ବିପିୟୁଟିରେ ଜାତୀୟ ଯୁବ ଦିବସ – ୨୦୨୬ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ୧୬୪ତମ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ସକାଳ ୯ଟାରେ ସ୍ୱଦେଶୀ ସଂକଳ୍ପ ଦୌଡ଼ ସହିତ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ଏଥିରେ ବିଶ୍ୱ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଅଧିକାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଶାରୀରିକ ସୁସ୍ଥତା ସହ ଜାତୀୟ ସ୍ୱାବଲମ୍ବନ ପ୍ରତି ସାମୂହିକ ସଂକଳ୍ପକୁ ପ୍ରତିବିମ୍ବିତ କରିଥିଲେ । ଏହି ଦୌଡ଼ ପରେ ସକାଳ ୯ଟା ୪୦ ସମୟରେ ନେତାଜୀ ସୁଭାଷ ଆଡିଟୋରିୟମ୍‌ରେ ଏକ ଔପଚାରିକ ସଭା ଆୟୋଜିତ ହୋଇଥିଲା । ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶିବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ପାଇଁ ଏକ ଚିନ୍ତନଶୀଳ ଓ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରିଥିଲେ । ବିପିୟୁଟିର ବିତ୍ତ ଅଧିକାରୀ ଶ୍ରୀମତୀ ସେବତୀ ଦଣ୍ଡସେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଶିକ୍ଷାକୁ ଗଭୀର ଭାବରେ ଅଧ୍ୟୟନ କରିବାକୁ ଆହ୍ୱାନ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସ୍ୱାମୀଜୀଙ୍କ ଜୀବନ ଓ ଆଦର୍ଶ ଆଜିର ଯୁବକମାନେ ସମ୍ମୁଖୀନ ହେଉଥିବା ଜଟିଳ ମାନସିକ ଏବଂ ସାମାଜିକ ସମସ୍ୟାର ସମାଧାନ ପାଇଁ ପ୍ରଭାବଶାଳୀ ମାର୍ଗଦର୍ଶନ ପ୍ରଦାନ କରିପାରିବ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଉରକେଲାର ବିଶିଷ୍ଟ ସମାଜସେବୀ ବିଷ୍ଣୁ ପାତ୍ର ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ଏବଂ ସ୍ୱଦେଶୀ ଆନ୍ଦୋଳନ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଚିକାଗୋର ଐତିହାସିକ ଭାଷଣ ଏବଂ ପରବର୍ତ୍ତୀ ଭ୍ରମଣ ଭାରତୀୟ ଆତ୍ମ ମର୍ଯ୍ୟାଦା ଓ ସ୍ୱଦେଶୀ ଆନ୍ଦୋଳନର ଆଧାର ସ୍ଥାପନ କରିଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଉରକେଲା ମ୍ୟୁନିସିପାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସନାତନ ପ୍ରଧାନ ଯୁବକମାନଙ୍କୁ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଦୃଢ଼ ନିଷ୍ଠା ଓ ଅଧ୍ୟବସାୟ ସହ ଆଗେଇ ଚାଲିବାକୁ ଆହ୍ୱାନ ଦେଇଥିଲେ । ଭାରତକୁ ଏକ ବିଶ୍ୱଶକ୍ତି ରୂପେ ଗଢି ତୋଳିବା ପାଇଁ ସ୍ୱଦେଶୀ ଜ୍ଞାନ କୌଶଳ ଆପଣାଇବା ଏବଂ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପରିଶେଷରେ ଜାତୀୟ ସଙ୍ଗୀତ “ବନ୍ଦେ ମାତରମ୍”ର ସାମୂହିକ ଗାନ ସହ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା । ଜାତୀୟ ସେବା ଯୋଜନା ସଂଯୋଜକ ଡକ୍ଟର ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱଦେଶୀ ସଂକଳ୍ପ ଶୀର୍ଷକ ଏକ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଅଶ୍ୱିନୀ କୁମାର ସାହୁ, ଡଃ ଭାରଦ୍ୱାଜ ନନ୍ଦ, ଡଃ ପ୍ରକାଶ କୁମାର ପଣ୍ଡା, ଡଃ ଅଟଳ ବିହାରୀ ହରିଚନ୍ଦନ ଏବଂ ଡଃ ବିକ୍ରମାଦିତ୍ୟ ଦାସଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅଧ୍ୟାପକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.