oom

ବଲାଙ୍ଗିରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଠାରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନରେ ଏକ ରାଲି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ସହ କୋଶଳ କଳାମଣ୍ଡଳ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଳେ । ପରେ କୋଶଳ କଳା ମଣ୍ଡଳ ପଡ଼ିଆରେ ଏକ ଦସ୍ତଖତ ଅଭିଯାନ ଏବଂ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ସଂଧ୍ୟାରେ କୋଶଳ କଳାମଣ୍ଡଳ ପଡ଼ିଆରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ସମ୍ମାନିତ ଅତିଥି ଏବଂ ଅବସରପ୍ରାପ୍ତ ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ ଡା.ମଂଜୁବାଳା ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଉପସ୍ଥିତ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ରାଣା ମହିଳା ଦିବସ ପାଳନର ତାପ୍‌ତର୍ଯ୍ୟ ସଂପର୍କରେ ଉଲ୍ଲେଖ କରିବା ସହ କୋଭିଡ଼ ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଥିବା ମହିଳା ମାନେ ଯେପରି କଠିନ ପରିଶ୍ରମ କରିଛନ୍ତି, ତାହା ପ୍ରଶଂସନୀୟ । ସେମାନେ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଭାବେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଅନ୍ୟମାନଙ୍କୁ ଉତ୍ସାହିତ କରିବ । ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକୁର ଉଦ୍‌ବୋଧନ ଦେଇ କହିଥିଲେ ଯେ, ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଉତ୍‌କର୍ଷତା ପ୍ରତିପାଦନ କରି ପାରିଛନ୍ତି ତଥା ଦେଶର ପ୍ରଗତିରେ ମହିଳାମାନଙ୍କ ସହଯୋଗିତା ଓ ସହଭାଗିତା ଉଲ୍ଲେଖନୀୟ । ମୁଖ୍ୟବକ୍ତା ଡା. ମଂଜୁବାଳା ପଣ୍ଡା ମହିଳା ଦିବସ ପାଳନର ଆବଶ୍ୟକତା ଓ ସାଂପ୍ରତିକ ସ୍ଥିତିରେ ମହିଳାମାନଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ରଖିଥିଲେ । ସଭାରେ କୋଭିଡ଼୍‌ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଲର୍ଡା ବଙ୍ଗୋମୁଣ୍ଡା, ମା’ ଭବାନୀ ସ୍ୱୟଂ ସହାୟକ ଗୋଷ୍ଠୀ, କୁତମୁଣ୍ଡା, ପାଟଣାଗଡ଼, ଗାୟତ୍ରୀ ଏସ୍‌ଏଚ୍‌ଜି, ବଲାଙ୍ଗିର, ଖପ୍ରାଖୋଲର କିଶୋରୀ ବାଳିକା ମାନସୀ ବରିହା, ଫଟାମୁଣ୍ଡା, ଲୋଇସିଂହାର ଅଙ୍ଗନବାଡ଼ି କର୍ମୀ ସୁପ୍ରଭା ଦାସ, ପୁଇଁନ୍ତଲା ବ୍ଲକର ଆଇସିଡ଼ିଏସ୍‌ ସୁପର୍‌ଭାଇଜର୍‌ ଶୁଭଶ୍ରୀ ମିଶ୍ର, ଲୋଇସିଂହା, ସିଡ଼ିପିଓ ପ୍ରଜ୍ଞାରାଣୀ ବାରିକ, ଓସ୍‌ଡ଼ମାର ଜିଲ୍ଲା ପ୍ରୋଗ୍ରାମ ଅଫିସର ଗୀତାଂଜଳି ସା’, ଡିଏସ୍‌ଡ଼ବ୍ଲ୍ୟୁ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ଭଗବତୀ ଗୁରୁଙ୍କୁ ଅତିଥିମାନେ ମାନପତ୍ର ଓ ଉପଢେ଼øକନ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଗୁରୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନାନକୁ ସା’ ମଂଚାସୀନ ଥିଲେ । ସଭା ପରେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.