ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମଦିନକୁ ‘କୋସଲି ଦିନ’ ଭାବରେ ପାଳିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହରର ଅଗ୍ରଣୀ ଅନୁଷ୍ଠାନ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ କୋସଲି ଭାଷା ଆନ୍ଦୋଳନର ଆଦ୍ୟରଥୀ ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମ ଦିନକୁ ‘କୋସଲି ଦିନ’ ଭାବରେ ସ୍ଥାନୀୟ ମହାବୀର ଧର୍ମଶାଳା ଠାରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ସମିତିର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ଯୁଗଳ କିଶୋର ଷଡଙ୍ଗୀ, ଚଉଷଠି ଯୋଗିନୀ କଳା ସାହିତ୍ୟ ପରିଷଦର ସଭାପତି ଡ. ନାରାୟଣ ମିଶ୍ର, ସାହିତ୍ୟ ସଂସ୍କୃତିର ସଭାପତି ଜ୍ୟୋତିପ୍ରକାଶ ଗଡତ୍ୟା, କୋସଲି ସାଂସ୍କୃତିକ ମହାଯୋଟର ଆଗ ମଂଗୁଆଳ ଟିକେଲାଲ ବେହେରା ତଥା ସମିତିର ସଭାପତି ଦିଲ୍ଲୀପ କୁମାର ପସାୟତ ମଂଚାସୀନ ଥିଲେ । କୋସଲି ଆମର ଭାଷା, ଆମର ଅସ୍ମିତା, ଆମ ଜୀବନର ସ୍ପନ୍ଦନ ଏହାର ସ୍ୱୀକୃତି ଓ ପ୍ରତିଷ୍ଠା ପାଇଁ ଆମକୁ ଲଢେଇ ଜାରି ରଖିବାକୁ ପଡିବ । ଡ. ଯୋଷୀଙ୍କ ଏହି ସ୍ୱରରେ ସ୍ୱର ମିଳାଇ ଦାବୀ ହାସଲ କରିବାକୁ ହେବ । କୋସଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି, ଏହି ଭାଷାରେ ଅକାଦେମୀ ପ୍ରତିଷ୍ଠା, ପ୍ରାଥମିକ ସ୍ତରରେ ଶିକ୍ଷାଦାନ ତଥା ଏହାର ବିକାଶ ପାଇଁ ବିଶ୍ୱବିଦ୍ୟାଳୟରେ ଗବେଷଣା ବ୍ୟବସ୍ଥା ଗ୍ରହଣ କରିବା ପ୍ରଭୃତି ଉପରେ ମଂଚାସୀନ ବ୍ୟକ୍ତିତ୍ୱ ଓ ବୁଦ୍ଧିଜୀବୀ ଗଣ ମତପ୍ରକାଶ କରିଥିଲେ । ପ୍ରଥମେ ସ୍ୱର୍ଗତ ଯୋଷୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଉପସ୍ଥିତ ଭାଷାପ୍ରେମୀ ଭକ୍ତିଅର୍ଘ୍ୟ ପ୍ରଦାନ କରିଥିଲେ । ରଶ୍ମିରଂଜନ ବାଗ, ମହେନ୍ଦ୍ର ପାଣିଗ୍ରାହୀ, ନୀଳମଣି ସାହୁ, ସେବକ ଚରଣ ଦାଶ, କୁବେର ବେହେରା, ଦୁବ ହରପାଲ, ଆଦିମୂଳ ଶତପଥୀ, ପଂଚାନନ ତାଣ୍ଡି, ସଂଜୟ ଅଗସ୍ତି, ରାଜ ନାଗ ଓ କୋସଲି କବୟିତ୍ରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.