ତରଭା, (କେପିଏନ୍ଏସ୍) : ସ୍ଥାନୀୟ ନୀଲକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଶଳ ସାହିତ୍ୟ ଏକାଡେମୀ ଏବଂ ତହଁକ୍ କୁଟୁମ୍ ତରଫରୁ ରାଜେଶ ଦଣ୍ଡସେନାଙ୍କ ସଭାପତିତ୍ୱରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବି ବନବାସ ମେହେର ମୁଖ୍ୟ ଅତିଥି, ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ମୁଖ୍ୟ ବକ୍ତା ତଥା ସାହିତ୍ୟିକ ସଞ୍ଜୀବ ସେଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । କୋଶଳାଞ୍ଚଳର କଳା-ସାହିତ୍ୟ-ସଂସ୍କୃତିର ପୁନରୁଦ୍ଧାର ସକାଶେ କୋସଲୀ ଭାଷାକୁ ମାତୃଭାଷାରୂପେ ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଏହି ଅଞ୍ଚଳରେ ଦୁଇ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କର ମାତୃଭାଷା କୋସଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରିବା ନିମନ୍ତେ ଅତିଥିଗଣ ମତବ୍ୟକ୍ତ କରିଥିଲେ । ଜନାର୍ଦ୍ଦନ ଥନାପତି, ଚିରଞ୍ଜିବୀ ନାଏକ, ଲୋକନାଥ ଦଲବେହେରା, ହିରଣ୍ମୟ ପଟ୍ଟନାୟକ, ସଂଜୀବ କୁମାର ସାହୁ, ସୁଧୀର ପଣ୍ଡା, ନିବେଦିତା ଦଣ୍ଡସେନା, ରୋଶନ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଏକାଡେମୀ ସଭାପତି ଦେବେନ୍ଦ୍ର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।