ପାହାଡି ମୁଲକର ଗାଁ ବୋଡ଼ାଦରିଂ : ବ୍ଲକକୁ ଦୂରତା ୬୩ କିମି, ପଂଚାୟତକୁ ଦୂରତା ୪୮କିମି

କଳାହାଣ୍ଡି, (କେପିଏନ୍‌ଏସ୍‌) : ଆଜି ବି ଅନେକ ଗାଁ ରହିଛି, ଯେଉଁ ଗାଁର ଲୋକେ ଜୀବନ କହିଲେ ବଣ ଜଙ୍ଗଲ ଆଉ ନିଜ ନିଜ ଭିତରର ସୁଖ ଦୁଃଖକୁ ହିଁ ବୁଝନ୍ତି । ଗୋଟିଏ ବାହାର ଦୁନିଆଁ ଥାଏ, ତାକୁ ନେଇ ସେମାନେ କେବେ କିଛି କଳ୍ପନା ବି କରନ୍ତି ନାହିଁ । କିନ୍ତୁ ସଭ୍ୟତାର ବିକାଶ ପରେ ପରେ ସେମାନେ ଯେତେବେଳେ ବିକାଶର ସ୍ରୋତରେ ସାମିଲ ହେବାକୁ ଚାହାନ୍ତି, ସେମାନଙ୍କ ପାଇଁ ବିଭିନ୍ନ ସମସ୍ୟା ବାଧକ ହେଇଠିଆ ହୁଏ । ଫଳସ୍ୱରୂପ କେବେ ବିକାଶର ଛିଟା ଟିକକ ବି ପଡ଼ିପାରେନି । କଳାହାଣ୍ଡିର ସୀମାନ୍ତ ଗାଁ ବୋଡ଼ାଦରିଂ ଏବଂ ସେଠାରେ ଥିବା ବିଭିନ୍ନ ସମସ୍ୟା ଦେଖିବା ପରେ, ବିକାଶ ଯେ ସେମାନଙ୍କ କେତେ ଦୂରରେ ଏବଂ କେବେ ଏଇ ଗାଁଟି ବିକାଶର ମାନଚିତ୍ରରେ ନିଜକୁ ଖୋଜି ପାଇବ, ସେ ଏକ ବିରାଟ ପ୍ରଶ୍ନବାଚୀ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସୀମାନ୍ତ ପଂଚାୟତ ଉର୍ଲାଦାନୀ ପଂଚାୟତର ସୀମାନ୍ତ ଗାଁ ହେଉଛି ବୁଡ଼ାଦରିଂ । ଯାହାର ଦୂରତା ବ୍ଲକ କାର୍ୟ୍ୟାଳୟଠାରୁ ୬୩ କିଲୋମିଟର ଏବଂ ପଂଚାୟତ କାର୍ୟ୍ୟାଳୟ ଉର୍ଲାଦାନୀଠାରୁ ପ୍ରାୟ ୪୮ କିଲୋମିଟର । ଏହି ପଂଚାୟତର ପୁଟ୍‌ରିମହୁଲ ୱାର୍ଡ଼ ଅଧୀନରେ ଥିବା ଏହି ଗାଁକୁ ପାଦରେ ଚାଲି ଚାଲି ଯିବାକୁ ହେଲେ ଦୁଇଟି ଡ଼ଙ୍ଗରକୁ ପାଦରେ ଚାଲି ଚାଲି ପାରିହେଇ ଯିବାକୁ ପଡ଼ିଥାଏ । ଆଉ ଏକ ରାସ୍ତା ରହିଛି ଉର୍ଲାଦାନୀ ପଂଚାୟତ ମାର୍ଦ୍ଦିଂ ୱାର୍ଡ଼ର ଖଡ଼କାବାହାଲି ଗ୍ରାମରୁ ୧୫ କିଲୋମିଟର, ଯାହା ଚାରୋଟି ନାଳ, ଝରଣା ଓ ଚାରୋଟି ଘାଟି ଡ଼େଇଁ ଯିବାକୁ ପଡ଼ିଥାଏ ଏବଂ ରାସ୍ତାରେ ଯିବାକୁ ହେଲେ କନ୍ଧମାଳ ଜିଲ୍ଲା କୃତମଗଡ଼ଠାରୁ ଗୁମୁଡ଼ୁମାହା ରାସ୍ତାରେ ୯ କିଲୋମିଟର ଗଲା ପରେ ବାମକୁ ତିନିକିଲୋମିଟର ଜଙ୍ଗଲୀ ରାସ୍ତାରେ ନାଳ ଡ଼େଇଁ, ଉଠାଣି ଗଡ଼ାଣି ସହିତ ଜଙ୍ଗଲୀ ସଂକୀର୍ଣ୍ଣ ରାସ୍ତାରେ ବାଇକ ଯୋଗେ କେବଳ ବହୁତ କଷ୍ଟରେ ଯାଇହୁଏ । ଅନେକ ବର୍ଷ ତଳୁ କିଛି ଲୋକେ ଉର୍ଲାଦାନୀ ପଂଚାୟତର ବିଡ଼ାବାରୁ ଗାଁରୁ ଯାଇ ସେଠାରେ ଜଙ୍ଗଲ ସଫା କରି ବସତି ସ୍ଥାପନ କରିବା ଆରମ୍ଭ କରିଥିଲେ ଏବଂ ଏବେ ଏହି ଗାଁରେ ପ୍ରାୟ ୩୦ ପରିବାର । ତିରିଶ ପରିବାରର ସମୁଦାୟ ଜନସାଧାରଣଙ୍କ ସଂଖ୍ୟା ୨୦୦ରୁ ଉର୍ଦ୍ଧ୍ୱ । ସବୁଠୁ ବଡ଼ ପରିତାପର ବିଷୟ ହେଲା, ଏହି ଗାଁରେ ଥିବା କେହି ବି ଗ୍ରାମବାସୀ ରହୁଥିବା ଜାଗାର ପଟ୍ଟା ପାଇନାହାନ୍ତି, ଯାହା ସେମାନଙ୍କ ପାଇଁ ଏକ ବିରାଟ ସମସ୍ୟା ହେଇ ଆଜିଯାଏ ରହିଛି । ଫଳ ସ୍ୱରୂପ କୌଣସି ପ୍ରକାର ସୁବିଧା ସେମାନେ ପାଇ ପାରୁନାହାନ୍ତି । ଗାଁରେ ଦୁଇଶହ ଜନସଂଖ୍ୟା ପାଇଁ କେବଳ ଗୋଟିଏ ନଳକୂପ ରହିଥିବା ବେଳେ ଗାଧୁଆ ପାଧୁଆ ପାଇଁ ବର୍ଷର ସବୁସମୟରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି । ପିଇବାଠାରୁ ଆରମ୍ଭ କରି ଶୌଚ ପର୍ୟ୍ୟନ୍ତ କେବଳ ନଳକୂପ ଭରସା, ଯାହା ଖରା ଦିନଗୁଡ଼ିକରେ ନଳକୁପରୁ ପାଣି ବାହାରିବା କଷ୍ଟସାଧ୍ୟ ହେଇପଡ଼େ । ଏପଟେ ଗାଁର ପରିସୀମା ମଧ୍ୟରେ କୌଣସି ନାଳ କିମ୍ବା ଝରଣା ପ୍ରବାହିତ ହେଉନଥିବା ଦେଖିବାକୁ ମିଳିଛି । ଜଳକଷ୍ଟ ସାଙ୍ଗକୁ ଗମନାଗମନର କଷ୍ଟ କହିଲେ ନସରେ । ଏହି ଗାଁର ଛାତ୍ରଛାତ୍ରୀମାନେ ବିଭିନ୍ନ ସେବାଶ୍ରମ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ପ୍ରାଥମିକ ଶିକ୍ଷା ପାଇଁ ରହିଛି କୁଟେଡ଼ପଟା ପ୍ରାଥମିକ ବିଦ୍ୟାଳୟ, ଯାହାର ଦୂରତା ଏହି ଗାଁରୁ ପ୍ରାୟ ୪ କିଲୋମିଟର । ଦୁଇଟି ପାହାଡ଼ ଓ ଘଂଚ ଜଙ୍ଗଲ ଦେଇ ଯିବାକୁ ପଡ଼େ । ଯାହାଫଳରେ ଏହି ଗାଁର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ହେଇପଡ଼ିଛି ଅପହଂଚ । ପ୍ରାକ ପ୍ରାଥମିକ ବିଦ୍ୟାଶିକ୍ଷା ସହିତ ସମନ୍ୱିତ ଶିଶୁ ବିକାଶର ବିଭିନ୍ନ ସେବା ପାଇଁ ରହିଛି ସେହି କୁଟେଡ଼ପଟା ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର । ଜଣେ ଗର୍ଭବତୀ ମା, କିଶୋରୀ ବାଳିକା, ପ୍ରସୂତି ମା ତଥା ତିନିରୁ ଛଅ ବର୍ଷର ଶିଶୁମାନେ ଏହି ସବୁ ସେବା କିଭଳି ଭାବରେ ପାଉଥିବେ, ତାହା ଅତି ସହଜରେ ଅନୁମେୟ । ସ୍ୱାସ୍ଥ୍ୟ ସେବା କଥା ନ କହିଲେ ଭଲ । ଯଦି କେହି ଅଚାନକ କିଛି ରୋଗର