centurian jitm

ବୌଦ୍ଧରେ ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟିର ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଆଜି ବିଶ୍ଵ ରେଡ୍‌କ୍ରସ୍ ଦିବସ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହରେ ଆନୁଷ୍ଠାନିକ ଭାବରେ ପାଳିତ ହୋଇଯାଇଛି । ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଚଳିତ ବର୍ଷ ସମସ୍ତ ଜନସାଧାରଣଙ୍କୁ ଏଥିରେ ସାମିଲ୍ କରା ନଯାଇ କେବଳ ସରକାରୀ କର୍ମଚାରୀ ସଦସ୍ୟମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ପ୍ରଥମେ ସମସ୍ତେ ରେଡ୍‌କ୍ରସର ଜନକ ହେନେରୀ ଦୁନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡ୍‌କ୍ରସର ସମ୍ପାଦକ ସୁଧର୍ମା ମଲ୍ଲିକ ସମସ୍ତଙ୍କୁ ସ୍ଵାଗତ କରି ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତାଭାବେ ଜିଲ୍ଲା ଯୁବ ରେଡ୍‌କ୍ରସର ସମ୍ପାଦକ ତଥା ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଯୋଗଦେଇ ହେନେରୀ ଦୁନାଣ୍ଟ ଏବଂ ରେଡ୍‌କ୍ରସ୍‌ର ଇହିହାସ ଉପରେ ଆଲୋକପାତ କରିବା ସହିତ ରେଡ୍‌କ୍ରସ୍‌ ସ୍ଵେଚ୍ଛାସେବୀ ମାନଙ୍କ ସେବା କାର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ପୋଲିସ ଅଧ୍ୟକ୍ଷ ଏମ୍. ମିଞ୍ଜ ଯୋଗଦେଇ ସମସ୍ତଙ୍କୁ ମାନବିକତା ସହ ଦୁଃଖୀ ପୀଡିତଙ୍କ ସେବା କରିବାକୁ ଆହ୍ଵାନ ଦେଇଥିଲେ । ସମ୍ମାନିତ ବକ୍ତା ଭାବେ ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ହେମ୍ବ୍ରମ ସ୍ୱାସ୍ଥ୍ୟ ସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍‌କ୍ରସ୍‌ର ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂଯୋଜକ ସଂଜୀବ ଝା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆଗାମୀଦିନରେ ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ । ରେଡ୍‌କ୍ରସ୍‌ ପାଇଁ ଅର୍ଥ ସଂଗ୍ରହ କ୍ଷେତ୍ରରେ ସର୍ବୋଚ ସ୍ଥାନ ଗ୍ରହଣ କରିଥିବା ଜିଲ୍ଲା ଆଇନ୍ ବିଭାଗ, ଅବକାରୀ ବିଭାଗ ଏବଂ ଜିଲ୍ଲା ଯୋଗାଣ ବିଭାଗଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅଜୀବନ ସଦସ୍ୟତା ଗ୍ରହଣ କରିଥିବା କିଛି କର୍ମଚାରୀ ମାନଙ୍କୁ ଜିଲ୍ଲା ରେଡ୍‌କ୍ରସ୍‌ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କର୍ମଚାରୀ ମାନଙ୍କ ପକ୍ଷରୁ ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ମହାପାତ୍ର ପ୍ରଶାସନ ତରଫରୁ ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରର ବହୁ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ଶେଷରେ ସମସ୍ତଙ୍କୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌ ଅଧିକାରୀ ପ୍ରବୀର ଦାସ ସମସ୍ତଙ୍କୁ ରେଡ୍‌କ୍ରସ୍‌ର ଶପଥ ପାଠ କରାଇଥିଲେ । ସର୍ବ ଶେଷରେ ଜିଲ୍ଲା ରେଡ୍‌କ୍ରସ୍‌ ଅଧିକାରୀ ସମସ୍ତଙ୍କୁ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.