
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵ ବରେଣ୍ୟ ସନ୍ଥ ତଥା ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ ମହୋତ୍ସବ ଗତକାଲି ମେ ୧୩ ତାରିଖରେ ସମଗ୍ର ବିଶ୍ୱର ୧୯୦ରୁ ଅଧିକ ଦେଶରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସ୍ଥାନୀୟ ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୁଲ୍ୟରେ ଏହି ଉପଲକ୍ଷେ ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୬.୩୦ରେ ସ୍ଥାନୀୟ ସେକ୍ଟର ୨ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର, ସେକ୍ଟର ୬ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ଉଦିତନଗର ସ୍ଥିତ ଶ୍ରୀ ଶ୍ରୀ ସ୍ପେସ୍, ଛେଣ୍ଡ କଳିଙ୍ଗ ବିହାର (ଫେଜ୍ ୨, ଏଚ୍. ଆଇ ଜି. ୨) ଠାରେ ସାଧକ ମାନଙ୍କ ପାଇଁ ସୁଦର୍ଶନ କ୍ରିୟାରେ ଶହ ଶହ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ । ଦିନ ୧୦ଟା ଠାରୁ ସେକ୍ଟର ୨ ବସ୍ ଷ୍ଟାଣ୍ଡ ଠାରେ ସର୍ବତ ଓ ଫଳ ବିତରଣ କରାଯାଇଥିଲା ଏବଂ ସହରାଞ୍ଚଳରେ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ସେବା କାର୍ଯ୍ୟକ୍ରମ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜ ଭାବନ ଠାରେ ସତସଙ୍ଗ ତଥା ସାଂସ୍କୃତିକ ସନ୍ଧ୍ୟାରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ । ଭଜନ ସଂଧ୍ୟାରେ ଜାତୀୟ ସ୍ତରରେ ପ୍ରସିଦ୍ଧ ‘ସୁମେରୁ ସନ୍ଧ୍ୟା’ ଗାୟିକା କ଼ୁମାରି ତନ୍ମୟୀ ମିଶ୍ର ତଥା ଅନ୍ୟ ଆର୍ଟ ଅଫ୍ ଲିଭିଂ ଭଜନ ଗାୟକମାନଙ୍କ ସଂଗୀତକୁ ଦର୍ଶକ ମାନେ ଉପଭୋଗ କରିଥିଲେ ।