
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଜୟ ପାଣି ଯୋଗଦେଇ ମଧୁବାବୁଙ୍କ ବାଲ୍ୟଜୀବନ, ଶିକ୍ଷା, ଓକିଲାତି ଜୀବନ ସହ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ତାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଅଧ୍ୟବସାୟ ଓ ସ୍ପଷ୍ଟବାଦିତାକୁ ଗୁରୁତ୍ୱ ଦେବାସହ ନିଜ ଦକ୍ଷତାକୁ ଚିହ୍ନି ତାହାକୁ ଓକିଲାତି ଜୀବନରେ ପ୍ରୟୋଗ କରି ଭଲ ଓକିଲ ହେବାପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ଼. ପଟ୍ଟନାୟକ ଦିବସ ପାଳନର ମହତ୍ତ୍ୱ ଓ ଓଡ଼ିଶାର କଳା, ସଂସ୍କୃତି ଓ ଭାଷାର ମର୍ଯ୍ୟାଦା ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଉତ୍କଳ ଗୌରବ ମଧୁସୁଦନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଛାତ୍ର ଦେବାଶିଷ ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତି, ଡ. ପ୍ରଜ୍ଞା ପରମିତା ପଣ୍ଡା, ଡ଼. ଦ୍ୱିବେନ୍ଦୁ ପଣ୍ଡା, ତନ୍ମୟରାଜ ପାଢ଼ୀ, ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରୀ ସତ୍ୟପ୍ରିୟା ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।