୁଛି ସେ ସମ୍ପର୍କରେ ଡ.ଦାସ ଆଲୋକପାତ କରିଥିଲେ ।

ମୁଖ୍ୟ ଅତିଥି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଫକୀରମୋହନ କିଭଳି ଭାରତୀୟ ସାହିତ୍ୟର ମହାନାୟକ; ସେ କିଭଳି ଓଡ଼ିଆ ତୁଣ୍ଡର ଭାଷାକୁ ସାହିତ୍ୟିକ ରୂପ ଦେଇଥିଲେ ତଥା ବଙ୍ଗଳା ସାହିତ୍ୟର ଅନୁକରଣରେ ଓଡ଼ିଆ ସାହିତ୍ୟ ରଚନା ନକରି ମୌଳିକତା ପ୍ରଦର୍ଶନ କରିଛନ୍ତି ସେ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ପ୍ରଶାନ୍ତ ନନ୍ଦ ତାଙ୍କ ବକ୍ତବ୍ୟରେ ଫକୀରମୋହନ କିଭଳି ବିଶ୍ୱନାଥ କର, ଗୌରୀ ଶଙ୍କର ରାୟ, ଗଙ୍ଗାଧର ମେହେର, ରାମଶଙ୍କର ରାୟଙ୍କ ସହିତ ଘନିଷ୍ଠ ଥିଲେ ଏବଂ ଫକୀରମୋହନଙ୍କ ମହାପ୍ରୟାଣ ପରେ କିଭଳି ଫକୀରମୋହନଙ୍କ ସମ୍ପର୍କିତ ବିରଳ ସ୍ମୃତି ଚାରଣ କରିଥିଲେ ସେ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।

ଫକୀରମୋହନଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ତରରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆଶୁତୋଷ ପଟ୍ଟନାୟକ ଏବଂ ମୀରାଶ୍ରିତା ଦାସ ତୃତୀୟ ସ୍ତରରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ସୌମ୍ୟରଞ୍ଜନ ଦୀକ୍ଷିତ, ବିକେଶ ସାହୁ, ବାବୁଲୁ ପଧାନ ଏବଂ ଅନୁଶିଖା ପାଣିଗ୍ରାହୀଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସଭାକାର୍ଯ୍ୟକୁ ଆରମ୍ଭରୁ ଶେଷ ଯାଏ ବାଲେଶ୍ଵର ଉଇଟିକିରି ସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମମତା ସାହୁ ସୁଚାରୁରୂପେ ସଂଯୋଜନା ତଥା ପରିଚାଳନା କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଫକୀରମୋହନଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ ଶ୍ରୀମତୀ ଅନିନ୍ଦିତା ଦାସ ।

Leave A Reply

Your email address will not be published.