shyamal

କୁନ୍ତଳା କୁମାରୀଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କୁନ୍ତଳା କୁମାରୀ ସାବତଙ୍କ ତିରୋଧାନ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କୁନ୍ତଳା କୁମାରୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଉତ ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସେ ଥିଲେ ଅମୃତ ଅଭିପ୍ସାର କବି । ତାଙ୍କର ଗଭୀର ମହତ୍‌ତ୍ୱବୋଧ ଯୋଗୁଁ ଓଡ଼ିଆ ଭାଷା ଓ ସାହିତ୍ୟ ସହ ସେ ଯୋଡି ହେଇ ରହିଥିଲେ ସାରା ଜୀବନ । ତାଙ୍କ ଦ୍ୱାରା ରଚିତ କବିତା, ଉପନ୍ୟାସ ଓ ପ୍ରବନ୍ଧରେ ସେ ଅସହାୟ ନାରୀମାନଙ୍କର ଆର୍ଥିକ, ଶୈକ୍ଷିକ ଓ ଚେତନା ଗତ ବିକାଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ ସମାଧାନର ପନ୍ଥା ମଧ୍ୟ ଦେଖାଇଛନ୍ତି । ତାଙ୍କ ଦୃଷ୍ଟିରେ ନାରୀ ଦିବ୍ୟ ଶକ୍ତିର ଅଧିକାରିଣୀ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଉତ୍କଳ ଭାରତୀଙ୍କ ସାରସ୍ଵତ ସାଧନାର ମୂଳମନ୍ତ୍ର ଥିଲା ଉତ୍କଳର ଭୂମି, ଭାଷା ଓ ତା’ର ଅଧିବାସୀଙ୍କ ଉନ୍ନତି । ତାଙ୍କର ଏଭଳି ଜାତିପ୍ରୀତି ପାଇଁ ପୁରୀର ମହିଳା ବନ୍ଧୁ ସମିତି ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ଉତ୍କଳ ଭାରତୀ ଉପାଧି । ଅସାଧାରଣ ବାଗ୍ମୀତା ଓ ସାଂଗଠନିକ ଦକ୍ଷତା ତାଙ୍କ ବ୍ୟକ୍ତିତ୍ଵର ଅନ୍ୟ ଏକ ବିଶେଷତ୍ଵ । କାଳିବୋହୁ ତାଙ୍କର ଏକ ସଫଳ ସୃଷ୍ଟି । ସେ କାଳି ବୋହୁ ଭିତରେ ଭରି ଦେଇଛନ୍ତି ଏକ କ୍ରିୟାସ୍ନାତ ସଂସ୍କାରିତ ଭାବନା । ଏହା ସହ କବୀଙ୍କ ଭ୍ରାନ୍ତି, ନଅତୁଣ୍ଡି, ପରଶମଣି ଓ ରଘୁ ଅରକ୍ଷିତ ଆଦି ତାଙ୍କର ସଫଳ ସୃଷ୍ଟି ବୋଲି ମତ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସୌମ୍ୟଜିତ ମହାପାତ୍ର, ରେଖାରାଣୀ ଗିରି, ଭାଗ୍ୟଶ୍ରୀ କିଶାନ ପ୍ରମୁଖ କବୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ଅଧ୍ୟକ୍ଷତା କରୁଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷକ ବିମଳ ଚନ୍ଦ୍ର ମନ୍ତ୍ରୀ, ବିପିନ ବିହାରୀ ସାମନ୍ତ ସିଂହାର, ତରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

purusottam
Leave A Reply

Your email address will not be published.