jayashree

ପୁଇଁନ୍ତଲାରେ ବାବା ସାହେବ ଓ ଜ୍ୟୋତିବା ଫୁଲେ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପୁଇଁନ୍ତଲା ଗାଁଠାରେ ଆମ୍ବେଦକର କ୍ଲବ୍‌ ତରଫରୁ ସଭାପତି ଜ୍ୟୋତିଷ ମୁଗ୍ରୀଙ୍କ ସଭାପତିତ୍ୱରେ ବାବା ସାହେବ ଆମ୍ବେଦକର ଓ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ରବିବାର ସଂଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଉପସ୍ଥିତ ସମସ୍ତେ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ । ପରେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦଳିତ ସାମଜ ସଭାପତି କୁନା ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସତ୍ୟାନନ୍ଦ ସୁନା, ରାଜେନ୍ଦ୍ର ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ରମଣୀ ନାଏକ, ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ସବିତା ନନ୍ଦ, ପୁଇଁନ୍ତଲା ପଂଚାୟତର ସମିତି ସଭ୍ୟା ଶୁଭଶ୍ରୀ ଗରୁଡ ପ୍ରମୁଖ ଯୋଗ ଦେଇଥିଲେ । ବାବା ସାହେବ କୌଣସି ଜାତି, ଧର୍ମ କିମ୍ବା ସଂପ୍ରଦାୟ ଭିତରେ ସୀମିତ ନାହାନ୍ତି । ସେ ଲେଖିଥିବା ସମ୍ବିଧାନ ଦ୍ୱାରା ସମସ୍ତ ଭାରତୀୟ ସମାନ ଅଧିକାର ପାଉଛନ୍ତି । ସେ ଏକ ସମତାଭିତ୍ତିକ ସମାଜ ଗଠନର ସଂକଳ୍ପ ନେଇଥିଲେ । ତାଙ୍କ ବିଚାରଧାରା ପ୍ରତି ସମର୍ପିତ ହେବା ସମ୍ବିଧାନକୁ ଜାଣିବା ସାଂପ୍ରତିକ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ପ୍ରତ୍ୟେକ ଭାରତୀୟ ସମ୍ବିଧାନକୁ ଭଲ ଭାବରେ ଜାଣି ପାରିଲେ ଆମେ ଏକ ସମୃଦ୍ଧଶାଳୀ ଭାରତ ଗଠନ କରି ପାରିବା ଓ ଏକ ଭୟମୁକ୍ତ ତଥା ନ୍ୟାୟଯୁକ୍ତ ସମାଜର ଗଠନ କରି ପାରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଢୋଲ ମୁହୁରୀ କଳା ପରଷଦ, ଘୁଂଗୁରୁ କଳା ପରିଷଦ, ଟୁକୁ ବିଶି ଓ ଅନ୍ୟାନ୍ୟ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହା ସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଲମ୍ବୋଧର ନାଗ ଓ ରମାକାନ୍ତ ନନ୍ଦ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଭୂତି ସୁନା ।

Leave A Reply

Your email address will not be published.