om academy

ଇସ୍ପାତ ନଗରୀରେ ପହିଲିରଜ ଧୁମ୍‌ଧାମ୍‌ରେ ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ଗଣପର୍ବ ରଜ ମହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହେଉଛି । ସହରର ପ୍ରତ୍ୟେକ ଗଳିକନ୍ଦି ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ପହିଲି ରଜ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଦୋଳି, ପୋଡପିଠା, ବିଭିନ୍ନ ପ୍ରକାରର ପିଠାପଣା ସହ ମିଷ୍ଟାନ୍ନ ଓ ରଜ ପାନର ପ୍ରଦର୍ଶନୀ ସହ ବଣ୍ଟନ କରି ସହରବାସୀ ପାଳନ କରୁଛନ୍ତି ରଜ । ସାଧାରଣତଃ ରଜ ତିନିଦିନ ବିଶେଷ କାର୍ଯ୍ୟ ନଥିବାରୁ ଝିଅ ବୋହୁଙ୍କ ଦୋଳିଖେଳ, କେତେକ ସ୍ଥାନରେ କବାଡି ଓ ତାସ ଖେଳର ଆସର ଜନ୍ମିଥାଏ । ଏହି ପରିପ୍ରେକ୍ଷୀରେ ସହରର ବିଭିନ୍ନ ଅନୁଷ୍ଠାନରେ ପାଳିତ ହୋଇଥିବା ରଜ ସମ୍ପର୍କରେ ପରିଚୟ ପରିଚୟ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଭଞ୍ଜଭବନ ପ୍ରେକ୍ଷାଳୟ ଠାରେ ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ ସହ ରଜ ପର୍ବ ପାଳନ ଆରମ୍ଭ ହୋଉଛି । ଏ‌‌ହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାସ ଓ ସମାଜସେବୀ ପ୍ରଶାନ୍ତ ସେଠୀ ଅତିଥି ଭାବେ ଯୋଗଦେଇ ରଜ ପର୍ବ ପାଳନର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଆଜିକାଲି ଯୁବପିଢି ମୋବାଇଲରୁ ମୁହଁ ଫେରାଇ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କୁ ପରମ୍ପରା ସମ୍ପର୍କରେ ଅବଗତ କରାଉଥିବାରୁ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ ନୃତ୍ୟ ପ୍ରତିଯୋଗିତା, ସାଗରିକା ୱଲଫେୟାର ଟ୍ରଷ୍ଟ ଓ ପରିଚୟର ମିଳିତ ଆନୁକୂଲ୍ୟରେ ପିଠା ପ୍ରତିଯୋଗିତା କରାଯାଇଥିଲା । ନୃତ୍ୟ ପ୍ରତିଯୋଗିତାରେ ବାଙ୍ଗଲାଦେଶ, ନେପାଳ, ହାଇଦ୍ରାବାଦ, ନାଗପୁର, କଲିକତା, ମଧ୍ୟପ୍ରଦେଶ ସହ ଓଡ଼ିଶାର ବିଭିନ୍ନ ସ୍ଥାନରୁ ନୃତ୍ୟ ଶିଳ୍ପୀ ମାନେ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ଜ୍ୟୋତିର୍ମୟୀ ଓ କୁମାର ଭୀମସେନ ଦାୟିତ୍ଵ ତୁଲାଇଥିଲା ବେଳେ ଅନୁଷ୍ଠାନର ସମ୍ପାଦକ ପଞ୍ଚାନନ ପାତ୍ର, ଗାୟତ୍ରୀ ବିଶୋଇ, ଅନ୍ୟେଷା ନାୟକ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେକ୍ଟର ୩ ରଜ ମହୋତ୍ସବ ସେକ୍ଟର ୩ ଏ ବ୍ଲକ୍ ସ୍ଥିତ ପୁରୁଣା ଦୁର୍ଗାପୂଜା ପଡିଆ ଠାରେ ରଜ ମହୋତ୍ସବ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ସୁରେଶ ସିଂଙ୍କ ଆବାହକତ୍ଵ ଓ ଚାଇନାଙ୍କ ସଂଯୋଜନାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଫଟୋଗ୍ରାଫର ମହାସଂଘର ସଭାପତି ଅତୁଲ ସାଘଂଭି, ଲାୟନ୍ସ କ୍ଲବର ସମ୍ପାଦିକା ଉଷା ସାଘଂଭି, ସମାଜସେବୀ ମୀନତି ବିଶ୍ୱାଳ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଣପର୍ବ ରଜର ଆଭିମୁଖ୍ୟ ଓ ଅନୁଷ୍ଠାନର ସଂସ୍କୃତି ପରମ୍ପରା ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପୋଡପିଠା, ମଣ୍ଡା, ଆରିସା, କାକରା, ଚକୁଳି, ମୁଆଁ ପିଠା, ପାନ ଆଦି ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଶୁଭଶ୍ରୀ ଡ୍ୟାନ୍ସ ଗୃପ, ସୁରେଶ ଡିଜିଟାଲ ଷ୍ଟୁଡିଓ ତରଫରୁ କୁମାରୀ ମାନେ ନୃତ୍ୟ ପରିବେଷଣ ସହ ଦୋଳି ଖେଳରେ ମଜ୍ଜା ନେଇଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଓ ବାଳିକାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.