ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ନ୍ୟାୟ ପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା କଂଗ୍ରେସ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜୁଲାଇ ୧୭ ତାରିଖ ଗୁରୁବାର ଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ କଂଗ୍ରେସର ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ସଭାପତିତ୍ୱରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଛକ ଠାରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାପରେ ସହର ସାରା ବୁଲି ବୁଲି ପିକେଟିଂ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟମାନଙ୍କୁ ବନ୍ଦ କରାଇଥିଲେ । ଆଜି ଟିଟିଲାଗଡ଼ ସହରର ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦେଇଛୁ ବୋଲି କଂଗ୍ରେସ ନେତା ବିରେନ୍ଦ୍ର ବାଗ କହିଥିଲେ । ଏହି ବନ୍ଦ ଡାକରାରେ କଂଗ୍ରେସ ଦଳର ସୁବାସ ଛତ୍ରିଆ, ଅରୁଣ ହରପାଲ, ଜୟସିଂହ ତାଣ୍ଡି, ଲାଲୁ କୁମ୍ଭାର, ମାଧବ କୁମ୍ଭାର, ସୁବାସ ଭୋଇ, କୁନା ସାହୁ, ଦିଲେଶ୍ୱର୍ ଜାଲ, ବିଚିତ୍ର ସାହୁ, ମୋହନ ନାଏକ, ରାହୁଲ ନାଏକ, ତୁଷରାଜ ମହାନନ୍ଦ, ମୁରଲୀ ଜାଲ ଯୋଗ ଦେଇଥିଲେ । ସେହିପରି ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକଙ୍କ ନେତୃତ୍ୱରେ ସ୍ଥାନୀୟ ପୁରୁଣା ବ୍ୟାଙ୍କ ଛକ ଠାରେ ଯୁବ କଂଗ୍ରେସ କର୍ମୀମାନେ ମଧ୍ୟ ବନ୍ଦ ପାଳନ କରିଥିଲେ । ଗୋଟିଏ ଟ୍ରକ ଆସିଯିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୋଲିସ ଆସି ଟ୍ରକକୁ ଅନ୍ୟତ୍ର ପଠାଇଥିଲା । ସେଠାରେ ସେବା ଦଳର ପୂର୍ବତନ ସଭାପତି ଦେବାନନ୍ଦ ସାହୁ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ମହେଶ ରାଓଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସାମିଲ ହୋଇଥିଲେ । ତେବେ ଟିଟିଲାଗଡ଼ ପୋଲିସ ପକ୍ଷରୁ କୌଣସି ଖରାପ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହର ସାରା ଆଜି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିଜେ ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନାଧିକାରୀ କଲ୍ୟାଣୀ ବେହେରା ଏବଂ ଥାନାର ପୋଲିସ ଫୋର୍ସ ମୁତୟନ ହେବା ସହ ବାହାରୁ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଦ୍ଵିପହର ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହିତ ଟିଟିଲାଗଡ଼ରେ ବନ୍ଦ ଡାକରା ଦିଆଯାଇଛି ।

jittmm
Leave A Reply

Your email address will not be published.