ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଉଦିତନଗର ପଡ଼ିଆଠାରେ ୭୭ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଜାଧବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେ ଭାରତର ସମ୍ବିଧାନ ପ୍ରଣେତା ବାବା ଭୀମରାଓ ଆମ୍ବେଦକରଙ୍କୁ ମନେ ପକାଇଥିଲେ ଓ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସେ କହିଥିଲେ ଯେ, ରାଉରକେଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହାର ସାମାଜିକ ଚଳଣି ଓ ଭାଇଚାରାର ପରମ୍ପରା ନିଆରା ରହିଛି । ରାଉରକେଲା ମହାନଗର ନିଗମର ପ୍ରୟାସରେ ସହରର ପରିମଳ ବ୍ୟବସ୍ଥା ସୁଦୂଢ ହୋଇପାରିଛି । ସହରରେ ସ୍ୱଚ୍ଛତା ଦିଗରେ କରାଯାଉଥିବା ବିଭିନ୍ନ ପଦକ୍ଷେପ ତଥା ସ୍ୱଚ୍ଛ ରହିବା ସହରକୁ ପରିସ୍କାର ରଖିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହନ ସହିତ ଜନସଚେତନ କରିବା ପ୍ରସଂଶନୀୟ । ରାଉରକେଲାକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ସମସ୍ତେ ସହଯୋଗ କରନ୍ତୁ ବୋଲି ଆହ୍ୱାନ କରିଛନ୍ତି । ଏହା ବ୍ୟତୀତ ସେ କହିଥିଲେ ଯେ, ୨୦୨୩ରେ ପୁରୁଷ ହକି ବିଶ୍ୱକପ୍, ହକି ପ୍ରୋଲିଗ, ହକି ଇଣ୍ଡିଆ ଲିଗ ରାଉରକେଲାରେ ସଫଳତାର ସହିତ ଆୟୋଜନ ପରେ ରାଉରକେଲା କ୍ରୀଡା ହବ ହୋଇପାରିଛି । ରାଉରକେଲାର ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି । ରିଜର୍ଭ ପୋଲିସର ସମିତ ସାମଲଙ୍କ ନେତୃତ୍ୱରେ ପ୍ୟାରେଡ ହୋଇଥିଲା । ପ୍ୟାରେଡରେ ୫୨ ଦଳ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡ଼ା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହ ସ୍କୁଲ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ସମାରୋହରେ ରାଉରକେଲା ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନି, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଉରକେଲା ମୁଖ୍ୟଜେଲର ଅନ୍ତେବାସୀ ଓ ରାଉରକେଲା ସରକାରୀ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ଶ୍ରୀକାନ୍ତ ଷଡଙ୍ଗୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।
Prev Post