ମା’ ଲଙ୍କେଶ୍ୱରୀଙ୍କ ଯାତ୍ରା ଧୂମଧାମରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୁଲୁକିଲା ସୋନପୁର ସହର । ସୋନପୁର ସହରର ମହାନଦୀ ଗଣ୍ଡରେ ଥିବା ପ୍ରସିଦ୍ଧ ଦେବୀ ମା’ ଲଙ୍କେଶ୍ଵରୀଙ୍କ କଳସଯାତ୍ରା ଓ ନଗର ପରିକ୍ରମା ଉତ୍ସବ ଧୂମଧାମରେ ସମ୍ପନ୍ନ ହୋଇଯାଇଛି । ପବିତ୍ର ଚୈତ୍ର ବାସନ୍ତିକ ନବରାତ୍ର ତୃତୀୟ ପାଳି ମଙ୍ଗଳାବର ଦିନ ମହାସପ୍ତମୀ ତିଥିରେ ସୋନପୁରର ମା’ ଲଙ୍କେଶ୍ଵରୀ ଉନ୍ନୟନ କମିଟି ପକ୍ଷରୁ ଏହି ଯାତ୍ରା ଆୟୋଜିତ ହୋଇଯାଇଛି । ମହାନଦୀ ମଝି ଗଣ୍ଡରେ ଥିବା ମା’ ଲଙ୍କେଶ୍ଵରୀ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମେ ନଦୀ ଗଣ୍ଡରେ ଥିବା ଲଙ୍କେଶ୍ଵରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ତଥା ସେଠାରେ ପାରମ୍ପରିକ ଢୋଲ, ନିଶାନ, ତାସା ଆଦି ବାଦ୍ୟ ସହ ମାଁଙ୍କୁ ଆବାହାନ ପରେ ବରୁଆଙ୍କ ଦେହରେ ମା’ ଆବିର୍ଭାବ ହୋଇ କଳା ଓ ଲାଲ ରଙ୍ଗର ଛତ୍ରଧରି ନୃତ୍ୟ କରିବା ସହ ସେଠାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ପରେ ଦେବୀ ସେଠାରୁ ନୌକାରେ ତେନ୍ତୁଲିଘାଟକୁ ଆସିଥିଲେ । ତାଙ୍କ ସାଙ୍ଗରେ ୭ ଜଣ କୁମାରୀ କନ୍ୟା ପୂର୍ଣ୍ଣ କଳସ ଧରି ତଥା ମା’ଙ୍କ ସାଙ୍ଗରେ ଯାତ୍ରାରେ ସାମିଲ ହୋଇଥିଲେ । ସେଠାରୁ ଶେଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରିକ୍ରମା ସମୟରେ ସମସ୍ତ ଘର ସମ୍ମୁଖରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ମା’ ମହାନଦୀ ମଝିରେ ଥିବା ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ‌ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇ ମା’ଙ୍କ ଆର୍ଶୀବାଦ ଲାଭ କରିଥିବା ବେଳେ ହଜାର ହଜାର ଲୋକ ମା’ଙ୍କ ବିଭୁକୃପା ଲାଭ କରିଥିଲେ । ଯାତ୍ରା କମିଟି ସଭାପତି ସୁରେଶ ବେରିହା, ସମ୍ପାଦକ ସରଜୁ ବୁଡ଼େକ, କାଉନସିଲର ଗଙ୍ଗାଧର ତରିଆ, ଧର୍ମ ମହାଲିକ, ରଂଜିତ ମହାଲିକ, ସୁରେଶ ବିଶ୍ଵାଳ, ସୁଦାମ ନାଏକ, ବନମାଳି ମହାଲିକ, ଚମରୁ ନାଏକ ପ୍ରମୁଖ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ଯାତ୍ରାଟି ପ୍ରତି ତିନି ବର୍ଷରେ ଥରେ ହେଉଥିବାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ । ଏସପି ନାରାୟଣ ନାୟକ, ସୋନପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ବିଜେପି ନେତା ପ୍ରମୋଦ କୁମାର ମହାପାତ୍ର, ଶରତ ଶତପଥୀ, ନଗର ବିଜେପି ସଭାପତି ସୁରେଶ ବିଶ୍ଵାଳ, ପୂର୍ବତନ ପୌରାଧ୍ୟକ୍ଷ ପ୍ରକାଶଚନ୍ଦ୍ର ସାହୁ, ଆଇନଜୀବୀ ବିବେକାନନ୍ଦ ମିଶ୍ର, ସାମ୍ବାଦିକ ମନୋରଂଜନ ତ୍ରିପାଠୀ, ରାଜ କିଶୋର ତ୍ରିପାଠୀ ପ୍ରମୁଖ ସାମିଲ ହୋଇ ମା’ଙ୍କ ବିଭୂକୃପା ଲାଭ କରିଥିଲେ ।

Leave A Reply

Your email address will not be published.