
ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ପ୍ରଶାସନ ତରଫରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠୀ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଶିକ୍ଷା ଅଧିକାରୀ ଶଙ୍କର ମାଝୀ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀ ମାଝୀ, ଆସିଷ୍ଟାଣ୍ଡ ଏକଜିକ୍ୟୁଟିବ ଇଂଜିନିୟର ତନ କିଶୋର ନାୟକ ପ୍ରମୁଖ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଲେ ଯେ, ସ୍ୱର୍ଗତ ବିଜୁ ପଟ୍ଟନାୟକ ଗୁଣାବଳୀ ଉପରେ ଆଲୋକପାତ କରି ସେ ପ୍ରଥମେ ପଞ୍ଚାୟତରାଜ ବ୍ୟବସ୍ଥା ଓଡ଼ିଶାରେ ଆରମ୍ଭ କରି ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ କ୍ଷମତା ଦେଇଥିଲେ ଓ ପ୍ରଥମ କରି ମହିଳାମାନଙ୍କୁ କ୍ଷମତା ଦେଇଥିଲେ । ଇଣ୍ଡୋନେସିନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଶୁକର୍ଣ୍ଣୋଙ୍କୁ ଗୃହ ଯୁଦ୍ଧରେ ତାଙ୍କର ଡାକାଟୋ ବିମାନରେ ବଞ୍ଚାଇ ଭାରତ ଆଣି ରକ୍ଷା କରିଥିବାରୁ ସେଠାକାର ସରକାର ଭୂମିପୁତ୍ର ସମ୍ମାନ ଦେଇଥିଲେ । ଆଜିର ପବିତ୍ର ଦିନରେ ପାଟଣାଗଡ଼ ବ୍ଲକର ୩ଟି ସର୍ବଶ୍ରେଷ୍ଠ ପଞ୍ଚାୟତ ରୂପେ ଟେଣ୍ଡାପଦର, କେନ୍ଦୁମୁଣ୍ଡି ଓ ସୋଲବନ୍ଦ ପଞ୍ଚାୟତ ଘୋଷଣା କରି ସମ୍ପୃକ୍ତ ସରପଞ୍ଚମାନଙ୍କୁ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପରିଶେଷରେ ବ୍ଲକର ମୁଖ୍ୟ କିରାଣୀ ସରୋଜ କୁମାର ଧନ୍ୟବାଦ ଦେଇଥିଲେ ।