
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ଭାରତ ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସାକ୍ଷରତା ସପ୍ତାହ ପାଳିତ ହୋଇଥିଲା । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଜଳନ୍ଧର ମହାକୁଡ଼, ସରପଞ୍ଚ, ଫକୀର ଚରଣ ବିଶି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ । ପନ୍ଦର ବର୍ଷରୁ ଅଧିକ ବୟସର ଉଭୟ ପୁରୁଷ ଓ ମହିଳା ଏହି କାର୍ଯ୍ୟକ୍ରମରେ ସ୍ୱତଃ ପ୍ରବୃତ୍ତ ଯୋଗ ଦେଇ ଅତି କମରେ ଲେଖିବା, ପଢିବା, ସଂଖ୍ୟାଜ୍ଞାନ ହାସଲ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଦଳଗତ ଭାବେ ଏହାକୁ ମିଶନ ଭାବରେ ନେଇ ତୁରେକେଲା ପଞ୍ଚାୟତକୁ ଶତପ୍ରତିଶତ ସାକ୍ଷର କରିବାକୁ ଉପସ୍ଥିତ ସମସ୍ତେ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁ, ସୁଦୀପ୍ତା ଜେନା, ନିବେଦିତା ବାରିକ, ଅଭିଭାବକ ଓ ଶିକ୍ଷା କମିଟିର ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।