
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ ପରିସରରେ ଶୁକ୍ରବାର ଦିନ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଗତ ତା.୮.୦୩.୨୦୨୩ ବୁଧବାର ଓ ଗୁରୁବାର ଦୁଇ ଦିନ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ଥିବାରୁ ଶୁକ୍ରବାର ଦିନ ଏହି ଦିବସ ପାଳିତ ହୋଇଛି । କଂଟାବାଂଜି ତାଲୁକ ଆଇନ ପ୍ରାଧିକରଣ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ମହିଳା ଦିବସ ପାଳନ ଅବସରରେ ସହରର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତିର ମହିଳାମାନେ ଉପସ୍ଥିତ ହୋଇଥିଲେ । ଆର୍ନ୍ତଜାତୀୟ ମହିଳା ଦିବସ ପାଳନ ଅବସରରେ ଭାରତୀୟ ସମ୍ବିଧାନରେ ମହିଳାମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଉପରେ ସଚେତନ କରାଯାଇଥିଲା । ଏହି ସଚେତନତା ସଭାରେ କଂଟାବାଂଜି ତାଲୁକ ଆଇନ ପ୍ରାଧିକରଣର ଅଧ୍ୟକ୍ଷ ତଥା ସବ୍ ଜଜ୍ ପରିତୋଷ ସେଠି, ଜେ.ଏମ.ଏଫ.ସି. ଶାସ୍ୱତୀ ମହାପାତ୍ର ମହିଳାମାନଙ୍କୁ ଦିଆଯାଉଥିବା ଆଇନ ଉପରେ କହିଥିଲେ । ଏପରିକି ବରିଷ୍ଠ ଆଇନଜୀବୀ ମୋହନଲାଲ ଶର୍ମା, ବିଷ୍ଣୁପ୍ରସାଦ ଶର୍ମା, ଅଶୋକ କୁମାର ଦାସ, ସତ୍ୟନାରାୟଣ ରାଏ ମହିଳାମାନଙ୍କ ଯୌତୁକଜନିତ ନିର୍ଯ୍ୟାତନା, ଭରଣ ପୋଷଣ ଆଇନ, ପାରିବାରିକ କଳହ, ସ୍ୱାମୀ ସ୍ତ୍ରୀ ବିଭେଦ ଆଇନ ସହ ମହିଳାମାନଙ୍କ ହକ୍ ଅଧିକାର ଉପରେ ସୂଚନା ଦେଇଥିଲେ । ସେହିପରି ପାରା ଲେଗାଲ ଭୋଲେଂଟିୟର ସଂଜୟ କୁମାର ମିଶ୍ର, କାହ୍ନୁ ଚରଣ ମିଶ୍ର ମଧ୍ୟ ମହିଳାମାନଙ୍କ ଆଇନ ଅଧିକାର ଉପରେ କହିଥିଲେ । ଏହି ସଚେତନତା ଦିବସରେ ସ୍ଥାନୀୟ ଏନ୍ଏସି ଦ୍ୱାରା ପରିଚାଳିତ ମିଶନ ଶକ୍ତିର ଶତାଧିକ ମହିଳା ଗୋଷ୍ଠୀ, ପାରା ଲେଗାଲ ଭୋଲେଂଟିୟର, ଆଇନଜୀବୀ ତଥା କୋର୍ଟ କର୍ମଚାରୀ ସାମିଲ ଥିଲେ ।