ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମାଟିର ଉର୍ବରତା ଓ ସୁରକ୍ଷାକୁ ଲକ୍ଷ୍ୟରେ ରଖି “ସୁସ୍ଥ ଧରା-ଖେତ ହରା” ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ବିଶ୍ୱ ମୃତ୍ତିକା ଦିବସ-୨୦୨୦ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଆଇସିଏଆର ସହାୟତାରେ ଆୟୋଜିତ ମୃତ୍ତିକା ଦିବସରେ କୃଷି କ୍ଷେତ୍ରର ଚାଷମାଟିକୁ ଜୀବନ୍ତ ରଖି ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଆଜିର ଏକ ବଡ ଆହ୍ବାନ ବୋଲି ଅତିଥି ଓ କୃଷି ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି । କ୍ରମଶଃ ଚାଷମାଟିର ଉର୍ବରତା କମିକମି ଯାଉଥିବାବେଳେ ଉତ୍ପାଦକତାରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହେଉଛି । ତେଣୁ ନିୟମିତ ମାଟି ପରୀକ୍ଷଣ ସହ ମାଟିର ପରିଚାଳନା ଆଜିର ଦିନରେ ଜରୁରୀ ହୋଇପଡିଛି ।
ବିଶେଷକରି ମାଟିର ଉର୍ବରତା ବଢାଇବା ପାଇଁ ଜୈବିକ ସାର ଓ ଜୈବିକ ଖତର ପ୍ରୟୋଗ କରି ମାଟିର ଗୁଣାବତ୍ତା ରଖିପାରିଲେ ଉତ୍ପାଦନକୁ ଦୁଇଗୁଣା ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ ମତ ଦେଇଛନ୍ତି । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ଜୀବନଜିତ୍ ସେନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଉଷା କୁମାରୀ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ୨୦ ଜଣ ଚାଷୀଙ୍କୁ ମୃତ୍ତିକା ପରୀକ୍ଷଣ କାର୍ଡ ବିତରଣ କରିଥିଲେ ।