ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ସେକ୍ଟର-୧୪ ସ୍ଥିତ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ପ୍ରାକ୍ତନ ପ୍ରଫେସର ଡ. ଅଶ୍ୱିନୀ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସେ ଓଡିଆ ସାହିତ୍ୟ ଜଗତରେ ଜଣେ ଚିର ଜାଜ୍ୱଲ୍ୟମାନ ବ୍ୟକ୍ତିତ୍ୱ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ପ୍ରକୃତି ଚିତ୍ରଣରେ ତାଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ ଥିଲା । ବିଶେଷ କରି ପ୍ରାକୃତିକ ଶୋଭାରାଜି ଓ ପୌରାଣିକ ବିଷୟ ଉପରେ କବିଙ୍କ ରଚନା ବେଶ ହୃଦୟସ୍ପର୍ଶୀ । ତାଙ୍କ କବିତାରେ ମାନବ ସ୍ୱଭାବକୁ ଚିତ୍ରଣ କରିବାରେ ସେ ଥିଲେ ସିଦ୍ଧହସ୍ତ । ଅନ୍ୟତମ ଅତିଥି ଭାବେ ସେକ୍ଟର-୧୪ ମଧୁସୂଦନ ଶିକ୍ଷା ନିବାସର ବରିଷ୍ଠ ଶିକ୍ଷୟିତ୍ରୀ ସୁକାନ୍ତି ପଣ୍ଡା ତାଙ୍କ ବକ୍ତବ୍ୟରେ ଗଙ୍ଗାଧରଙ୍କ ଅର୍ଘ୍ୟଥାଳୀ, ଅମୃତମୟ, ମଧୁମୟ, ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଉତ୍କଳ ଲକ୍ଷ୍ମୀ, ଅଯୋଧ୍ୟା ଦୃଶ୍ୟ ଆଦି କାବ୍ୟ କବିତା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ତାଙ୍କ ରଚିତ କାବ୍ୟ କବିତା ଓଡ଼ିଆ ସାହିତ୍ୟ ପାଇଁ ଅମୂଲ୍ୟ ରତ୍ନ ବୋଲି ମତ ରଖିଥିଲେ । ସଭାପତି ଶିକ୍ଷାବିତ୍‌ ଶ୍ରୀ ପତି ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଗଙ୍ଗାଧରଙ୍କ କବିତା ଗୁଡିକ ଯେତିକି ସୁନ୍ଦର, ତାଙ୍କର ଜୀବନଶୈଳୀ ବି ଥିଲା ବେଶ୍ ସାବଲୀଳା କବିଙ୍କ ଲେଖନୀରେ କେବଳ ଆଦର୍ଶ ଯେ, ଉଚ୍ଚସ୍ଥାନ ପାଇଛି ତାନୁହେଁ, ସେ ମାନବିକତାର ମଧ୍ୟ ଜୟଗାନ କରିଛନ୍ତି । ତାଙ୍କ ନାମ ଉଚ୍ଚାରଣ ମାତ୍ରେ ତପସ୍ୱିନୀ କାବ୍ୟର ମଙ୍ଗଳେ ଅଇଲା ଉଷା ପଦକୁ ଅନେକ ସ୍ମରଣ କରିଥାନ୍ତି । ପ୍ରାରମ୍ଭରେ ମଧୁସୂଦନ ଶିକ୍ଷା ନିବାସର ଛାତ୍ରୀମାନେ ମଙ୍ଗଳେ ଅଇଲା ଉଷା ଗାନ କରି ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାହିତ୍ୟାନୁଷ୍ଠାନ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ, ଧାମରା ସଂଘ, କଲଚରାଲ ଏକାଡେମୀ, ପ୍ରଗତି ଉତ୍କଳ ସଂଘ ତରଫରୁ ସୁଶାନ୍ତ କୁମାର ନାୟକ, ବଳରାମ ରାଉଳ, ଅଶୋକ କୁମାର ପଟ୍ଟନାୟକ, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ, କାଶିନାଥ ନନ୍ଦୀ, ପ୍ରଫୁଲ୍ଲ ସାମଲ, ଚନ୍ଦ୍ରଶେଖର ପାଇକରାୟ, ହେମନ୍ତ ବିଶ୍ୱାଳ, ନବୀନ ମାଝୀ, ବିପିନ ମହାରଣା, କ୍ରିଷ୍ଣା କଂସାରୀ, ରବିନ୍ଦ୍ର ସେନାପତି, ସୁନ୍ଦର ମାହାତୋ ଓ ଶିକ୍ଷା ନିବାସର ମାଧବୀ ଏକ୍କା, ଆରତୀ ମହାନ୍ତି, ବିନ୍ଦୁ ସିଂ, ମନସ୍ୱିନୀ ଜେନା, ଅର୍ଚ୍ଚନା ପଲାଇ, ସ୍ମରଣା ପ୍ରଧାନ ଓ ପୂଜା ସାମଲ ପ୍ରମୁଖ ଉପସ୍ଥିତ ରହି କର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.