ଶାନ୍ତି ଶୃଙ୍ଖଳାରେ ଖପ୍ରାଖୋଲ ବ୍ଲକରେ ରଥଯାତ୍ରା ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରଥଯାତ୍ରା ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଆଷାଢ଼ ଶୁକ୍ଲ ଦ୍ଵିତୀୟା ତିଥିଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ଗ୍ରାମରେ ରଥଯାତ୍ରା ଗୁରୁବାର ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି । ଖପ୍ରାଖୋଲ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତ ଶେଷ ହେବା ପରେ ଠିକ୍‌ ସମୟରେ ରଥକୁ ଭକ୍ତମାନଙ୍କ ଦ୍ୱାରା ଟାଣି ଥାନା ଛକକୁ ନିଆଯାଇଥିଲା । ଶାନ୍ତିଶୃଙ୍ଖଳା ପାଇଁ ଖପ୍ରାଖୋଲ ପୋଲିସ ଏବଂ ଲାଠୋର ପୋଲିସଙ୍କୁ ବିଭିନ୍ନ ଗ୍ରାମରେ ମୁତୟନ କରାଯାଇଥିଲା । ଖପ୍ରାଖୋଲ ବ୍ଲକର ବିଭିନ୍ନ ଗ୍ରାମରେ ପବିତ୍ର ରଥଟଣା ଶାନ୍ତିଶୃଙ୍ଖଳା ଭାବେ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.