ସୁବର୍ଣ୍ଣପୁରର ନିଆରା ଲଂକାପୋଡି ପର୍ବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାଦ୍ରବ ସପ୍ତପୁରୀ ଅମାବାସ୍ୟା ତିଥିରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ଲୋକ ସଂସ୍କୃତିର ନିଆରା ଲୋକପର୍ବ ‘ପୁରା ଉଆଁସ’ ପର୍ବ ସହ ‘ଲଂକାପୋଡି ମହୋତ୍ସବ’ ଗତକାଲି ପାଳିତ ହୋଇଯାଇଛି । ଜିଲ୍ଲାର ଗାଁ ଗାଁରେ କୁଆଁରୀ ଝିଅମାନେ ଗାଁମୁଣ୍ଡ ଚୌହଦୀରେ ଦଳଦଳ ହୋଇ କୁଣ୍ଢିକାଁଚିର ଖେଳ ଖେଳିଥିବା ବେଳେ ସୁବର୍ଣ୍ଣପୁର ସହରରେ ସଂଧ୍ୟାରେ ପ୍ରସିଦ୍ଧ ଲଂକାପୋଡି ପର୍ବ ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟା ହେଉଣୁ ପୋଡାମାଟିର ଟେରାକୋଟା ହନୁମାନ ଖେଳନା କଣ୍ଢେଇର ଲାଞ୍ଜରେ ଅଗ୍ନି ସଂଯୋଗ ପୂର୍ବକ ସହରର ଗଳିକନ୍ଦିରେ ଛୋଟ ଶିଶୁମାନେ ଟାଣିଛନ୍ତି । କାହିଁ କେତେଦିନରୁ ସୁବର୍ଣ୍ଣପୁର ସହରରେ ଏହି ଅପୂର୍ବ ପରମ୍ପରା ରହିଛି । ଐତିହାସିକ ତଥ୍ୟମତେ ସପ୍ତମ-ଅଷ୍ଟମ ଶତାଦ୍ଦୀରୁ କେବଳ ସୁବର୍ଣ୍ଣପୁର ଗଡଜାତ ଅଂଚଳରେ ଏହି ନିଆରା ଲଂକାପୋଡି ଲୋକପର୍ବ ପାଳିତ ହୋଇ ଆସୁଥିବା ବେଳେ ଆଜି ବି ଅମାବାସ୍ୟାର ଅନ୍ଧାର ଚିରି ଆଲୁଅର ବର୍ଣ୍ଣାଳୀ ବୁଣିଚାଲିଛି । ଏହି ଅବସରରେ ଟାଉନ ହଲ୍‌ଠାରେ ଆୟୋଜିତ ଲଂକାପୋଡି ପର୍ବରେ ପାରମ୍ପରିକ ଟେରାକୋଟା ହନୁମାନର କୃତି ପ୍ରତିଯୋଗୀଙ୍କୁ ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା, ଲୋକ ସଂସ୍କୃତି ଗବେଷକ ଡ.ଦେବାଶିଷ ପାଣ୍ଡିଆ ଓ ଡା.ଅନ୍ତର୍ଯ୍ୟାମୀ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରି ଏହି ନିଆରା ଲୋକପର୍ବ ସୁବର୍ଣ୍ଣପୁର ସାଂସ୍କୃତିକ ଅସ୍ମିତାର ଏକ ଭିନ୍ନ ପରମ୍ପରା ବୋଲି କହିଛନ୍ତି । ମୁଖ୍ୟ ଆୟୋଜକ ଶ୍ୟାମାଓଁ ପ୍ରସାଦ ମିଶ୍ର, ସହ ଆୟୋଜକ ବେଣୁଧର ପ୍ରଧାନ ଓ ନାଟ୍ୟଚକ୍ରର ଅଧ୍ୟକ୍ଷ ମନୋଜ ବାରିକଙ୍କ ପରିଚାଳନାରେ ଆୟୋଜିତ ସମାରୋହରେ ଉଭୟ ଚିତ୍ରାଙ୍କନ ଓ ଟେରାକୋଟା ହନୁମାନର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସୁବର୍ଣ୍ଣପୁରର ପ୍ରତିଭାବାନ ଟେରାକୋଟା ଶିଳ୍ପୀ ପ୍ରହଲ୍ଲାଦ ରଣାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ପଶ୍ଚିମଲଂକା ଭାବେ ପରିଚିତ ସୁବର୍ଣ୍ଣପୁରର ‘ଲଂକାପୋଡି ପର୍ବ’ ସହ ପୋଡାମାଟି ଟେରାକୋଟାର ଏହି ବିରଳ କଳାକୃତି ଦେଶ ବିଦେଶର ଅନେକ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି ।

Leave A Reply

Your email address will not be published.

error: Content is protected !!