ଶିକାର ହୁଅନ୍ତି ବିଶେଷ କରି ଗର୍ଭବତୀ, ପ୍ରସୂତୀ ମା’ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ, ଏମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହିତ ଅନକେ ସମୟରେ ଜୀବନ ବି ଅକାଳରେ ହାନୀ ହେଇଥାଏ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ପ୍ରତିମାସରେ ଏହି ଗାଁର ହିତାଧିକାରୀମାନେ ନିଜ ନିଜର ରାସନ ଏବଂ ଭତ୍ତା ପାଇଁ ଉର୍ଲାଦାନୀ ପଂଚାୟତକୁ ଆସିଥାନ୍ତି ଏବଂ ଅଟୋ ସାହାଯ୍ୟରେ ଗାଁ ପାଖକୁ ଆଣିବା ପରେ ପ୍ରାୟ ଦୁଇ କିଲୋମିଟର ବୋହି ବୋହି ନିଜ ରାସନ ସାମଗ୍ରୀ ଘରକୁ ପହଂଚାଇଥାନ୍ତି ବୋଲି କହିଥିବା ବେଳେ ଏନେଇ ଉର୍ଲାଦାନୀ ସରପଂଚ ଗନ୍ଧର୍ବ ପୁଝାରୀଙ୍କୁ ପଚାରିବାରୁ ସେମାନଙ୍କୁ ଏକ କାଳୀନ ୪ମାସର ରାସନ ବିଶେଷ କରି ବର୍ଷା ଋତୁରେ ପ୍ରଦାନ କରାଯାଇଥାଏ ବୋଲି କହିଥିଲେ । ଗାଁରେ କାହାର ପଟ୍ଟା ନଥିବା କାରଣରୁ ଏମାନେ ବିଭିନ୍ନ ଆବାସ ଯୋଜନାରୁ ମଧ୍ୟ ବାଦ ପଡ଼ୁଥିବା ଦେଖାଯାଇଛି । କଳାହାଣ୍ଡି ସୀମାରୁ ଗତବର୍ଷ ମନରେଗା ଯୋଜନାରେ କିଛି ବାଟ ରାସ୍ତା କାମ ତିଆରି ଆରମ୍ଭ କରାଯାଇଥିଲେ ହେଁ ତାହା ଅଧାପନ୍ତରିଆ ହେଇ ପଡ଼ି ରହିଛି । ତେବେ ଗାଁରେ ଏବେ ବି ଏଭଳି ଅନେକ ସମସ୍ୟା ରହିଥିବାବେଳେ ମୁଖ୍ୟ ସମସ୍ୟା ପଟ୍ଟା ସଂପର୍କରେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କୁ ପଚାରିବାରୁ ସେ ପ୍ରକୃତ ସମସ୍ୟା କ’ଣ ହେଇଛି ,ତାହାକୁ ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ତଦାରାଖ କରାଇବା ସହିତ ଉପଯୁକ୍ତ ପଦକ୍ଷେପ ନେବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଗ୍ରାମର ବିଭିନ୍ନ ସମସ୍ୟାକୁ ଉପଯୁକ୍ତ ଭାବରେ ଦୃଷ୍ଟି ଦେବା ସହିତ ଏହିସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଡ଼ୁଗେ ଦିଗାଲ, ନୃପତି ନାଏକ, ଅବିନା ଦିଗାଲ, ଲେପାସା ନାଏକ, ଲୁପିସା ନାଏକ, ଗଦା ଦିଗାଲ, ଜୁନିମା ନାଏକ(ୱାର୍ଡ଼ ସଭ୍ୟା), ଲଳିତ ନାଏକ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.