oom

ବଡ଼ଖେମୁଣ୍ଡି ମହାରାଜା ଗଜପତି କୃପାମୟ ଅନଙ୍ଗଭୀମ ଦେବଙ୍କ ୧୦୦ତମ ତିରୋଧାନ ଦିବସ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରରେ ଅବସ୍ଥିତ ଉତ୍କଳ ଆଶ୍ରମ ଠାରେ ‘ନ୍ୟାସ’ ତରଫରୁ ଶନିବାର ଉତ୍କଳ ଆଶ୍ରମର ପ୍ରତିଷ୍ଠାତା ତତ୍କାଳୀନ ବଡ଼ଖେମୁଣ୍ଡି ମହାରାଜା ଗଜପତି କୃପାମୟ ଅନଙ୍ଗଭୀମ ଦେବଙ୍କ ଶହେତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏଠାରେ ସ୍ମରଣଯୋଗ୍ୟ ଯେ, ଆଜକୁ ଠିକ ଶହେ ବର୍ଷ ତଳେ ତା.୨୪/୯/୧୯୨୨ରିଖରେ ମହାରାଜାଙ୍କ ପରଲୋକ ହୋଇଯାଇଥିଲା । ସେ ଜଣେ ମହାନ ବିଦ୍ୱାନ, ସଂସ୍କୃତିପ୍ରାଣ, ସାହିତ୍ୟପ୍ରାଣ, ଭାଷାନୁରାଗୀ, ପ୍ରଜାବତ୍ସଳ ରାଜା ଭାବେ ସମଗ୍ର ଓଡ଼ିଶାରେ ସେ ପରିଚିତ ଥିଲେ ବୋଲି ଆଲୋକପାତ ହୋଇଛି । ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ରାବାସ, ଖେଳ ପଡିଆ, ଉତ୍କଳ ଆଶ୍ରମର କୋଠା, ଉତ୍କଳ ସମ୍ମିଳନୀର ଜଣେ ଉଦ୍ୟକ୍ତା, ତଥା ଉତ୍କଳ ସମ୍ମିଳନୀ ଅର୍ଥଦାନ କରି ପୃଷ୍ଠପୋଷକତା କରିଥିଲେ । ଅନେକ ଛାତ୍ରଙ୍କୁ ଅର୍ଥ ଦେଇ ସେମାନଙ୍କ ଉଚ୍ଚଶିକ୍ଷାର ବ୍ୟବସ୍ଥା କରି ସେ ଯଶସ୍ୱୀ ହୋଇଥିଲେ । ଗତକାଲି ଉତ୍କଳ ଆଶ୍ରମ ତରଫରୁ ‘ଗଜପତି କୃପାମୟ ଅନଙ୍ଗଭୀମ ଦେବ ସ୍ମୃତି ସମ୍ମାନ’ ଓଡ଼ିଶାର ବରିଷ୍ଠ ସାହିତ୍ୟିକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ସନ୍ଧ୍ୟାରେ ଆୟୋଜିତ ମହାରାଜାଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ସମ୍ମାନିତ ଅତିଥି ଭାବେ ଥିଲେ ଓଡ଼ିଆ ବିଭାଗର ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଗବେଷକ ଡ଼. ଅନନ୍ତ ରାମ କର ଯୋଗ ଦେଇ କୃପାମୟ ଦେବଙ୍କ ବହୁବିଧ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଭାରେ ବଡ଼ଖେମୁଣ୍ଡି ଓ ସାନଖେମୁଣ୍ଡି ରାଜ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ଅବସରରେ ଡ଼. ଅନନ୍ତରାମ କରଙ୍କ ଲିଖିତ କୃପାମୟ ଦେବଙ୍କ ଜୀବନୀ ପୁସ୍ତିକା ସହ ତୈଳଚିତ୍ର ଉନ୍ମୋଚନ କରାଯାଇଥିଲା । ଉତ୍କଳ ଆଶ୍ରମ ନ୍ୟାସ, ଗଞ୍ଜାମ କଳା ପରିଷଦ ତଥା କଳିଙ୍ଗ ସାହିତ୍ୟ ସମାଜର ବହୁ ବନ୍ଧୁଙ୍କ ସହ ବହୁ ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇ ଉକ୍ତ ସଭାକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.