ପ୍ରଭାବତୀ ପବ୍ଲିକ ସ୍କୁଲରେ ଯୋଗ ବେଦାନ୍ତ ସେବା ସମିତି ଓ ଗୁରୁକୃପା ସେବା ଟ୍ରଷ୍ଟ ତରଫରୁ ମାତୃପିତୃ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଫେବୃଆରୀ ମାସ ୧୪ ତାରିଖକୁ ପାଶ୍ଚାତ୍ୟ ପରମ୍ପରା ଅନୁସାରେ ଯୁବପିଢ଼ି ଭାଲେଣ୍ଟାଇନ ଡେ ରୂପେ ପାଳନ କରୁଥିବା ବେଳେ ଏହି ଦିବସକୁ ଏବେ ପିତୃମାତୃ ଦିବସ ଭାବେ କିଛି ସଂଗଠନ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ଯୋଗ ବେଦାନ୍ତ ସେବା ସମିତି ଓ ଗୁରୁକୃପା ସେବା ଟ୍ରଷ୍ଟ ତରଫରୁ କେଦାର କବାଟ ଓ ତାଙ୍କ ସଂଗଠନର ସଦସ୍ୟଙ୍କ ଦ୍ଵାରା ମାତୃପିତୃ ଦିବସ ପାଳନ କରାଯାଇଛି । ପିତାମାତା ନିଜ ନିଜ ପୁଅଝିଅଙ୍କ ସହ ବସିବା ପରେ ପ୍ରଥମେ ମନ୍ତ୍ର ଉଚ୍ଚାରଣ କରି ଏହି ଦିବସକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ତାପରେ ପୁଅଝିଅମାନେ ନିଜ ନିଜର ପିତାମାତାଙ୍କୁ ଟିକା ଚନ୍ଦନ ଲାଗାଇ ପୁଷ୍ପବୃଷ୍ଟି କରିଥିଲେ । ପରେ ପିତାମାତାମାନେ ପୁଅଝିଅଙ୍କୁ ଟିକା ଲଗାଇଥିଲେ । ଏହାପରେ ନିଜ ନିଜର ଅଭିଭାବକମାନଙ୍କୁ ଦୀପ ଦେଇ ଆଳତି ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ପିତାମାତାଙ୍କ ମନରେ ଏକ ହୃଦୟସ୍ପର୍ଶୀ ବାତାବରଣ ଯାହାକି ଆଖିରୁ ଖୁସିର ଲୁହ ଝରି ପଡିଥିଲା । ଏହାପରେ ଏକ ଭକ୍ତିମୟ ପିତାମାତାଙ୍କ ଉପରେ ଆଧାରିତ ସଙ୍ଗୀତ ପରିବେଷଣ କରାଯାଇଥିଲା ଓ ସବୁ ଅଭିଭାବକମାନେ ନିଜର ଛୁଆମାନଙ୍କୁ କୋଳରେ ବସାଇ ଗେଲ କରିଥିଲେ । ଏଭଳି ଭଲ ପାଇବାର ଭାବ ବିନିମୟ ମହୋଲ ସ୍କୁଲ ପରିସରରେ ଦେଖିବାକୁ ମିଳିଥିଲା । ସବୁ ପିତାମାତା ଚାହାନ୍ତି ଯେ, ତାଙ୍କର ପୁଅଝିଅ ସେମାନଙ୍କୁ ଏମିତି ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଦେଇ ସମ୍ମାନ କରନ୍ତୁ, ଯାହାକି ଏହି ମାତୃପିତୃ ପୂଜନରେ ମିଳିଥାଏ । ଏ ହେଉଛି ଆମ ଦେଶର ସଂସ୍କୃତି, ଯେଉଁଥିରେ ନିଜର ପିତାମାତା ହିଁ ଆମର ପ୍ରଥମ ଗୁରୁ ବୋଲି ବିବେଚନା କରାଯାଏ । ଆଜିର ଦୁନିଆରେ ଯୁବପିଢ଼ି ମା’ ବାପାଙ୍କୁ ଭୁଲି ଭାଲେଣ୍ଟାଇନ ଡେ ପାଳନ କରୁଥିବା ବେଳେ ପ୍ରଭାବିତ ସ୍କୁଲରେ ଆୟୋଜିତ ଏହି ମାତୃପିତୃ ପୂଜନ ଦିବସ ବହୁତ୍ କିଛି ଶିକ୍ଷଣିୟ ବାର୍ତ୍ତା ସମାଜରେ ପ୍ରଦାନ କରୁଛି ।

Leave A Reply

Your email address will not be published.