jayashree

ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପରିଷଦ ସଭାଗୃହରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ଦିବସ ପାଳନ ଅବସରରେ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦିବସ ପାଳନର ତାତ୍ପର୍ଯ୍ୟ କହିବା ସହ ଦିବସର ମହତ୍ୱକୁ ସବୁ ବର୍ଗରେ ଗୁରୁତ୍ୱ ଦେଇ ସମସ୍ତେ ନିଜ ନିଜ ସ୍ତରରେ ସମାଜ ବିକାଶ ପାଇଁ ସକାରାତ୍ମକ ମନୋଭାବ ପୋଷଣ କରି ଆଚରଣ ଓ ଉଚ୍ଚାରଣରେ ଦୃଢ଼ ହେବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ ସ୍ୱାର୍ଥର ଉର୍ଦ୍ଧରେ ରହି ଜିଲ୍ଲା ତଥା ସମାଜ ବିକାଶରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଦିବସ ପରିପ୍ରେକ୍ଷୀରେ ଅନ୍ୟତମ ଅତିଥି ଭାବରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ, ବକ୍ତା ଭାବେ ସ୍ୱପ୍ନା ମହାପାତ୍ର ଅଧ୍ୟକ୍ଷା, ମା’ ମାହେଶ୍ୱରୀ ମହାବିଦ୍ୟାଳୟ ଯୋଗଦାନ କରି ଯୋଗଜନ୍ମା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୀବନ ଦର୍ଶନ ଓ ସମାଜ ପ୍ରତି ଦେଇଥିବା ବିଶେଷ ଅବଦାନକୁ ଆଲୋକପାତ କରି ତାଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ବିକାଶରେ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ଶୈଳବାଳା ପଟ୍ଟନାୟକ ସଭା ସଂଚାଳନ କରିଥିଲେ । ସମାରୋହ ପ୍ରାରମ୍ଭରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ଓଡ଼ିଶାର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଳା ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ସୁବର୍ଣ୍ଣପୁର ଜିଲ୍ଲାରେ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟର ୧୭ ଗୋଟି ଲକ୍ଷ୍ୟକୁ ନେଇ ଏହାର ସ୍ଥାନୀୟ କରଣ ନିମନ୍ତେ ୯ ଗୋଟି ବିଷୟ ଭିତ୍ତିକ କ୍ଷେତ୍ର ଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପରିଷଦକୁ ରାଜ୍ୟ ସ୍ତରରେ ସର୍ବୋତ୍ତମ ତିନୋଟି ଜିଲ୍ଲା ପରିଷଦ ବା ଜିଲ୍ଲା ପଞ୍ଚାୟତ ମଧ୍ୟରେ ଦ୍ଵିତୀୟ ସର୍ବୋତ୍ତମ ଜିଲ୍ଲା ପରିଷଦ ଭାବେ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ ନିମନ୍ତେ ମନୋନୟନ କରାଯାଇ ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯାଇଛି । ସେହିପରି ଏହି ବର୍ଗରେ ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଶୁଖା ଗ୍ରାମ ପଂଚାୟତକୁ ରାଜ୍ୟର ସର୍ବୋତ୍ତମ ତିନୋଟି ଗ୍ରାମ ପଞ୍ଚାୟତ ମଧ୍ୟରେ ତୃତୀୟ ସର୍ବୋତ୍ତମ ଭାବେ ୧୦ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ନିମନ୍ତେ ମନୋନୀତ ହୋଇ ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯାଇଛି । ଏତଦ ବ୍ୟତୀତ ୯ ଗୋଟି ବିଷୟ ଭିତ୍ତିକ କ୍ଷେତ୍ରରେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଷୟ ଭିତ୍ତିକ କ୍ଷେତ୍ର ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ନିମନ୍ତେ ଜିଲ୍ଲାର ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମ ପଂଚାୟତକୁ ଭିତ୍ତିଭୂମି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଗ୍ରାମ ପଞ୍ଚାୟତ ନିମନ୍ତେ ତୃତୀୟ ଓ ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଉଲୁଣ୍ଡା ଗ୍ରାମ ପଂଚାୟତକୁ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ନିମନ୍ତେ ପ୍ରଥମ ପୁରସ୍କାର ଯଥାକ୍ରମେ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ୩ ଲକ୍ଷ ଓ ୫ ଲକ୍ଷ ଟଙ୍କା ଅର୍ଥ ରାଶି ପୁରସ୍କାର ଜୟଦେବ ଭବନ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ପୁରସ୍କୃତ କରାଯାଇଛି । ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିବା ନିମନ୍ତେ ଜିଲ୍ଲା ସ୍ତରରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ସହ ଶୁଖା, ସିଲାଟି, ଉଲୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ପୁରସ୍କାର ଗ୍ରହଣ ନିମନ୍ତେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦାନ କରିଛନ୍ତି ।

ଜିଲ୍ଲାସ୍ତରୀୟ ପଞ୍ଚାୟତ ଦିବସ ଓ ଲୋକସେବା ଦିବସ ଅବସରରେ ପ୍ରଥମ ବର୍ଗରେ ସମସ୍ତ ୯ଟି ବିଷୟ ଭିତ୍ତିକ କ୍ଷେତ୍ରରେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଡୁଙ୍ଗୁରିପାଲି ବ୍ଲକର ଶୁଖା, ଭୀମଟିକିରା ଓ ଉଲୁଣ୍ଡା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବେ ଯଥାକ୍ରମେ ଅର୍ଥ ରାଶି ସ୍ୱରୂପ ୩ଲକ୍ଷ, ୨ ଲକ୍ଷ ଓ ୧ଲକ୍ଷ ପ୍ରଦାନ କରାଯାଇଛି । ସେହିପରି ଦ୍ଵିତୀୟ ବର୍ଗରେ ୯ଟି ବିଷୟ ଭିତ୍ତିକ କ୍ଷେତ୍ର ମଧ୍ୟରେ ଏକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ପଞ୍ଚାୟତ ସ୍ତରରେ ଉଲ୍ଲେଖନୀୟ କାର୍ୟ୍ୟ ନିମନ୍ତେ ଜିଲ୍ଲାର ଯାଲୋଇ, କଳାପଥର, ମେଘଲା, ଶୁଖା, ସିଲାଟି, ଚାରଭଟା ଓ ସିଙ୍ଗିଯୁବା ଗ୍ରାମପଞ୍ଚାୟତକୁ ପ୍ରତ୍ୟେକଙ୍କୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ମାନପତ୍ର ସହ ୧ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରିଛନ୍ତି ଅତିଥିବୃନ୍ଦ । ସମାରୋହରେ ଜିଲ୍ଲାର ସରପଞ୍ଚ, ସରପଞ୍ଚ ପ୍ରତିନିଧି, ବିଭାଗୀୟ ଅଧିକାରୀ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.